T 20 World Cup: ସଞ୍ଜୁଙ୍କ ପ୍ରହାରରେ ଗର୍ଜିଲା ଓ୍ଵାଙ୍ଖେଡ଼େ ଷ୍ଟାଡିୟମ, ଇଂଲଣ୍ଡକୁ ବିଶାଳ ଟାର୍ଗେଟ୍ ଦେଲା ଭାରତ

NEWS7
launch-of-national-apprenticeship-training-scheme-20-portal

ମୁମ୍ବାଇ: ଚୌକା ଓ ଛକାରେ ଗର୍ଜିଲା ଓ୍ଵାଙ୍ଖେଡ଼େ ଷ୍ଟାଡିୟମ। ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଟି-୨୦ ବିଶ୍ଵକପର ୨୦୨୬ର ଦ୍ଵିତୀୟ ସେମି ଫାଇନାଲରେ ଭାରତର ବିଶାଳ ସ୍କୋର। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ରହିଛି ୨୫୪ ରନର ବିଶାଳ ସ୍କୋର। ସଞ୍ଜୁ ୪୨ ବଲରୁ ୮୯ ରନ କରିଥିବା ବେଳେ ଶିବମ ଦୁବେ ୪୩ ରନ ଓ ଇଶାନ କିଶନ ୩୯ ରନ କରିଛନ୍ତି। ଭାରତ ଚଳିତ ବିଶ୍ଵକପରେ ଦ୍ଵିତୀୟ ଥର ୨୫୦ରୁ ଉର୍ଦ୍ଧ୍ଵ ସ୍କୋର କରିଛି। ଟି-୨୦ ବିଶ୍ଵକପର ନକଆଉଟ୍ ମ୍ୟାଚରେ ଏହା କୌଣସି ଦଳ ଦ୍ଵାରା ସର୍ବୋଚ୍ଚ ସ୍କୋର।

Also read: ​​​​​​​'ଗାଲରେ ଶକ୍ତ ଚାପୁଡ଼ା ଲାଗିଛି' : ସେମି ପରାଜୟର କାରଣ କହିଲେ ମାରକ୍ରମ୍

ପ୍ରତିଥର ପରି ସେମି ଫାଇନାଲରେ ମଧ୍ୟ ଭାରତର ଆରମ୍ଭ ନିରାଶଜନକ ଥିଲା। ଅଭିଷେକ ଶର୍ମା ନିଜର ଖରାପ ଫର୍ମ ବଜାୟ ରଖି ୯ ରନ କରି ଆଉଟ୍ ହୋଇଥିଲେ। ହେଲେ ଏହା ପରେ ପଡ଼ିଆରେ ଆରମ୍ଭ ହୋଇଥିଲା ଚୌକା ଓ ଛକା ବର୍ଷା। ସଞ୍ଜୁ ସାମସନ ଓ ଇଶାନ କିଶନ ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ। ଦୁହେଁ ଧୂଆଁଧାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୯୭ ରନ ଯୋଡ଼ି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଇଶାନ ମାତ୍ର ୧୮ ବଲରୁ ୪ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। ଏହା ପରେ ସଞ୍ଜୁ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସଞ୍ଜୁ ଓ ଶିବମ ଦୁବେ ୪୩ ରନ ଯୋଡ଼ିଥିଲେ। ସଞ୍ଜୁ ୪୨ ବଲରୁ ୮ ଚୌକା ଓ ୭ ଛକା ସହ ୮୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଏହା ପରେ ଶିବମ ଦୁବେ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଇଂରେଜ ବୋଲରଙ୍କୁ ପ୍ରହାର କରି ଦଳର ରନଗତିକୁ ବଜାୟ ରଖିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧୧ ରନ) ନିରାଶ କରିଥିଲେ । ତେବେ ଶେଷ ଆଡ଼କୁ ଶିବମ ଦୁବେ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ସେ ୨୫ ବଲରୁ ୧ ଚୌକା ଓ ୪ ଛକା ସହ ୪୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ଶେଷ ଓଭର ଗୁଡ଼ିକରେ କାମ କରିଥିଲେ ହାର୍ଦ୍ଦିକ ଓ ତିଳକ। ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ମାତ୍ର ୭ ବଲରୁ ୨୧ ରନ କରିଥିଲେ। ହାର୍ଦ୍ଦିକ ୧୨ ବଲରୁ ୨୭ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୩ ରନର ପାହାଡ଼ ଛିଡ଼ା କରିଛି। ନକଆଉଟ୍ ମ୍ୟାଚରେ ଏହା କୌଣସି ଦଳ ଦ୍ଵାରା ସର୍ବୋଚ୍ଚ ସ୍କୋର। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଓ୍ଵିଲ ଜ୍ୟାକ୍ସ ଓ ଆଦିଲ ରଶିଦ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଛି।