LIVE TV

ବସ୍ତୁବାଦ ଦୁନିଆରେ ହଜିଗଲାଣି ‘ସ୍ୱଳ୍ପରେ ଖୁସି ରହିବାର ବିଚାରଧାରା’, ଯୁବପିଢିଙ୍କୁ ସାଧାରଣ ଜୀବନଶୈଳୀ କାହିଁକି ଲାଗୁଛି ବୋଝ ?

NEWS7
minimalism

ଭୁବନେଶ୍ୱର: ଆଜିର ବସ୍ତୁବାଦୀ ଦୁନିଆରେ କମରୁ କମ ସମ୍ୱଳରେ ବଞ୍ଚିବାର ବି ଏକ ଜୀବନଶୈଳୀ ରହିଛି । ଏହା ସରଳତା, ସଂଯମତା ଏବଂ ଭୌତିକ ସାମଗ୍ରୀର ସର୍ବନିମ୍ନ ଆବଶ୍ୟକତା କଥା କୁହେ । ଏହି ବିଚାରଧାରା କୁହେ ଯେ କମରେ ହିଁ ପ୍ରକୃତ ଖୁସି ରହିଛି । ଯେତେବେଳେ ଅନାବଶ୍ୟକ ସମ୍ପତ୍ତି, ଲାଳସା ଏବଂ ଦେଖେଇ ହେବାଠାରୁ ନିଜକୁ ମୁକ୍ତ କରୁ, ସେତେବେଳେ ଆମେ ଆନ୍ତରିକ ପରିପୂର୍ଣ୍ଣତା ପାଇପାରିବା । ତଥାପି, ଆଜିର ଯୁବ ପିଢ଼ି ଏହାକୁ ଗ୍ରହଣ କରିବାକୁ ଅନିଚ୍ଛୁକ । ସେମାନଙ୍କ ପାଇଁ କମ ସମ୍ୱଳରେ ଜୀବନ ବିତାଇବାର କେବଳ ଏକ ଦାର୍ଶନିକ ଆଦର୍ଶ ପାଲଟିଛି । ହେଲେ କାହିଁକି ?

ଆଜିର ଯୁବପିଢ଼ି ଏକ ନୂତନ ଦୁନିଆରେ ବାସ କରୁଛନ୍ତି । ଏକ ଏପରି ଦୁନିଆ, ଯାହା ବିକଳ୍ପରେ ପରିପୂର୍ଣ୍ଣ । ସୋସିଆଲ ମିଡିଆ, ଇ-କମର୍ସ, ଡିଜିଟାଲ୍ କାରବାର ଏବଂ ଅଗଣିତ ବ୍ରାଣ୍ଡ ସେମାନଙ୍କୁ ବିଶ୍ୱାସ କରାଏ ଯେ ଅଧିକ ହାସଲ କରିବା ହେଉଛି ସର୍ବୋଚ୍ଚ ସଫଳତା । ନୂଆ ଫୋନ୍, ନୂଆ ଫ୍ୟାଶନ୍, ନୂଆ ଚଳନ- ଏମାନଙ୍କ ମାନସିକତାର ଅଂଶ ହୋଇଗଲାଣି । ଯେତେବେଳେ କେହି ସେମାନଙ୍କୁ "କମରେ ବଞ୍ଚିବା ପାଇଁ ଶିଖିବାକୁ କୁହନ୍ତି, ତାହା ସେମାନଙ୍କୁ ଅବାସ୍ତବ ପରି ମନେହୁଏ ।

ବୁଦ୍ଧିଜୀବୀ ଏବଂ ଆତ୍ମିକ ଶାନ୍ତି ଖୋଜୁଥିବା ଲୋକଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ମିନିମାଲିଜିମ୍‌କୁ ଏବେ ପୁରୁଣା ବିଚାରଧାରା ଭାବେ ଦେଖାଯାଉଛି । ଆଜିର ଯୁବପିଢ଼ି ବୁଲିବାକୁ ଓ ଅନୁଭବ କରିବାକୁ ଚାହାନ୍ତି । ସେମାନଙ୍କ ବୟସ ଏବଂ ସମୟରେ ଘଟୁଥିବା ପ୍ରତ୍ୟେକ ଘଟଣା ସହିତ ଜଡିତ ହେବାକୁ ଚାହାନ୍ତି । ଡିଜିଟାଲ୍ ଯୁଗରେ, ଯୁବପିଢ଼ି ନିରନ୍ତର ଭାବେ ଏକ ଚମକୁଥିବା ଦୁନିଆ ସହ ଜଡ଼ିତ । ସୋସିଆଲ ମିଡିଆରେ ଅନ୍ୟମାନଙ୍କ ଜୀବନଶୈଳୀ ସେମାନଙ୍କୁ ନିଜର ଜୀବନ ପ୍ରତି ଅସନ୍ତୁଷ୍ଟ କରାଏ । ସମସ୍ତଙ୍କ ପାଖରେ କିଛି ନା କିଛି ନୂଆ, ଆକର୍ଷଣ ରହିଛି । ଏସ୍ଥିତିରେ, ଯଦି ସେମାନେ ନିଜକୁ ସୀମିତ ରଖନ୍ତି, ତେବେ ଅନ୍ୟଙ୍କଠାରୁ ପଛରେ ପଡ଼ିଯିବାର ଭୟ କରନ୍ତି । ଏହି ଭୟ ଯୁବ ପିଢିଙ୍କୁ ଅଧିକ ହାସଲ କରିବାକୁ ବାଧ୍ୟ କରେ ।

ଏହା ବ୍ୟତୀତ, ଆଧୁନିକ ସମାଜରେ ଭୌତିକ ବସ୍ତୁ ଆଉ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଏକ "ଷ୍ଟାଟସ୍ ସିମ୍ୱଲ୍" ପାଲଟିଛି । କେଉଁ ଗାଡ଼ି ଚଲାଉଛ, କେଉଁ ବ୍ରାଣ୍ଡର ପୋଷାକ ପିନ୍ଧୁଛ, କେଉଁଠାକୁ ବୁଲିବାକୁ ଯାଉଛି- ଏହି ସବୁ କଥାରୁ ଜଣେ ବ୍ୟକ୍ତିଙ୍କ ସଫଳତା ନିର୍ଣ୍ଣୟ କରାଯାଉଛି । ଏଇ ପରିବେଶରେ, ଯେତେବେଳେ ଜଣେ ଯୁବକ ନିଜକୁ ସୀମିତ ଭୌତିକ ସମ୍ପତ୍ତି ମଧ୍ୟରେ ରଖିବାକୁ ଚିନ୍ତା କରେ, ସେତେବେଳେ ସେ ନିଜ ପରିଚୟକୁ ହିଁ ଦୁର୍ବଳ କରୁଥିବା ଅନୁଭବ କରେ ।

ସରଳ ଜୀବନଯାପନ ପ୍ରଗତିରେ ବାଧା ସୃଷ୍ଟି କରିପାରେ ବୋଲି ଆଜିର ଯୁବପିଢି ମନେ କରନ୍ତି । ମିନିମାଲିଜିମର ଆଉ ଏକ ସମସ୍ୟା ହେଉଛି ଏହାକୁ 'ତ୍ୟାଗ' ଭାବରେ ଦେଖାଯାଏ । କିନ୍ତୁ ପ୍ରକୃତରେ ଏହାର ଉଦ୍ଦେଶ୍ୟ ହେଉଛି ଜୀବନରେ ସନ୍ତୁଳନ । ତଥାପି, ଆଜିର ଭାଷାରେ ତ୍ୟାଗକୁ ପ୍ରାୟତଃ ଅସହାୟତା କିମ୍ବା ଦାରିଦ୍ର୍ୟ ସହ ଯୋଡ଼ି ଦିଆଯାଏ । ଯୁବପିଢ଼ି ଭାବନ୍ତି ଯେ ଯେତେବେଳେ ଦୁନିଆ ସମସ୍ତ ସୁବିଧା ଦେଉଛି, ସେମାନେ କାହିଁକି ପଛରେ ରହିବେ ? କାହିଁକି ସେମାନେ ଏପରି ଏକ ବିଚାରଧାରାକୁ ଆପଣାଇବେ ଯାହା ସେମାନଙ୍କୁ କିଛି ନ କରିବା, ନ କିଣିବା ଓ ଇଚ୍ଛା ନକରିବାକୁ ପରାମର୍ଶ ଦିଏ ? ତଥାପି, ଏହା ସତ୍ୟ ଯେ ଆଜିର ଯୁବପିଢ଼ି ମାନସିକ ଭାବରେ କ୍ଲାନ୍ତ ।