ଭୁବନେଶ୍ବର/ ପୁରୀ: ନିକଟରେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ। ଏହା ଦ୍ବାରା ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିପାରିବ। ହେଲେ ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ।
ସୋମବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସଂପୂର୍ଣ୍ଣ ଅଲଗା। କିନ୍ତୁ ମହାପ୍ରସାଦର ପବିତ୍ରତା ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି । କାରଣ ଅନଲାଇନରେ ମହାପ୍ରସାଦ ନିଆଗଲେ, ତାର ପବିତ୍ରତା ଅକ୍ଷୁର୍ଣ୍ଣ ରଖି ପାରିବେ ନାହିଁ ବୋଲି ସନ୍ଦେହ ରହିଛି। ତେଣୁ ମନ୍ଦିର ପ୍ରଶାସନ ଏବଂ ସରକାର ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ସହମତ ନାହାନ୍ତି। ଏଥିପାଇଁ ଅନଲାଇନରେ ମହାପ୍ରସାଦ ବିକ୍ରି ହେବ ନାହିଁ।
ଏହା ସହ ମନ୍ତ୍ରୀ କହିଛନ୍ତି ସମସ୍ତ ଭକ୍ତଙ୍କୁ ଅନୁରୋଧ, ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଆନ୍ତୁ। ମହାପ୍ରସାଦ ଅନଲାଇନ ବିତରଣ ହେଉନାହିଁ। ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସରକାର ରାଜି ନାହାନ୍ତି। ଅନ୍ୟ ମନ୍ଦିର ପ୍ରଶାସନକୁ ମଧ୍ୟ ଅନୁରୋଧ, ମନ୍ଦିର ପ୍ରସାଦକୁ ଅନଲାଇନରେ ହୋଟେଲ ଖାଦ୍ୟ ଭଳି ବିତରଣ କରନ୍ତୁ ନାହିଁ। ମନ୍ଦିର ଆସି ପ୍ରସାଦ ପାଇବା ହିନ୍ଦୁ ମନ୍ଦିରର ରୀତିନୀତି।