LIVE TV

କୋର୍ଟର ଶୁଣାଣିରେ ବ୍ୟକ୍ତିଙ୍କ ଅଜବ କାରନାମା :  ନିଶାପାନ କରି ଅନ୍ତଃବସ୍ତ୍ର ପିନ୍ଧି ହେଲେ ହାଜର

NEWS7
Delhi Police arrested Md Imran

ନୂଆଦିଲ୍ଲୀ – ଦିଲ୍ଲୀରେ କୋର୍ଟ କାର୍ଯ୍ୟରେ ବାଧା ଦେବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସ ଜଣେ ଏମିତି ହିଷ୍ଟ୍ରିସିଟରକୁ ଗିରଫ କରିଛି ,ଯିଏ ସିଗାରେଟ୍‌ ଓ ମଦ ପାନ କରିବା ସହ ଅନ୍ତଃବସ୍ତ୍ର ପିନ୍ଧି କୋର୍ଟର ଶୁଣାଣିରେ ହାଜର ହୋଇ ଥିଲେ। ଏହି ସମ୍ୱନ୍ଧରେ କୋର୍ଟର ରେକର୍ଡ କିପର ଅଭିଯୋଗ ରୁଜୁ କରାଇଛନ୍ତି।

ଦିଲ୍ଲୀ ପୁଲିସ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହେଉଥିବା କୋର୍ଟର ଶୁଣାଣିରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ସିଗାରେଟ ଓ ମଦ୍ୟପାନ କରି ଅନ୍ତଃବସ୍ତ୍ର ପିନ୍ଧି ଶୁଣାଣିରେ ହାଜର ହୋଇଥିଲେ। ପୁଲିସ କହିଛି ଯେ , ଗୋକୁଳପୁରୀ ନିବାସୀ ୩୨ ବର୍ଷିୟ ମହମ୍ମଦ ଇମ୍ରାନ ଜଣେ ହିଷ୍ଟ୍ରିସିଟର। ତାଙ୍କ ବିରୋଧରେ ଦିଲ୍ଲୀରେ ଲୁଟ୍‌,  ଛିନତାଇ ଓ ଅନ୍ୟାନ୍ୟ ଅପରାଧର ୫୦ରୁ ଅଧିକ ମାମଲା ରୁଜୁ ଅଛି। ତିସ୍‌ ହଜାରୀ କୋର୍ଟର ରେକର୍ଡ କିପର ଅଂଶୁଲ ସିଙ୍ଘଲଙ୍କର ଅଭିଯୋଗରେ  ୨୨ ସେପ୍ଟେମ୍ୱରରେ ମାମଲା ରୁଜୁ କରାଯାଇ ଥିଲା।

ନର୍ଥ ଦିଲ୍ଲୀର ଡିସିପି ରାଜା ବଣ୍ଠିଆ ଏକ ବୟାନରେ କହିଛନ୍ତି ଯେ,ଅଭିଯୋଗ ହୋଇଛି ଯେ, ୧୬ ଓ ୧୭ ସେପ୍ଟେମ୍ୱରରେ ଜଣେ ଅଜଣା ବ୍ୟକ୍ତି ଅକିବ ଅଖଲାକ ନାମରେ କୋର୍ଟର ଭିଡ଼ିଓ କନଫରେନ୍ସିଂରେ ସାମିଲ ହୋଇ ଥିଲେ। ସେ ସିଗାରେଟ ଓ ମଦ୍ୟପାନ କରି ଅନ୍ତଃବସ୍ତ୍ରରେ ନଜର ଆସି ଥିଲେ। ତାଙ୍କୁ ସେଠାରୁ ଯିବାକୁ ବାରମ୍ୱାର ନିର୍ଦ୍ଦେଶ ଦିଆଯିବ ପରେ ବି ସେ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ରହିଥିଲେ, ଯେଉଁଥିରେ କୋର୍ଟର କାର୍ଯ୍ୟରେ ସମସ୍ୟା ହୋଇଥିଲା।

ଏହାର ଅଭିଯୋଗ ପାଇବା ପରେ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି। ଆଇପି ଆଡ୍ରେସ୍‌ ଓ କଲ୍ ଡାଟା ରେକର୍ଡର ଯାଞ୍ଚରୁ ଜଣାପଡ଼ିଛି ଯେ, ସନ୍ଦିଗ୍ଧ ବ୍ୟକ୍ତି ଅନେକ ଫେକ୍‌ ଇମେଲ୍‌ ଆଇଡିର ବ୍ୟବହାର କରିଥିଲେ ଏବଂ ବାରମ୍ୱାର ସ୍ଥାନ ବଦଳାଉ ଥିଲେ।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ , ସ୍ଥାନୀୟ ଗୁଇନ୍ଦା ସୂଚନା ଓ ତଲାସୀ ମାଧ୍ୟମରେ ଟିମ୍‌ ଅଭିଯୁକ୍ତକୁ ପୁରୁଣା ମୁସ୍ତଫାବାଦ ସ୍ଥିତ ଚମନ ପାର୍କରୁ ଖୋଜି ପାଇଥିଲା। ଟିମ୍‌ ତାଙ୍କ ଘରୁ ତାଙ୍କୁ ଗିରଫ କରିଛି।

ପଚାର ପଚରି ବେଳେ ଇମ୍ରାନ ସ୍ୱୀକାର କରିଛନ୍ତି ଯେ, ତାଙ୍କୁ ୱେବଏକ୍ସ ଭିଡ଼ିଓ କନଫରେନ୍ସିଂ ପ୍ଲାଟଫର୍ମ ବିଷୟରେ ଜଣେ ପରିଚିତଙ୍କ ଠାରୁ ଜଣାପଡ଼ି ଥିଲା। ସେ ସ୍ୱୀକାର କରିଛନ୍ତି ଯେ, ଭର୍ଚୁଆଲ ଶୁଣାଣି ବେଳେ ସେ ଅନ୍ତଃବସ୍ତ୍ର ପିନ୍ଧି ଶୁଣାଣିରେ ସାମିଲ  ହୋଇଥିଲେ। ଏହି ସମୟରେ ସେ ସିଗାରେଟ ପିଇ ଥିଲେ ଏବଂ ନିଶା ସେବନ କରିଥିଲେ।

ପୁଲିସ ଅଭିଯୁକ୍ତ ଦ୍ୱାରା ଅପରାଧରେ  ବ୍ୟବହୃତ କରାଯାଇ ଥିବା ଗୋଟିଏ ମୋବାଇଲ ଫୋନ୍, ଗୋଟିଏ ସିମ୍‌ କାର୍ଡ ଓ ଗୋଟିଏ ରାଉଟର ଜବତ କରିଛି। ସ୍କୁଲ୍‌ ଛାଡ଼ି ଥିବା ଏବଂ ପୂର୍ବତନ ଏୟାର କଣ୍ଡିସନର ମେକାନିକ ଇମ୍ରାନ ପୂର୍ବରୁ ମଧ୍ୟ ଜେଲ୍‌ ଯାଇଥିଲେ। ସେପ୍ଟେମ୍ୱର୨୦୨୧ରେ ସେ ମୁକ୍ତ ହୋଇଥିଲେ। ମୁକ୍ତ ହେବା ପରେ ସେ ଡ୍ରଗ୍ସ ଓ ନିଶାପାନର ଇଚ୍ଛାକୁ  ପୂରା କରିବା ପାଇଁ ପୁଣି ଥରେ କ୍ରାଇମ୍‌ କରିଥିଲେ ବୋଲି ଅଭିଯୋଗ ହୁଏ।