News7 Logo

ଦୁଇ ଦିନ ବିତିଗଲା, ତଥାପି କଳିଙ୍ଗା ଘାଟି ଦୁଇ ଫାଳ

NEWS7
landslide in Kalinga ghati gajapati

ଜି.ଉଦୟଗିରି ୧୮।୦୯ : ଦୁଇ ଦିନ ବିତିଗଲା । ତଥାପି ସ୍ୱାଭାବିକ ହୋଇପାରୁନି କଳିଙ୍ଗା ଘାଟିରେ ଯାତାୟତ । ଭୂସ୍ଖଳନ ପରେ କଳିଙ୍ଗା ଘାଟିକୁ NHAIର ବରିଷ୍ଠ ଅଧିକାରୀମାନେ ଘନ ଘନ ଗସ୍ତ କରୁଛନ୍ତି। କିନ୍ତୁ ବର୍ଷା ଲାଗି କାର୍ଯ୍ୟରେ ବାଧା ଆସୁଥିବା ଜଣାପଡିଛି ।

ଖବର ଅନୁୟାୟୀ, ଲଗାଣ ବର୍ଷା ଲାଗି କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟିଥିଲା । ଯାହାପରେ ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡୁଥିବା ବେଳେ ଘାଟି ରାସ୍ତା ମଧ୍ୟ ଧସେଇଯାଇଛି । ଯାହାଫଳରେ ଗତ ଦୁଇ ଦିନ ହେଲା ଘାଟି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲାଗିଥିଲା । ଶେଷରେ NHAIର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚ ରାସ୍ତାରୁ ପଥର ହଟାଇବା କାମ ଆରମ୍ଭ କରିଥିଲେ।ଗଞ୍ଜାମ ଜିଲ୍ଲା ପଟୁ ଓ କନ୍ଧମାଳ ଜିଲ୍ଲା ପଟୁ ମେସିନ ସହାୟତାରେ ବଡ଼ ବଡ଼ ପଥରକୁ ହଟାଯାଉଛି। ଗୁରୁବାର ଦିନ ଚିଫ୍‌ ଇଞ୍ଜିନିୟର ଆସିବାର ଯୋଜନା ରହିଛି।

ତେବେ ଘାଟିରେ ଏପରି ଭୂସ୍ଖଳନ ହେବା ଲାଗି ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜି.ଉଦୟଗିରି ଅଞ୍ଚଳର ଲୋକମାନେ ଯିବାଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଏପିରିକି ଭୁବନେଶ୍ୱର ଓ ବ୍ରହ୍ମପୁରକୁ ଯାତାୟତ କରୁଥିବା କିଛି ସରକାରୀ ଓ ବେସରକାରୀ ବସ୍‌ ସେବା ବନ୍ଦ ରହିଛି । ସୁରକ୍ଷା ଦୃଷ୍ଟିରୁ ଜି.ଉଦୟଗିରି ପୋଲିସ ପକ୍ଷରୁ କଳିଙ୍ଗା ପୂର୍ତ୍ତ ବଙ୍ଗଳା ଠାରେ ନାକାବନ୍ଦୀ କରାଯାଇଛି । କୌଣସି ଲୋକ କିମ୍ବା ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଉନାହିଁ ।  ​​​​​​​