News7 Logo

ପାହାଡ଼ ଉପରେ ଗୋବର୍ଦ୍ଧନ ପୂଜା କରୁଥିଲେ ଗାଁ ଲୋକ, ଆକାଶରୁ ଖସିଲା ବିଜୁଳି; ୩୦ ଆହତ

NEWS7
hospital

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପରା ପଞ୍ଚାୟତ ଅନ୍ତର୍ଗତ ଜରାଛାଟ ଗ୍ରାମରେ ବଡ଼ ଧରଣର ଅଘଟଣ ଘଟିଛି । ଶନିବାର ଚିତ୍ରକୁଟ ପର୍ବତ ଉପରେ ଗିରି ଗୋବର୍ଦ୍ଧନ ପୂଜା ଚାଲିଥିବା ବେଳେ ହଠାତ୍ ବର୍ଷା ସହ ପ୍ରବଳ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ 30ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ନିକଟସ୍ଥ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା, କୋଶଳା ଓ କଣିହାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ପ୍ରତିବର୍ଷ ରାମନବମୀ ଓ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଚିତ୍ରକୂଟ ପାହାଡରେ ଗିରି ଗୋବର୍ଦ୍ଧନ ପୂଜା ହୋଇଥାଏ । ବର୍ଷା ହେବା ପାଇଁ ଓ ବିଭିନ୍ନ ଚର୍ମ ରୋଗରୁ ମୁକ୍ତି ପାଇଁ ଶ୍ରଦ୍ଧାଳୁ ଓ ମାନସିକଧାରୀ ପୂଜାରେ ଯୋଗ ଦେଇଥାନ୍ତି । ଆଜି ପୂଜାରେ ଟିକିରା ନଦୀରୁ ପୁରୁଷ ଓ ମହିଳାମାନଙ୍କ ଦ୍ଵାରା କଳସ ଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । ପୂଜାରେ ଜରାଛାଟ, କଙ୍କଡ଼ାଝରଣ, ବୁଲ ଗ୍ରାମ ସହ ନିକଟସ୍ଥ ଗାଁର ଭକ୍ତମାନେ ଉପସ୍ଥିତ ଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ହଠାତ ପୂଜା ସ୍ଥଳ ନିକଟରେ ବଜ୍ରପାତ ଯୋଗୁଁ ଉପସ୍ଥିତ ସମସ୍ତେ ଛିଟିକି ହୋଇ ପଡ଼ିଥିଲେ । ୩୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅଚେତ ହୋଇ ପଡ଼ିଥିଲେ । ଉପସ୍ଥିତ ଅନ୍ୟ ଗ୍ରାମବାସୀ ଅସୁସ୍ଥମାନଙ୍କୁ ଛେଣ୍ଡିପଦା,କୋଶଳା ଓ କଣିହାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ରମା ସାହୁ (୫୦) ନାମକ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।