ନୂଆଦିଲ୍ଲୀ: ଜନ ଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣର ଗୋଟିଏ ଦିନ ପରେ ଆଜି ପୁଣି ଏକ ଅପ୍ରୀତିକର ଘଟଣା ଘଟିଛି। ଗାନ୍ଧିନଗରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଏକ ଅଜବ ମାହୋଲ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁର୍ତ୍ତା ପିନ୍ଧି କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦେଖା ଦେଇଛି। ପୋଲିସ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଏକ ଭିଡିଓ ଜାରି କରିଛି। ଏଥିରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଧରି ନେଇ ଯାଉଥିବା ଦେଖିବାକୁ ମିଳିଛି। ଉଲ୍ଲେଖନୀୟ ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ତାଙ୍କ ଅଫିସରେ ଜନ ଶୁଣାଣି ସମୟରେ ହମଲା ହୋଇଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି।
ଆଜି ହୋଇଥିବା ହଙ୍ଗାମା ସମୟର ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି କୁର୍ତ୍ତା ପିନ୍ଧି କାର୍ଯ୍ୟକ୍ରମରେ ବ୍ୟବସାୟୀଙ୍କ ସହ ଯୁକ୍ତିତର୍କ କରିବା ସହ ନାରାବାଜି କରୁଛନ୍ତି। କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଯୁବକଙ୍କୁ କାର୍ଯ୍ୟକ୍ରମସ୍ଥଳର ଆଖପାଖରୁ ବାହାର କରି ଦେଇଛନ୍ତି।
#WATCH | Delhi | Police have caught two separate individuals who were suspected of creating a ruckus near the venue of an event being attended by Delhi CM Rekha Gupta in Gandhi Nagar pic.twitter.com/Iw2BFpJHFR
— ANI (@ANI) August 22, 2025
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗାନ୍ଧିନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଗାନ୍ଧିନଗର ମାର୍କେଟ୍ ଆସୋସିଏସନ ଦ୍ଵାରା ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି ଯେ, ତୁମର ମୁଖ୍ୟମନ୍ତ୍ରୀ ଦିଦି ଭୟ କରିବେ ନାହିଁ, ଥକିଯିବେ ନାହିଁ, ହାରିଯିବେ ନାହିଁ। ଯେପର୍ଯ୍ୟନ୍ତ ଦିଲ୍ଲୀ ତା’ର ଅଧିକାର ନପାଇଛି, ସେପର୍ଯ୍ୟନ୍ତ ସେ ତୁମ ସହିତ ଲଢେଇ କରିବେ। ପୋଲିସର କଡ଼ା ସୁରକ୍ଷା ସହ ମୁଖ୍ୟମନ୍ତ୍ରୀଙ୍କ ଗାନ୍ଧିନଗର କାର୍ଯ୍ୟକ୍ରମ ସମାପ୍ତ ହୋଇଛି।
ଏହା ପୂର୍ବରୁ ବୁଧବାର ଜଣେ ବ୍ୟକ୍ତି ଗୁପ୍ତାଙ୍କ ସିଭିଲ୍ ଲାଇନ୍ସ କାର୍ଯ୍ୟାଳୟରେ ଜନ ଶୁଣାଣି କାର୍ଯ୍ୟକ୍ରମ ସମୟରେ ତାଙ୍କ ଉପରେ ଛୁରୀ ଧରି ଆକ୍ରମଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହତ୍ୟା କରିବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର" ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଅଭିଯୁକ୍ତ ଜଣକ ଗୁଜରାଟର ରାଜକୋଟର ୪୧ ବର୍ଷୀୟ ସାକାରିଆ ରାଜେଶଭାଇ ଖିମଜୀଭାଇଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଯାଇଛି।