କଟକ: ୨୦୨୪ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଦୁଷ୍କର୍ମକାରୀ ଦିଲ୍ଲୀପ ସାମନ୍ତରାୟକୁ ୨୦ ବର୍ଷ ପାଇଁ ଜେଲଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ଆଠଗଡ଼ ଥାନା ଅଞ୍ଚଳର ଜନୈକା ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିଲା ଦିଲ୍ଲୀପ। ଉକ୍ତ ମାମଲାରେ ଦୋଷୀ ଦିଲ୍ଲୀପକୁ ୨୦ ବର୍ଷର ସଶ୍ରମ  କାରାଦଣ୍ଡ ସହିତ ୫୦ ହଜାର ଟଙ୍କାର ଜରିମନା ପାଇଁ ଆଜି ନିର୍ଦ୍ଦେଶ ହୋଇଛି।

ଏହା ସହିତ ପୀଡ଼ିତା ନାବାଳିକାଙ୍କୁ କ୍ଷତିପୂରଣ ବାବଦରେ ୭ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ହୋଇଛି । ଗତ ୨୦୨୪ ଏପ୍ରିଲ ମାସରେ ଆଠଗଡ ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ପୀଡ଼ିତା ନାବାଳିକାକୁ ଦୋଷୀ ଥଣ୍ଡା ପାନୀୟରେ ନିଶା ଦେଇ ଏକାଧିକବାର ବଳାତ୍କାର କରିଥିଲା। ପୀଡ଼ିତା ଏ ସମ୍ପର୍କରେ କାହାକୁ କହିଲେ ତାକୁ ଓ ତାର ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା ଦୋଷୀ।  ପୀଡ଼ିତା ଏ ସମ୍ପର୍କରେ କହିବା ପରେ  ପରିବାର ପକ୍ଷରୁ ଏ ନେଇ ୨୦୨୪ ନଭେମ୍ବର ୨୪ ତାରିଖରେ ଆଠଗଡ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୪ ଜଣ ସାକ୍ଷୀ ଓ ୨୮ ଟି ତଥ୍ୟ ପ୍ରମାଣ ଆଧାରରେ ପୋକସୋ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି।