ଇନ୍ଦୋର ୧।୮: ମାଲେଗାଁ ୨୦୦୮ ବିସ୍ଫୋରଣ ମାମଲାର ସାକ୍ଷୀ ଦିଲୀପ ପାଟିଦାର ରହସ୍ୟମୟ ଭାବେ ନିଖୋଜ ହେବାର ୧୭ ବର୍ଷ ବିତିଯାଇଛି। ହେଲେ ତାଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳୁ ନାହିଁ। ଏଣୁ ଇନ୍ଦୋରର ଏକ କୋର୍ଟ ତାଙ୍କ ପରିବାର ଲୋକଙ୍କ ନିବେଦନ ଅନୁସାରେ ପାଟିଦାରଙ୍କୁ ‘ସିଭିଲ ମୃତ୍ୟୁ’ ଘୋଷଣା କରିଛନ୍ତି। ପାଟିଦାରଙ୍କ ପରିବାରର ଜନୈକ ଓକିଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
‘ସିଭିଲ ମୃତ୍ୟୁ’ର ଅର୍ଥ ହେଉଛି ଯଦି କୌଣସି ବ୍ୟକ୍ତି ୭ ବର୍ଷ ବା ତାଠୁ ଅଧିକ ସମୟ ଧରି ନିଖୋଜ ରହନ୍ତି ଏବଂ ତାଙ୍କର କୌଣସି ଖୋଜ ଖବର ନ ମିଳେ ସେତେବେଳେ ଆଇନତଃ ତାଙ୍କୁ ମୃତଘୋଷଣା କରାଯାଏ। ଏହି ବ୍ୟକ୍ତିଙ୍କ ସମସ୍ତ ଅଧିକାର ସମାପ୍ତ ହୋଇ ଯାଇଥାଏ। ଏହା ଅପରାଧ ଅଥବା ବ୍ୟକ୍ତି ନିଖୋଜ ହେବା ସହିତ ବିଭିନ୍ନ ପରିସ୍ଥିତିରେ ହୋଇଥାଏ। ତେବେ ପାଟିଦାରଙ୍କ ପରିଜନଙ୍କ କହିବା କଥା ହେଉଛି ମହାରାଷ୍ଟ୍ର ପୋଲିସର ଆତଙ୍କବାଦ ନିରୋଧକ ସ୍କ୍ୱାର୍ଡ (ଏଟିଏସ୍) ମାଲେଗାଁ ବିସ୍ଫୋରଣ ମାମଲାରେ ପଚରା ଉଚରା ନିମନ୍ତେ ୨୦୦୮ ମସିହା ୧୦ ଓ ୧୧ ନଭେମ୍ବର ରାତିରେ ପାଟିଦାରଙ୍କୁ ନିଜ ସହ ନେଇ ଯାଇଥିଲେ। ଏ ପର୍ଯ୍ୟନ୍ତ ପାଟିଦାରଙ୍କ କୌଣସି ଆତାପତା ମିଳୁ ନାହିଁ।
ପାଟିଦାରଙ୍କ ପାରିବାରିକ ଓକିଲ ଦୀପକ ରାବଲ କହିଛନ୍ତି ଯେ ସମସ୍ତ ଉଦ୍ୟମ ସତ୍ତ୍ୱେ ପାଟିଦାରଙ୍କ ସମ୍ପର୍କରେ କୌଣସି ସୁରାଗ ମିଳି ପାରି ନାହିଁ। ଏଣୁ ଶେଷରେ ତାଙ୍କ ପରିବାର ପକ୍ଷରୁ ସ୍ଥାନୀୟ କୋର୍ଟରେ ମକଦ୍ଦମା ରୁଜୁ କରି ତାଙ୍କୁ ସିଭିଲ ମୃତ ଘୋଷଣା କରିବାକୁ ପଡିଛି। ପାଟିଦାରଙ୍କ ୨୧ ବର୍ଷ ବୟସ୍କ ପୁଅ ହିମାଂଶୁ କହିଛନ୍ତି ଯେ ମହାରାଷ୍ଟ୍ର ଏଟିଏସ୍ ର ପୋଲିସ କର୍ମଚାରୀମାନେ ଏହା କହି ତାଙ୍କ ପିତାଙ୍କୁ ସାଙ୍ଗରେ ନେଇ ଗଲେ ଯେ ତାଙ୍କୁ ସାକ୍ଷ ପାଇଁ ନିଆଯାଉଛି ଓ ବୟାନ ରେକର୍ଡ କରିବା ପରେ ଛାଡି ଦିଆଯିବ। ହେଲେ ଏହା ପରେ ସେ ଦ୍ୱିତୀୟ ବାର ଆଉ ଘରକୁ ଫେରି ନାହାନ୍ତି।
ପରେ ଏଟିଏସ ଅଧିକାରୀମାନେ କହିଥିଲେ ଯେ ସେମାନେ ମୋ ପିତାଙ୍କୁ ଛାଡି ଦେଇଛନ୍ତି ହେଲେ ଏଟିଏସ୍ ଏ ନେଇ ଏପର୍ଯ୍ୟନ୍ତ ଆମକୁ ମଜଭୁତ ସୂଚନା ଦେଉ ନାହିଁ। ପେଷାରେ ବିଦ୍ୟୁତ ମିସ୍ତ୍ରୀ ପାଟିଦାର ମାଲେଗାଁ ବିସ୍ଫୋରଣ ମାମଲାରେ ୱାଣ୍ଟେଡ ରାମଚନ୍ଦ୍ର କଲସାଙ୍ଗରା ଓରଫ ରାମଜୀଙ୍କ ସମ୍ପର୍କୀୟ ଥିଲେ। ସେ କଲସାଙ୍ଗରାଙ୍କ ଇନ୍ଦୋରସ୍ଥିତ ଘରେ ଭଡା ମଧ୍ୟ ରହୁଥିଲେ। କଲସାଙ୍ଗରାଙ୍କ ପୁଅ ଦେବବ୍ରତ କହିଛନ୍ତି ଯେ ପାଟିଦାରଙ୍କ ଭଳି ତାଙ୍କ ପିତାଙ୍କର ମଧ୍ୟ ଗତ ୧୭ ବର୍ଷ ହେଲା କୌଣସି ସନ୍ଧାନ ନାହିଁ।
ସେହିପରି ମାଲେଗାଁ ବିସ୍ଫୋରଣ ମାମଲାରେ ଅନ୍ୟତମ ୱାଣ୍ଟେଡ୍ ଅଭିଯୁକ୍ତ ସନ୍ଦୀପ ଡାଙ୍ଗେ ମଧ୍ୟ ୨୦୦୮ ମସିହାରୁ ନିଖୋଜ ଅଛନ୍ତି। ଡାଙ୍ଗେଙ୍କ ୮୮ ବର୍ଷ ବୟସ୍କ ପିତା ଇନ୍ଦୋରର ଲୋକମାନ୍ୟ ନଗରରେ ରହୁଛନ୍ତି। ସେ ବି ଲଗାତାର କହି ଆସୁଛନ୍ତି ଯେ ତାଙ୍କୁ ଏହି ମାମଲାରେ କିଛି ବି ଜଣା ନାହିଁ। ଏହି ବିସ୍ଫୋରଣ ମାମଲାରେ ମହାରାଷ୍ଟ୍ର ଏଟିଏସ୍ ମୋଟ ୧୨ ଜଣଙ୍କୁ ଗିରଫ କରିଥିଲା। ତେବେ କଲସାଙ୍ଗରା ଓ ଡାଙ୍ଗେଙ୍କୁ ପଳାତକ ଘୋଷଣା କରାଯାଇଥିଲା। ମାଲେଗାଁରେ ୨୯ ସେପ୍ଟେମ୍ବର ୨୦୦୮ରେ ଏକ ମସଜିଦ ସାମ୍ନାରେ ରଖାଯାଇଥିବା ମୋଟର ସାଇକେଲରେ ବିସ୍ଫୋରଣ ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୧୦୦ ରୁ ଅଧିକ ଲୋକେ ଆହତ ହୋଇଥିଲେ।