LIVE TV

ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ବୟାନ, ଏବେ ହେବନି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ

NEWS7
manmohan

ସମ୍ବଲପୁର ୨୧।୦୯ : ଏବେ ହେବନି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ। ସମ୍ବଲପୁର ଗସ୍ତରେ ଆସି ଏପରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।  

ଖବର ଅନୁଯାୟୀ, ରାଜ୍ୟରେ ବିଜେପି ସରକାରକୁ ଯେବେଠୁ ବର୍ଷେ ପୂରଣ ହୋଇଛି । ସେବେଠୁ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । କେତେବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଉ କେତେବେଳେ ଚା ଖଟିରେ ଆଲୋଚନା ଚାଲିଛି । ଏପରିକି ଦଶହରା ପୂର୍ବରୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସମସ୍ତ ଚର୍ଚ୍ଚା ଓ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସମ୍ବଲପୁର ଗସ୍ତ ଅବସରରେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କୌଣସି ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର ସୂଚନା ନାହିଁ । ସେହିପରି ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ନିଗମ ଓ ବୋର୍ଡ ପାଇଁ ଯୋଜନା ଚାଲିଛି । କିଛି ବଡ଼ ନିଷ୍ପତ୍ତି ହେଲେ ଆପଣମାନଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ।

​​​​​​​

ରାଜ୍ୟରେ ବିଜେପି ସରକାର ଗଢିବା ଦିନ ଠାରୁ ନିଗମ ଓ ବୋର୍ଡର ସଭାପତି ଏବଂ ଅଧ୍ୟକ୍ଷ ପଦ ଖାଲିରହିଛି । ବାରମ୍ବାର ଏହି ପଦ ପୂରଣ ନେଇ ଚର୍ଚ୍ଚା -ଆଲୋଚନା ଚାଲୁଥିବା ବେଳେ  ଏବେ ଯାଏଁ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ସେହିପରି ରାଜ୍ୟରେ ୬ ମନ୍ତ୍ରୀପଦ ଖାଲିରହିଛି । ଯାହାଫଳରେ ଜଣେ ଜଣେ ମନ୍ତ୍ରୀ ଦୁଇଟି ବିଭାଗର କାର୍ଯ୍ୟଭାର ସମ୍ଭାଳୁଛନ୍ତି । ତେଣୁ ମନ୍ତ୍ରୀମଣ୍ଡଳ ଅଦଳବଦଳ କିମ୍ବା କିଛି ନୂଆ ମୁହାଁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ସବୁ ଥର ପରି ଏଥର ବି ରାଜ୍ୟ ସଭାପତି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି । ଦେଖାଯାଉ ହାତୀ କାହା ମୁଣ୍ଡରେ ସୁନାକଳସ ଢାଳୁଛି । କିଏ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ମୁଖିଆଙ୍କ ବିଶ୍ୱାସ ଭାଜନ ହୋଇପାରିବେ । ତାହା ଦେଖିବାକୁ ବାକି ରହିଛି । ​​​​​​​