LIVE TV

୧୦୦୦ ପାଇଲଟ୍...୧୯୭୧ ଯୁଦ୍ଧର ରିକ୍ରିଏସନ୍...ମିଗ୍-୨୧କୁ ଗ୍ରାଣ୍ଡ ବିଦାୟ ଦେବେ ବାୟୁସେନା

NEWS7
mig

ନୂଆଦିଲ୍ଲୀ: ଯୁଦ୍ଧ ବିମାନ ମିଗ୍-୨୧ର ବିଦାୟ ସମୟ ପାଖେଇ ଆସିଛି । ଛଅ ଦଶନ୍ଧିର ସେବା ପରେ ବାୟୁସେନାର ମିଗ୍-୨୧ ସେପ୍ଟେମ୍ୱର ୨୬ରେ ଚଣ୍ଡିଗଡ଼ରେ ଅବସର ନେବ । ବିଦାୟ ପ୍ରସ୍ତୁତି ସ୍ପଷ୍ଟ କରୁଛି, ଦୁନିଆର କୌଣସି ଏୟାରକ୍ରାଫ୍ଟକୁ ଏପରି ଫେରୱେଲ୍ ଦିଆଯାଇନଥିବ । ମିଗ୍-୨୧ ସବୁବେଳେ ବାୟୁସେନାକୁ ଗର୍ବିତ କରିଥିଲା । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧଠୁ ଆରମ୍ଭ କରି ଏୟାରଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୂରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି କାରଣରୁ ବାୟୁସେନା ବିଦାୟୀ ସମାରୋହକୁ ସ୍ୱତନ୍ତ୍ର କରିବାକୁ ଯାଉଛି । ଚଣ୍ଡିଗଡରେ ହେବାକୁ ଥିବା ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବେ ।

ଚଣ୍ଡିଗଡ଼ରେ ଅନୁଷ୍ଠିତ ଏହି ସମାରୋହରେ ବାୟୁସେନା ମିଗ୍-୨୧ ଉଡ଼ାଇଥିବା ପ୍ରାୟ ସମସ୍ତ ପାଇଲଟ୍‌ଙ୍କୁ ନିମନ୍ତ୍ରଣ କରିଛି । ହଜାରରୁ ଅଧିକ ପୂର୍ବତନ ବାୟୁସେନା ପାଇଲଟ୍ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ । ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ୨୩ତମ ମିଗ୍-୨୧ ସ୍କ୍ୱାର୍ଡନର ସ୍କ୍ୱାଡନ କମାଣ୍ଡିଂ ଅଫିସରଙ୍କ ନେତୃତ୍ୱରେ ଭିକ୍ଟ୍ରି ଫର୍ମାସନରେ ଉଡ଼ାଣ ସହିତ ଆରମ୍ଭ ହେବ । ଶେଷରେ, ମିଗ୍-୨୧ ବାଦଲ ଫର୍ମାସନରେ ଉଡ଼ାଣ କରିବ । ତେଜସ୍ ମଧ୍ୟ ସେମାନଙ୍କ ସହିତ ରହିବେ, ଯାହା ମିଗ୍-୨୧ର ଐତିହ୍ୟକୁ ଆଗକୁ ବଢାଇବ । ତେଜସ୍ ଏବେ ମିଗ୍-୨୧ର ସ୍ଥାନ ନେଇଛି ବୋଲି ବାର୍ତ୍ତା ମଧ୍ୟ ଦେବ ।

ଏହି ସମାରୋହରେ ୧୯୬୫ ଏବଂ ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ମିଗ୍-୨୧ ବିମାନ ଶତ୍ରୁକୁ ପାନେ ଦେବା ମୁହୂର୍ତ୍ତକୁ ପୁନର୍ଜୀବିତ କରାଯିବ । ସେତେବେଳେ ଲଢ଼ୁଆ ବିମାନରେ ନିୟନ୍ତ୍ରଣ ରାଡାରର ଅଭାବ ଥିଲା; ରେଡିଓ ମାଧ୍ୟମରେ ସନ୍ଦେଶ ଦିଆଯାଉଥିଲା । ଏହାପରେ ବିମାନ ଶତ୍ରୁ ଉପରେ ଆକ୍ରମଣ କରୁଥିଲା । ଚଣ୍ଡିଗଡ଼ ସମାରୋହରେ ମଞ୍ଚ ସମ୍ମୁଖରେ ଏକକାଳୀନ ଛଅଟି ମିଗ୍-୨୧ ବିମାନ ଅବତରଣ କରିବ ଏବଂ ସ୍ୱିଚ୍ ଅଫ୍ କରିବ । ମିଗ୍-୨୧ର ୨୩ତମ ସ୍କ୍ୱାର୍ଡନର କମାଣ୍ଡିଂ ଅଫିସର ବାୟୁସେନା ମୁଖ୍ୟଙ୍କୁ ଫର୍ମ ୭୦୦ ପୁସ୍ତକ ପ୍ରଦାନ କରିବେ । ଏହା ମିଗ୍-୨୧ର ଶେଷ ବିଦାୟ ହେବା ସହ ଇତିହାସର ଏକ ଅଂଶ ହୋଇଯିବ । ଚଣ୍ଡିଗଡ଼ରୁ ଏହି ବିମାନ ଆସିଥିବାରୁ ବିଦାୟ ପାଇଁ ମଧ୍ୟ ଏହି ସ୍ଥାନକୁ ଚୟନ କରାଗଲା ।