ମାଓବାଦୀଙ୍କ ବର୍ବରତା, ଘରୁ ଘୋଷାଡ଼ି ବିଜେପି ନେତାଙ୍କୁ କଲେ ହତ୍ୟା

Published By : Prameya-News7 Bureau | December 11, 2024 IST

Indian Express

ରାୟପୁର: ଛତିଶଗଡ଼ରେ ମାଓବାଦୀଙ୍କ ଆତଙ୍କ ଥମିବାର ନାଁ ନେଉନି। ମଙ୍ଗଳବାର ରାତିରେ ବିଜାପୁର ଜିଲ୍ଲାରେ ଭାରତୀୟ ଜନତା ପାର୍ଟି(ବିଜେପି)ର ଜଣେ ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। ବିଜେପି ନେତା ପୋଲିସଙ୍କ ଇନଫର୍ମର ହୋଇଥିବା ଅଭିଯୋଗ କରି ମାଓବାଦୀ ତାଙ୍କ ହତ୍ୟା କରିଥିବା ଜଣା ଯାଇଛି।

ପୋଲିସର ସୂଚନା ଅନୁଯାୟୀ, ମାଓବାଦୀ ୩୫  ବର୍ଷୀୟ କୁଡିୟାମ ମାଡୋଙ୍କୁ ତାଙ୍କ ଘରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣିଥିଲେ ଏବଂ ତଣ୍ଟି ଚିପି ହତ୍ୟା କରିଛନ୍ତି। ବିଜେପି କୃଷକ ମୋର୍ଚ୍ଚାର ଉପ ସଭାପତି ଥିଲେ ମାଡୋ। ପୋଲିସ ଘଟଣାସ୍ଥଳରୁ ମାଓବାଦୀଙ୍କ ବିଜାପୁର ରାଷ୍ଟ୍ରୀୟ ଉଦ୍ୟାନ କ୍ଷେତ୍ର କମିଟି ଦ୍ଵାରା ଜାରି ବ୍ୟାନର ଜବତ କରିଛି। ମାଓବାଦୀଙ୍କ ବିରୋଧରେ ପୋଲିସ ଇନଫର୍ମର ହେବାରୁ କୁଡିୟାମ ମାଡୋଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି।

ସ୍ଥାନୀୟ ଫରସେଗଡ଼ ପୋଲିସ ମୃତଦେହ ଜବତ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରମଣ ସିଂଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମହେଶ ଗାଗଡ଼ ମୃତକ ବିଜାପୁର ଜିଲ୍ଲାର ନେତା ଥିଲେ। 

ଗାଗଡ଼ କହିଛନ୍ତି, ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ୍। କାରଣ ବସ୍ତରରେ ହତ୍ୟାର ଶିକାର ହୋଇଥିବା ଅଧିକାଂଶ ବିଜେପି ନେତା ହେଉଛନ୍ତି ବିଜାପୁର ଅଞ୍ଚଳର। ଏହି ଘଟଣା ସହିତ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ବସ୍ତରର ଅଲଗା ଅଲଗା ଜାଗାରେ ମାଓବାଦୀ ହିଂସାରେ ୬୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। 

ନିକଟରେ ବିଜାପୁରରେ ମାଓବାଦୀମାନେ ଅଙ୍ଗନଓ୍ଵାଡ଼ି ସହାୟିକାଙ୍କ ହତ୍ୟା କରିଥିଲେ।ହତ୍ୟା ପରେ ମୃତଦେହକୁ ଘରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.