ମିର୍ଜାପୁର ୩୧।୧: ମହାକୁମ୍ଭ ଲାଗି ରେଳବାଇ ଲଗାତାର ପ୍ରୟାଗରାଜରୁ ଟ୍ରେନ ସଞ୍ଚାଳନ କରୁଛି। ପ୍ରତ୍ୟେକ ୪ ମିନିଟରେ ପ୍ରୟାଗରାଜରୁ ଗୋଟିଏ ଲେଖାଏଁ ଟ୍ରେନ ବାହାରୁଛି। ଏଥି ମଧ୍ୟରୁ ଏଠାରୁ ବାହାରିଥିବା ଏକ କୁମ୍ଭ ସ୍ପେଶାଲ ଟ୍ରେନକୁ ମିର୍ଜାପୁର ପର୍ଯ୍ୟନ୍ତ ନେବା ପରେ ଲୋକୋପାଇଲଟ (ଡ୍ରାଇଭର) ଟ୍ରେନକୁ ଛିଡା କରି ଓହ୍ଲାଇ ଯାଇଛନ୍ତି। ସେ ଅଧିକାରୀ ଓ କଣ୍ଟ୍ରୋଲକୁ ମ୍ୟାସେଜ କରି ଲଗାତାର ଡ୍ୟୁଟି କରୁଥିବାରୁ ଥକିପଡିବା ଯୋଗୁ ଟ୍ରେନ ଚଳାଇ ପାରୁନଥିବା କହି ଓହ୍ଲାଇ ଯାଇଛନ୍ତି।
ଲୋକୋ ପାଇଲଟଙ୍କ ମ୍ୟାସେଜ ମିଳିବା ପରେ ରେଳବାଇରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ରେଳବାଇ ସମନ୍ୱୟ କରି ଅନ୍ୟ ଡ୍ରାଇଭର ପଠାଇବା ପରେ ଟ୍ରେନ୍ ମିର୍ଜାପୁରରୁ ଆଗକୁ ଯାଇଛି। ତେବେ ନୂଆ ଡ୍ରାଇଭର ଆସିବା ପର୍ଯ୍ୟନ୍ତ ପାଖାପାଖି ୨ ଘଣ୍ଟା ବିଳମ୍ବ ହୋଇଥିଲା। ଏଥି ପାଇଁ ଯାତ୍ରୀଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡିଛି।
ସୂଚନା ଅନୁସାରେ ପ୍ରୟାଗରାଜ ରାମବାଗ ଷ୍ଟେସନରୁ ଶୁକ୍ରବାର ତୀର୍ଥଯାତ୍ରୀରେ ଭରା କୁମ୍ଭମେଳା ସ୍ପେଶାଲକୁ ନେଇ ଲୋକୋପାଇଲଟ ନଥୁଲାଲ ବାହାରିଥିଲେ। ମଧ୍ୟାହ୍ନ ଗୋଟାଏ ବାଜି ୧୫ ମିନିଟ୍ ରେ ଟ୍ରେନ ନିଗତପୁର ଷ୍ଟେସନରେ ପହଞ୍ଚିବାମାତ୍ରେ ଷ୍ଟେସନ ମାଷ୍ଟରଙ୍କୁ ମେମୋ ଦେଇ ଡ୍ରାଇଭର ଟ୍ରେନକୁ ଛିଡା କରି ଓହ୍ଲାଇଯାଇଥିଲେ। ଷ୍ଟେସନ ମାଷ୍ଟର ଏହାର ସୂଚନା ତୁରନ୍ତ ରେଳବାଇ କଣ୍ଟ୍ରୋଲଙ୍କୁ ଦେଇଥିଲେ। ଲୋକୋ ପାଇଲଟ ନାଥୁ ଲାଲଙ୍କ ଡ୍ୟୁଟି ସେତେବେଳକୁ ୧୬ ଘଣ୍ଟା ପୁରା ହୋଇସାରିଥାଏ। ଏଣୁ ସେ ଥକି ପଡିବା ସହ ଟ୍ରେନକୁ ଆଗକୁ ନେଇ ପାରିବେନି ବୋଲି କହିଥିଲେ।
ଏଥି ପାଇଁ ସେ କଣ୍ଟ୍ରୋଲକୁ ୧୬ ଘଣ୍ଟା ଡ୍ୟୁଟି କରିଥିବାର ଲେଖିକି ଦେଇଥିଲେ। ଏଥିରେ ମୁଁ ଏବେ ଥକି ପଡିଥିବା ଓ ଟ୍ରେନ ଆଗକୁ ଚଳାଇ ପାରିନଥିବା ଓ ଏଥି ପାଇଁ ଟ୍ରେନକୁ ଛାଡି ଯାଉଥିବା ବୋଲି ଉଲ୍ଲେଖ କରିଥିଲେ। ଟ୍ରେନ ଛିଡା ହୋଇ ରହିବାରୁ ଯାତ୍ରୀ ହଇରାଣ ହୋଇଥିଲେ। ଅନେକ ଯାତ୍ରୀ ଷ୍ଟେସନମାଷ୍ଟରଙ୍କ କ୍ୟାବିନକୁ ଯାଇ ଟ୍ରେନ ନ ଚାଲିବାର କାରଣ ପଚାରିଥିଲେ। ଏ ସମ୍ପର୍କରେ ସୂଚନା ମିଳିବାମାତ୍ରେ ବାରଣାସୀ ଜୋନ ଅପର ପୋଲିସ ମହାନିର୍ଦ୍ଦେଶକ ତୁରନ୍ତ ମିର୍ଜାପୁର ପୋଲିସ ଅଧିକ୍ଷକଙ୍କ ସହିତ କଥା ହୋଇଥିଲେ । ଏସପିଙ୍କ ନିର୍ଦ୍ଦେଶରେ କଛବା ପୋଲିସ ଷ୍ଟେସନକୁ ପହଞ୍ଚି ଯାତ୍ରୀଙ୍କୁ ବୁଝାସୁଝା କରିଥିଲେ ଓ ରେଳବାଇ ଅଧିକାରୀଙ୍କ ସହ କଥା ହୋଇ ଅନ୍ୟ ଲୋକପାଇଲଟ ମଗାଇଥିଲେ। ଲୋକପାଇଲଟ ପହଞ୍ଚିବା ପରେ ଅପରାହ୍ନ ପ୍ରାୟ ୩ଟା୨୫ରେ ଟ୍ରେନ ବାରଣାସୀ ବାହାରିଥିଲା।