ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ବିବାହିତ ମହିଳା ଆଣିପାରିବେନି ଅଭିଯୋଗ; ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ

Published By : Prameya-News7 Bureau | September 28, 2024 IST

ମୁମ୍ୱାଇ: ବମ୍ୱେ ହାଇକୋର୍ଟ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମର ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ବିବାହିତ ମହିଳା କୌଣସି ବ୍ୟକ୍ତି ବିରୋଧରେ ବିବାହ ପ୍ରତିଶ୍ରୁତ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିପାରିବେ ନାହିଁ । ଜଷ୍ଟିସ୍ ମନୀଷ ପିତାଲେଙ୍କ ସିଙ୍ଗିଲ୍ ଜଜ୍ ବେଞ୍ଚ୍ ଦୁଷ୍କର୍ମ ମାମଲାରେ ଗିରଫ ପୁଣେର ଯୁବକକୁ ଜାମିନ ପ୍ରଦାନ କରି ଏହି ଟିପ୍ପଣୀ କରିଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ ପ୍ରଥମ କଥା ହେଉଛି ମହିଳା ପୂର୍ବରୁ ବିବାହିତ ତେଣୁ ଅନ୍ୟ କୌଣସି ବ୍ୟକ୍ତି ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଦାବି କରିପାରିବେ ନାହିଁ । ମହିଳା ଜାଣି ରଖିବା ଦରକାର ଯେ ସେ ବିବାହ କରିପାରିବେ ନାହିଁ । ଯଦି କୌଣସି ମାମଲାରେ ଅଭିଯୁକ୍ତ ବି ବିବାହିତ ହୋଇଥାଏ ତେବେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା କଥା ସଠିକ୍ ପ୍ରମାଣିତ ହେଉ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ବିଶାଳ ନାଗନାଥ ସିନ୍ଦେ ନାମକ ଜଣେ ବ୍ୟକ୍ତି ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ସେ ନିଜେ ମଧ୍ୟ ବିବାହିତ । ମହିଳାଙ୍କ କହିବା କଥା ଯେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହେଲା ଏବଂ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ନାଗନାଥ ଦୁଷ୍କର୍ମ କରିଥିଲା ଏବଂ ଭିଡିଓ ଭାଇରାଲ କରିବା ଧମକ ଦେଇଥିଲା । ଅନ୍ୟପଟେ କୋର୍ଟ କହିଛନ୍ତି ଯେ ନାଗନାଥଙ୍କ ସେଭଳି କିଛି ଭିଡିଓ ଥିବା ପ୍ରମାଣ ମିଳି ନାହିଁ ।

ଅନ୍ୟପଟେ ନାଗନାଥଙ୍କ ଓକିଲ କୋର୍ଟରେ କହିଥିଲେ ଯେ ତାଙ୍କ କ୍ଲାଇଣ୍ଟ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । କୋର୍ଟ ସିନ୍ଦେଙ୍କୁ ଆଦେଶ ଦେଇ ପୋଲିସ ଡାକରାରେ ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତଦନ୍ତ ପାଇଁ ନିଜ ମୋବାଇଲ ଫୋନ ଜମା କରିବାକୁ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.