LIVE TV

ମୌସୁମୀରେ ସ୍ୱଭାବିକରୁ ୮% ଅଧିକ ମିଳିଛି ବର୍ଷା, ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ, ଜାଣନ୍ତୁ କାହିଁକି?

NEWS7
mahima-gadi-ucheda-at-joranda

ନୂଆଦିଲ୍ଲୀ ୨୬।୧୦: ଚଳିତବର୍ଷ ମେ ୨୪ ତାରିଖରେ ଦେଶକୁ ଆସିଥିବା ମୌସୁମୀ ଅକ୍ଟୋବର ୧୫ରେ  ଅପସରି ଯାଇଛି। ତେବେ ଏହା ପରେ ମଧ୍ୟ ଦେଶର ଅଲଗା ଅଲଗା ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଥର ମୌସୁମୀ ସ୍ୱଭାବିକରୁ ଦିନକ ପରେ ଦେଶରୁ ବିଦାୟ ନେଇଥିଲା। ଏହି ସମୟରେ ସାରା ଦେଶରେ ସ୍ୱଭାବିକରୁ ୮% ଅଧିକ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଅନୁସାରେ ୨୦୦୯ ମସିହା ପରେ ଚଳିତବର୍ଷ ଭାରତକୁ ଖୁବ୍ ଶୀଘ୍ର ମୌସୁମୀର ଆଗମନ ହୋଇଥିଲା। ଏହା ୨୩ ମେ ୨୦୦୯ରେ ଦେଶକୁ ପ୍ରବେଶ କରିଥିଲା।

ଚଳିତବର୍ଷ ମୌସୁମୀ କେବଳ ଦେଶକୁ ସଅଳ ଆସି ନଥିଲା ସ୍ୱଭାବିକ ତିଥିର ୯ ଦିନ ପୂର୍ବରୁ ସାରା ଦେଶକୁ ପ୍ରସରି ଯାଇଥିଲା। ତେବେ ଏହା ପୂର୍ବରୁ ମୌସୁମୀ ୨୬ ଜୁନ ୨୦୨୦ରେ ସାରା ଦେଶକୁ ବ୍ୟାପି ଯାଇଥିଲା। ଏମିତିରେ ମୌସୁମୀ ଦେଶକୁ ଜୁନ ୧ରେ କେରଳକୁ ପ୍ରବେଶ କରେ ଓ ଜୁଲାଇ ୮ ତାରିଖ ବେଳକୁ ସାରା ଦେଶକୁ ପ୍ରସରି ଯାଇଥାଏ। ସେହିପରି ସେପ୍ଟେମ୍ବର ୧୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଭାରତରୁ ଅପସରିବା ଆରମ୍ଭ କରିଥାଏ ଓ ଅକ୍ଟୋବର ୧୫ ତାରିଖ ବେଳକୁ ସମ୍ପୂର୍ଣ୍ଣ ବିଦାୟ ନେଇସାରିଥାଏ।

ଭାରତରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୌସୁମୀରେ ଏ ବର୍ଷ ୮୬୮.୬ ମିଲିମିଟର ସ୍ଥାନରେ ୯୩୭.୨ ମିଲିମିଟର ଅଧିକ ବର୍ଷା ହୋଇଛି, ଯାହା ସ୍ୱଭାବିକରୁ ପ୍ରାୟ ୮% ଅଧିକ। ତେବେ ଚଳିତମାସ ଆରମ୍ଭରେ ଆଇଏମଡି ଦେଶରୁ ଅକ୍ଟୋବରରେ ମୌସୁମୀ ଅପସରି ଯିବା ପରେ ମଧ୍ୟ ଉତ୍ତର-ପଶ୍ଚିମର କିଛି କ୍ଷେତ୍ରକୁ ଛାଡିଦେଲେ  ଦେଶର ଅଧିକତର ଅଞ୍ଚଳରେ ସ୍ୱଭାବିକରୁ ଅଧିକ ବର୍ଷା ହେବାର ସମ୍ଭାନା ରହିଛି ବୋଲି ପୂର୍ବାନୁମାନ କରିଥିଲେ। ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଜୁନ-ସେପ୍ଟେମ୍ବର ମୌସୁମୀ ବର୍ଷା ପରେ ମଧ୍ୟ ଅକ୍ଟୋବରରେ ବର୍ଷା ସ୍ୱଭାବିକରୁ ୧୫% ଅଧିକ ରହିବ।

ଡ. ମହାପାତ୍ର କହିଛନ୍ତି ଯେ ୨୦୨୫ ମୌସୁମୀରେ  ୨୦୦୧ ପରେ ସବୁଠୁ ଅଧିକ ଓ ୧୯୦୧ ପରେ ଷଷ୍ଠ ସବୁଠୁ ଅଧିକ ବର୍ଷା ହୋଇଛି। ସେ କହିଛନ୍ତି ଦେଶର ସବୁ ଜିଲ୍ଲାରେ ଜୁନ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଣୁ ପଞ୍ଜାବରେ ଦଶକର ସବୁଠୁ ବଡ଼ ବନ୍ୟା ଆସିଥିଲା। ସେହିପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା, ଅଚାନକ ବନ୍ୟା ଓ ଭୂ-ସ୍ଖଳନ ଖବର ଆସିଥିଲା। ଆଇଏମଡି ଅତିରିକ୍ତ ବର୍ଷାର ଶ୍ରେୟ ସକ୍ରିୟ ମୌସୁମୀକୁ ଦେଇଛନ୍ତି, ଯାହାକୁ ଦେଶରେ ଲଗାତାର ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସହଯୋଗ ମିଳିଥିଲା।

ଚଳିତବର୍ଷ ଅକ୍ଟୋବର ଆରମ୍ଭରୁ ଦେଶର ପର୍ବତ୍ୟାଞ୍ଚଳରେ ହୀମପାତ ଆରମ୍ଭ ହୋଇଗଲାଣି।  ଏଣୁ ଦିଲ୍ଲୀ ସମେତ ଉତ୍ତର ଭାରତୀୟ ରାଜ୍ୟରେ ଶୀତ ଋତୁର ଆଗମନ ହୋଇସାରିଲାଣି। ବର୍ଷା ଭଳି ଚଳିତବର୍ଷ ଶୀତ ମଧ୍ୟ ଅଧିକ ସମୟ ରହିବ ବୋଲି ଆଇଏମଡି ଆକଳନ କରିଛନ୍ତି। ଏହି ଅବଧିରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକରୁ ତଳକୁ ଖସି ପାରେ। ଦିଲ୍ଲୀ ସମେତ ଉତ୍ତର ଭାରତୀୟ ରାଜ୍ୟମାନଙ୍କ ରେ ଶୀତ ଦଶନ୍ଧୀର ସବୁଠୁ ଅଧିକ ହୋଇପାରେ। ଏଥିରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ପ୍ରବାହୀତ ହେବାକୁ ଥିବା ବାୟୁ ସହଯୋଗ କରିପାରେ। ତେବେ ଡିସେମ୍ବର ପର୍ଯ୍ୟନ୍ତ ପୃଥକ ପୃଥକ କାରଣ ପାଇଁ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱଭାବିକରୁ ଅଧିକ ବର୍ଷା ହୋଇପାରେ।