ରାଜ୍ୟର ପ୍ରଥମ ମହିଳା ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ ଗର୍ଗ, ୨୦୨୯ ମାର୍ଚ୍ଚ ଯାଏ ରହିବ କାର୍ଯ୍ୟକାଳ

NEWS7
military-action-against-pakistan-may-happen-before-monsoon

ଭୁବନେଶ୍ବର ୩୧।୧୨: ଚଳିତ ବର୍ଷର ଶେଷ ଦିନରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ ଗର୍ଗ । ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ୨୦୨୪ ଜୁଲାଇ ମାସରୁ ମୁଖ୍ୟ ଶାସନ ସଚିବ ଦାୟିତ୍ଵରେ ରହିଛନ୍ତି ମନୋଜ ଆହୁଜା । ବୁଧବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ । ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ନେବେ ଦାୟିତ୍ଵ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଉଛନ୍ତି ୧୯୯୧ ବ୍ୟାଚ୍ର ଆଇଏଏସ୍ ଅଫିସର ଅନୁ ଗର୍ଗ । ୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁ ଗର୍ଗଙ୍କ କାର୍ଯ୍ୟକାଳ ରହିବ ।

ସେପଟେ, ଅବସର ନେବେ ମୁଖ୍ୟମନ୍ତ୍ରୀ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟମନ୍ତ୍ରୀ ଶାସନ ସଚିବ ଭାବରେ ଆଜି ହେଉଛି ତାଙ୍କ ଶେଷ ଦିନ । ୨୦୨୪ ମଧ୍ୟ ଭାଗରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ମୁଖ୍ୟଶାସନ ସଚିବ ପଦ ସମ୍ଭାଳିଥିଲେ । ଜାନୁଆରୀ ୧, ୨୦୨୫ରେ ତାଙ୍କ କାର୍ଯ୍ୟକାଳକୁ ସରକାର ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିଥିଲେ । ବିଜେପି ସରକାର ନୂଆକରି ଆସିଥିବା ବେଳେ ପ୍ରଶାସନ କଳକୁ କିଭଳି ଭାବରେ ନୂଆ ଢାଞ୍ଚାରେ ନେବାକୁ ହେବ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ତାଙ୍କ କାର୍ଯ୍ୟକାଳ ଭିତରେ ତାଙ୍କର ପ୍ରଶାସନିକ ବ୍ୟବସ୍ଥାକୁ କିଭଳି ଭାବେ ଲକ୍ଷ୍ୟ ଭିତ୍ତିକ କରିବା ଏବଂ ସବୁ କ୍ଷେତ୍ରରେ କିଭଳି ଟେକ୍ନୋଲୋଜିର ବ୍ୟବହାର ହୋଇପାରିବ ସେ ଉପରେ ଗୁରୁତ୍ୱ ଦେଉଥିଲେ । ନୂଆ ସରକାର ଉପରେ ଲୋକଙ୍କ ଆଶା ଭରସା ଅଧିକ ରହିଥିଲା । କିଭଳି ଲୋକଙ୍କ ଆଶା ଆଙ୍କାକ୍ଷାକୁ ପୂର୍ଣ୍ଣ କରିବେ ସେ ଦିଗରେ ଦେଢ଼ ବର୍ଷେ ଧରି ପ୍ରୟାସ କରିଆସିଛନ୍ତି ।