ସମୟର କାନଭାସରେ କିଛି ଚିତ୍ର ଏମିତି ଆଙ୍କି ହୋଇଯାଏ, ଯାହାକୁ ମୃତ୍ୟୁ ବି ଲିଭାଇ ପାରେନାହିଁ। କିଛି ସ୍ୱର ଏତେ ଗଭୀର ହୋଇଥାଏ ଯାହା ପବନରେ ଚିରଦିନ ପାଇଁ ଗୁଞ୍ଜରିତ ହେଉଥାଏ। ହେଲେ ଆଜି, ସେହି ପବନ ବି ଟିକେ ଥମିଯାଇଛି। ଆମ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ମହାନ କଣ୍ଠଶିଳ୍ପୀ, ମେଲୋଡି Queen ଆଶା ଭୋସଲେ। 

ଗତ କିଛି ଦିନ ହେବ ସେ ହୃତପିଣ୍ଡରେ ସଂକ୍ରମଣ ଏବଂ ଅତ୍ୟଧିକ କ୍ଲାନ୍ତି ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସାରା ଦେଶ ତାଙ୍କ ଆରୋଗ୍ୟ କାମନା କରୁଥିଲା, କିନ୍ତୁ ଶେଷରେ ଏକ ହୃଦଘାତ…ଆଉ ସବୁଦିନ ପାଇଁ ନୀରବି ହୋଇଗଲା ସେହି କଣ୍ଠର ଯାଦୁଗରୀ, ତାଙ୍କର ଏହି ବିଦାୟ କେବଳ ଏକ ବ୍ୟକ୍ତିବିଶେଷଙ୍କର ନୁହେଁ, ବରଂ ଗୋଟିଏ ସମ୍ପୂର୍ଣ୍ଣ ସାଙ୍ଗୀତ ଯୁଗର ଅନ୍ତ।

ଅତୀତର ପୃଷ୍ଠା, ପିଲାଦିନ ଓ ଝଡ଼ର ଆରମ୍ଭ

୮ ସେପ୍ଟେମ୍ବର ୧୯୩୩ ମସିହା... ମହାରାଷ୍ଟ୍ରର ସାଙ୍ଗଲି ଅଞ୍ଚଳରେ ଥିବା 'ଗୋଆର' ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ 'ଆଶା ମଙ୍ଗେସକର'। ପିତା ପଣ୍ଡିତ ଦୀନାନାଥ ମଙ୍ଗେସକର ଥିଲେ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଓ ମରାଠୀ ଥିଏଟର କଳାକାର। ତେଣୁ ରକ୍ତରେ ହିଁ ମିଶି ରହିଥିଲା ସଙ୍ଗୀତ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଦେଖନ୍ତୁ, ଯେତେବେଳେ ଆଶାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା, ପିତା ଦୀନାନାଥଙ୍କର ଦେହାନ୍ତ ହୋଇଗଲା। ଛୋଟ ପରିବାର ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଥିଲା। ପରିବାରକୁ ପୋଷିବା ପାଇଁ ସେମାନେ ପୁଣେରୁ କୋହ୍ଲାପୁର ଏବଂ ପରେ ମୁମ୍ବାଇ ଆସିଥିଲେ। ବାଧ୍ୟ ହୋଇ ଦୁଇ ଭଉଣୀ ଲତା ମଙ୍ଗେସକର ଓ ଆଶା ଅତି କମ୍ ବୟସରୁ ଗୀତ ଗାଇବା ଏବଂ ଅଭିନୟ କରିବା ଆରମ୍ଭ କଲେ। ୧୯୪୩ ମସିହାରେ ମରାଠୀ ଫିଲ୍ମ 'ମାଝା ବାଲ୍' ରେ 'ଚଲା ଚଲା ନବ ବାଲା' ଥିଲା ତାଙ୍କର ପ୍ରଥମ ରେକର୍ଡିଂ। ଆଉ ୧୯୪୮ ମସିହାରେ 'ଚୁନରିୟା' ଫିଲ୍ମରେ 'ସାୱନ୍ ଆୟା' ଗୀତରେ ସେ ହିନ୍ଦୀ ସିନେମାରେ ପାଦ ଥାପିଥିଲେ।"

କଣ୍ଟକିତ ରାସ୍ତା

"ଆଶା ଭୋସଲେ କେବଳ ନିଜ ଗୀତରେ ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ ଖୁବ୍ ସ୍ପଷ୍ଟବାଦୀ ଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ସେ ୩୧ ବର୍ଷୀୟ ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେ। ଏହି ନିଷ୍ପତ୍ତି ପାଇଁ ତାଙ୍କୁ ନିଜ ମଙ୍ଗେସକର ପରିବାରଠାରୁ ଅନେକ ଦିନ ଧରି ଦୂରେଇ ରହିବାକୁ ପଡ଼ିଥିଲା।

ସେହି ସମୟଟା ତାଙ୍କ ପାଇଁ ସହଜ ନଥିଲା। ଏପଟେ ଛୋଟ ପିଲାଙ୍କ ଦାୟିତ୍ୱ ଆଉ ଅନ୍ୟପଟେ କ୍ୟାରିଅର୍ ଗଢ଼ିବାର ସଂଘର୍ଷ। ୧୯୪୦ ଓ ୫୦ ଦଶକରେ ହିନ୍ଦୀ ସିନେମାରେ ଗୀତା ଦତ୍ତ, ଶମଶାଦ୍ ବେଗମ୍ ଏବଂ ତାଙ୍କ ନିଜ ବଡ଼ ଭଉଣୀ ଲତା ମଙ୍ଗେସକରଙ୍କ ଏକତରଫା ରାଜୁତି ଚାଲିଥିଲା। ବଡ଼ ବଡ଼ ଫିଲ୍ମର ହିରୋଇନ୍ଙ୍କ ପାଇଁ ଗାଇବାକୁ ଆଶାଙ୍କୁ ସୁଯୋଗ ମିଳୁନଥିଲା। ସେହି ସମୟରେ ଯେଉଁ ଗୀତଗୁଡ଼ିକୁ ପ୍ରତିଷ୍ଠିତ ଗାୟିକାମାନେ ପ୍ରତ୍ୟାଖ୍ୟାନ କରୁଥିଲେ, ଯେପରିକି- କମ୍ ବଜେଟ୍ ଫିଲ୍ମ, ସହ-ଅଭିନେତ୍ରୀ କିମ୍ବା ଖଳନାୟିକାଙ୍କ ଗୀତ, ସେହି ସବୁ ଗୀତ ଗାଇବାକୁ ବାଧ୍ୟ ହେଉଥିଲେ ଆଶା ଜୀ। କିନ୍ତୁ ସେ କେବେ ହାର୍ ମାନିନଥିଲେ।"

କ୍ୟାରିଅର ନୂଆ ମୋଡ଼ ଓ ସଫଳତାର ଶୀର୍ଷ

" କଠିନ ପରିଶ୍ରମ ଶେଷରେ ରଙ୍ଗ ଆଣେ…ସେହିପରି। ବିମଲ ରୟଙ୍କ ଫିଲ୍ମ 'ପରିଣୀତା' ଏବଂ ରାଜ କପୁରଙ୍କ 'ବୁଟ୍ ପଲିସ୍' ତାଙ୍କୁ ଦର୍ଶକଙ୍କ ମଧ୍ୟରେ ପରିଚିତ କରାଇଲା। କିନ୍ତୁ ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିଲା ସଙ୍ଗୀତ ନିର୍ଦ୍ଦେଶକ ଓ.ପି. ନାୟରଙ୍କ ସହ ଯୋଡ଼ି ହେବା ପରେ। ୧୯୫୭ ମସିହାର ବି.ଆର ଚୋପ୍ରାଙ୍କ ଫିଲ୍ମ 'ନୟା ଦୌର୍' ଆଶା ଭୋସଲେଙ୍କ ଭାଗ୍ୟ ବଦଳାଇ ଦେଲା। ମହମ୍ମଦ ରଫିଙ୍କ ସହ ତାଙ୍କର ଡୁଏଟ୍ ଗୀତ 'ମାଙ୍ଗ୍ କେ ସାଥ୍ ତୁମ୍ହାରା' ଏବଂ 'ଉଡେଁ ଜବ୍ ଜବ୍ ଜୁଲଫେଁ ତେରୀ' ସୁପରହିଟ୍ ହେଲା। ପ୍ରଥମ ଥର ପାଇଁ ସେ ଗୋଟିଏ ଫିଲ୍ମର ମୁଖ୍ୟ ନାୟିକାଙ୍କ ପାଇଁ ସବୁ ଗୀତ ଗାଇବାର ସୁଯୋଗ ପାଇଥିଲେ।

ତା'ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଅନେକ ଫିଲ୍ମରେ ତାଙ୍କର ସ୍ୱର ଜାଦୁ କରିଥିଲା।"

ଆର.ଡି. ବର୍ମନ ଓ ଆଶାଙ୍କ ବହୁମୁଖୀ ସ୍ୱର

"୧୯୬୦ ଓ ୭୦ ଦଶକରେ ସଙ୍ଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନଙ୍କ ସହ କାମ କରିବା ଆରମ୍ଭ କଲେ, ଭାରତୀୟ ସଙ୍ଗୀତରେ ଏକ ନୂଆ ଯୁଗର ଆରମ୍ଭ ହେଲା। ୧୯୬୬ର ଫିଲ୍ମ 'ତୀସ୍ରୀ ମଞ୍ଜିଲ୍'ର କଥା କିଏ ବା ଭୁଲିପାରିବ? କୁହାଯାଏ, ଯେତେବେଳେ ଆଶା ଜୀ ପ୍ରଥମେ 'ଆଜା ଆଜା ମୈଁ ହୁଁ ପ୍ୟାର୍ ତେରା' ଗୀତଟି ଶୁଣିଥିଲେ, ସେ ଡରିଯାଇଥିଲେ କାରଣ ଟ୍ୟୁନ୍ଟି ବହୁତ୍ ୱେଷ୍ଟର୍ଣ୍ଣ ଥିଲା। କିନ୍ତୁ ସେ ଏହାକୁ ଏକ ଚ୍ୟାଲେଞ୍ଜ୍ ଭାବେ ଗ୍ରହଣ କଲେ, ୧୦ ଦିନ ଧରି ରିହର୍ସଲ୍ କଲେ, ଆଉ ତା'ପରେ ସେହି ଗୀତ ଇତିହାସ ରଚିଲା।

'ପିୟା ତୁ ଅବ୍ ତୋ ଆଜା' ହେଉ କିମ୍ବା ଡନ୍ ଫିଲ୍ମର 'ୟେ ମେରା ଦିଲ୍'... ଆଶା ଜୀଙ୍କ ବିନା ଏହି ଗୀତଗୁଡ଼ିକର କଳ୍ପନା ଅସମ୍ଭବ। ଆର.ଡି. ବର୍ମନଙ୍କ ସହ ଏହି ସାଙ୍ଗୀତିକ ସମ୍ପର୍କ ପରେ ବିବାହରେ ପରିଣତ ହୋଇଥିଲା।"

ନିରନ୍ତର ପରୀକ୍ଷଣ ଏବଂ ପୁରସ୍କାର

"ଆଶା ଭୋସଲେ କେବଳ ଗୋଟିଏ ଶୈଳୀରେ ସୀମିତ ନଥିଲେ। ୧୯୮୧ରେ ଯେତେବେଳେ ସେ 'ଉମ୍ରାଓ ଜାନ୍' ପାଇଁ ଗଜଲ୍ ଗାଇଲେ, ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ତାଙ୍କ ସ୍ୱରର ସ୍କେଲ୍କୁ ଟିକେ ତଳକୁ କରିଦେଇଥିଲେ। ଆଉ ସୃଷ୍ଟି ହେଲା 'ଦିଲ୍ ଚୀଜ୍ କ୍ୟା ହୈ' ଏବଂ 'ଇନ୍ ଆଖୋଁ କି ମସ୍ତି କେ' ଭଳି ଅମର ଗଜଲ୍, ଯାହା ତାଙ୍କୁ ଦେଇଥିଲା ତାଙ୍କ ଜୀବନର ପ୍ରଥମ ନ୍ୟାସନାଲ୍ ଆୱାର୍ଡ ।

ବୟସ ତାଙ୍କ ପାଇଁ କେବଳ ଏକ ସଂଖ୍ୟା ଥିଲା। ୧୯୯୫ ରେ, ୬୨ ବର୍ଷ ବୟସରେ ସେ ଏ.ଆର୍ ରେହମାନଙ୍କ ସଙ୍ଗୀତରେ 'ରଙ୍ଗିଲା' ଫିଲ୍ମରେ ଗାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ୨୦୧୩ ରେ, ୭୯ ବର୍ଷ ବୟସରେ ସେ 'ମାଇ' (Mai) ଚଳଚ୍ଚିତ୍ର ମାଧ୍ୟମରେ ମୁଖ୍ୟ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ। ୨୦ରୁ ଅଧିକ ଭାଷାରେ ୧୨,୦୦୦ ରୁ ଊର୍ଦ୍ଧ୍ୱ ଗୀତ ଗାଇ ୨୦୧୧ ରେ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ରେ ନିଜ ନାମ ସାମିଲ କରିଥିଲେ।"

ଶେଷ ସଲାମ୍ ଓ ବିଦାୟ

"୨୦୦୦ ମସିହାରେ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ 'ଦାଦାସାହେବ ଫାଲକେ' ଏବଂ ୨୦୦୮ ରେ ପ୍ରତିଷ୍ଠିତ 'ପଦ୍ମ ବିଭୂଷଣ'ରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେହି ସୁବର୍ଣ୍ଣ ଯାତ୍ରାର ଅନ୍ତ ଘଟିଛି। ତାଙ୍କ ମୃତ୍ୟୁ ସହ ଭାରତୀୟ ସଙ୍ଗୀତର ଏକ ସୁନ୍ଦର ଅଧ୍ୟାୟ ସବୁଦିନ ପାଇଁ ବନ୍ଦ ହୋଇଗଲା। କିନ୍ତୁ କଳାକାରର ଶରୀର ନଶ୍ୱର ହୋଇପାରେ, ତାଙ୍କ କଳା ନୁହେଁ। ଯେତେଦିନ ଯାଏଁ ଏ ଦୁନିଆରେ ସଙ୍ଗୀତ ବଞ୍ଚିଥିବ, ସେତେଦିନ ଯାଏଁ ଆଶା ଜୀଙ୍କ ସ୍ୱର ଆମ ହୃଦୟରେ ଗୁଞ୍ଜରିତ ହେଉଥିବ।