LIVE TV

ସେପ୍ଟେମ୍ବର ୨୨ରୁ ଲାଗୁ ହେବ GST ସଂଶୋଧନ, ଶସ୍ତା ହେବକି ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର?

NEWS7
GST

ନୂଆଦିଲ୍ଲୀ ୧୯।୯: ସୋମବାର ସେପ୍ଟେମ୍ବର ୨୨ ତାରିଖରୁ ସାରା ଦେଶରେ ଲାଗୁ ହୋଇଯିବ ଜିଏସଟିର ନୂଆ ହାର। ଖାଦ୍ୟପଦାର୍ଥରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଅନେକ ସାମଗ୍ରୀ ଶସ୍ତା ହୋଇଯିବ। ଏଥିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଶସ୍ତା ହେବ କି ଏଲପିଜି? ଘରେ ଘରେ ବ୍ୟବହାରରେ ଆସୁଥିବା ଏଲପିଜି ଉପରେ ମଧ୍ୟ ଜିଏସଟି ଲାଗୁଛି। ତେବେ ଆସନ୍ତୁ ଜାଣିବା ନୂଆ ଜିଏସଟି ହାର ଲାଗୁ ହେବା ପରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବ କି ନାହିଁ?

ଗତ ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଏଲପିଜିକୁ ନେଇ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଣୁ ସେପ୍ଟେମ୍ବର ୨୨ରେ ଲାଗୁ ହେଉଥିବା ନୂଆ ଜିଏସଟି ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଣୁ ଘରୋଇ ଓ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ଯାହା ଥିଲା ତାହା ରହିବ। ଅର୍ଥାତ ସାଧାରଣ ଗ୍ରାହକଙ୍କୁ ଜିଏସଟି ହ୍ରାସ ଯୋଗୁ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାରର ରିହାତି ମିଳିବ ନାହିଁ।

ଘରୋଇ ସବସିଡି ଏଲପିଜି ସିଲିଣ୍ଡର ଉପରେ ପୂର୍ବରୁ ୫% ଜିଏସଟି ଲାଗୁ ହେଉଥିଲା। ସେହିପରି ଅଣ ସବସିଡି ସିଲିଣ୍ଡର ଉପରେ ମଧ୍ୟ ୫% ଜିଏସଟି ରହିଛି। କମର୍ସିଆଲ ଏଲପିଜି ସିଲିଣ୍ଡର ଯାହା ପ୍ରାୟତଃ ହୋଟେଲ, ଢାବା, ରେଷ୍ଟୋରାଣ୍ଟ ଓ ଇଣ୍ଡଷ୍ଟ୍ରିଆଲ ହିଟିଂ ନିମନ୍ତେ ଉପଯୋଗରେ ଆସିଥାଏ ତା ଉପରେ ଲାଗୁ ହେଉଥିବା ୧୮% ଜିଏସଟି ଅପରିବର୍ତ୍ତିତ ରହିଛି। ଏଣୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ମଧ୍ୟ ସେପ୍ଟେମ୍ବର ୨୨ ପରେ ସମାନ ଦରରେ ଉପଲବ୍ଧ ହେବ ଯାହା ପୂର୍ବରୁ ଥିଲା।

ଉଲ୍ଲେଖଯୋଗ୍ୟ ଯେ ଜିଏସଟି କାଉନସିଲ ମିଟିଂରେ ଡେଲି ନିଡସ୍ ଏଫଏମସିଜିରୁ ଆରମ୍ଭ କରି ହେଲଥ ସମ୍ପର୍କିତ ପ୍ରଡକ୍ଟସ, ଏଜୁକେସନ, ଇଲକ୍ଟ୍ରୋନିକ୍ସ, ଏଗ୍ରିକଲଚର ଇକ୍ୱିପମେଣ୍ଟସ୍, ବୀମା ଓ ଅଟୋମୋବାଇଲ ପର୍ଯ୍ୟନ୍ତ ଅନେକ ସାମଗ୍ରୀ ଉପରେ ଜିଏସଟି ହ୍ରାସ ଘୋଷଣା ହୋଇଛି। ବୈଠକର ନିଷ୍ପତ୍ତି ଅନୁସାରେ ଏବେ ଜିଏସଟିର ମାତ୍ର ୨ଟି ସ୍ଲାବ ରହିବ ୫ ଓ ୧୮%। ତେବେ ପୂର୍ବରୁ ଥିବା ୧୨ ଓ ୨୮%କୁ ସମାପ୍ତ କରିଦିଆଯାଇଛି। ଏହି ପରିବର୍ତ୍ତନ ପରେ ଦେଶରେ ଅନେକ ସାମଗ୍ରୀ ଶସ୍ତା ହୋଇଯିବ ବୋଲି ଆକଳନ କରାଯାଉଛି।