ଗହମ ବିକି କିଣିଥିଲେ ଟିକେଟ୍, ବାତିଲ ହୋଇଗଲା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍...ଏବେ ମାଗୁଛନ୍ତି ପଇସା

NEWS7
men-ate-roasted-snake-during-liquor-party-in-rajasthan

ନୂଆଦିଲ୍ଲୀ, ୧୮/୧୨: ରବ୍ଦ ହୋଇଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି୨୦ ମୁକାବିଲା । ଲକ୍ଷ୍ନୌରେ ମ୍ୟାଚ୍ ଖେଳାଯାଇଥାନ୍ତା । କିନ୍ତୁ ଘନ କୁହୁଡି ପାଇଁ ଏହାକୁ ବାତିଲ କରିଦିଆଯାଇଛି । ଯାହାକୁ ନେଇ ଫ୍ୟାନ୍ସ ଖପ୍ପା । ଦୂର ଦୂରାନ୍ତରରୁ ଆସିଥିବା ପ୍ରଶଂସକମାନେ ମ୍ୟାଚ୍ ବାତିଲ ପରେ ଟିକେଟ୍ ଟଙ୍କା ଫେରସ୍ତ କର ବୋଲି ଦାବି କରିଛନ୍ତି ।

ସୂଚନାନୁସାରେ, ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି୨୦ ମୁକାବିଲା ଖେଳାଯାଇଥାନ୍ତା । ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ବୁଧବାରର ମୁକାବିଲା ଜିତି ଟିମ୍ ଇଣ୍ଡିଆ ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିଥିଲା । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ବିଜୟ ହୋଇ ବରାବର କରିବା ପାଇଁ ପ୍ରୟାସ କରିଥାନ୍ତା । କିନ୍ତୁ କୁହୁଡି ଉଭୟ ଦଳର ଆଶାକୁ ଅଧୁରା ରଖି ଦେଇଛି ।

 

ମୁକାବିଲା ଆରମ୍ଭରୁ ହିଁ ବିଳମ୍ବିତ ହୋଇଥିଲା । ପ୍ରଥମେ ଟସ୍ ରେ ବିଳମ୍ବ ହୋଇଥିଲା । ପଡିଆରେ ଅନେକ ଖେଳାଳି ମାସ୍କ ପିନ୍ଧି ବୁଲୁଥିବା ନଜର ଆସିଥିଲେ । ସେପଟେ କିନ୍ତୁ ମ୍ୟାଚ୍ ଦେଖିବା ପାଇଁ ଭରପୁର ଥିଲା ଦର୍ଶକ ଗ୍ୟାଲେରୀ । ଆଖପାଖ ରାଜ୍ୟରୁ ମଧ୍ୟ ଲୋକେ ଆସିଥିଲେ । ତେବେ ମୁକାବିଲା ବାତିଲ ହେଲା ପରେ ସେମାନେ ଅସନ୍ତୋଷ ଜାହିର କରିଛନ୍ତି ।

ଭାଇରାଲ ହେଉଥିବା ଷ୍ଟାଡିୟମର କିଛି ଭିଡିଓରେ ଦେଖିବାକୁ ମିଳିଛି ଯେ, ଫ୍ୟାନ୍ସ ନିଜ ଟିକେଟ୍ ଦେଖାଇ ଅଧିକାରୀଙ୍କଠୁ ଟଙ୍କା ଫେରସ୍ତ ପାଇଁ ଦାବି କରୁଛନ୍ତି । ଜଣେ ପ୍ରଶଂସକ କହିଛନ୍ତି ଯେ, ସେ ତିନି ଥର ଗହମ ବିକି ଟଙ୍କା ରଖିଥିଲେ । ସେହି ଟଙ୍କାରେ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ କ୍ରୟ କରିଥିଲେ । ତେଣୁ ତାଙ୍କୁ ଟଙ୍କା ଫେରସ୍ତ କରାଯିବା ଦରକାର ବୋଲି ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ମ୍ୟାଚ୍ ୭ଟାକୁ ହୋଇଥାନ୍ତା । ୬ଟା ୩୦ରେ ଟସ୍ ପଡିଥାନ୍ତା । କିନ୍ତୁ ଏହା ପୂର୍ବରୁ ଏକାନା ଷ୍ଟାଡିୟମରେ କୁହୁଡିର ଚାଦର ଢାଙ୍କି ହୋଇ ରହିଥିଲା । ସମୟ ବିତିବା ସହ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା । ଅମ୍ପାୟାର ୬ଟା୩୦ରେ ନିରୀକ୍ଷଣ କରି ଟସ୍ ଘୁଞ୍ଚାଇଥିଲେ । କିନ୍ତୁ ରାତି ୯ଟା ଯାଏଁ ସ୍ଥିତି ନସୁଧୁରିବାରୁ ଶେଷରେ ମ୍ୟାଚ୍ ବାତିଲ ହୋଇଥିଲା ।