ଇରାନରେ ଷ୍ଟାରଲିଙ୍କ୍ ଅଚଳ, ଆମେରିକା ବିରୋଧରେ ଖାମେନିଙ୍କ ସହ ହାତ ମିଶାଇଲେ ଚାଇନା-ଋଷ

NEWS7
know-why-bjd-leader-debasish-samantray-loss-in-cuttack-barabati-seat

ନୂଆଦିଲ୍ଲୀ ୧୩/୦୧: ଇରାନରେ ସରକାର ବିରୋଧୀ ହିଂସା ଏବେ ଭୟଙ୍କର ଯୁଦ୍ଧ ଆଡ଼କୁ ମୁହାଁଇଛି । ବିକ୍ଷୋଭକାରୀଙ୍କ ଉପରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ଦମନଲୀଳା ରୋକିବାକୁ ଆମେରିକା ଆକ୍ରମଣ ଧମକ ଦେଇଛି । ଆମେରିକା ଏବଂ ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଲାଇଥିବା ଭିତରେ ଇରାନକୁ ଆମେରିକା ବିରୋଧରେ ରୁଷ୍-ଚୀନ୍ ପରୋକ୍ଷରେ ସହାୟତା ଯୋଗାଉଥିବା କୁହାଯାଉଛି ।

ଇରାନ ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ଅନ୍ୟୁନ ୫୪୪ ଜଣଙ୍କ ମୃତ୍ୟୁ ଘଟିଲାଣି । ଏ ସବୁକୁ ସାରା ବିଶ୍ୱର ନଜରରୁ ଦୂରରେ ରଖିବା ଲାଗି ଖାମେନେଇ ସରକାର ପୂର୍ବରୁ ଦେଶରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଥିଲା । ପ୍ରାୟ ୮ କୋଟି ଜନସଂଖ୍ୟାର ଏହି ଦେଶ ପୂରା ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆମେରିକୀୟ ଟେକ୍ ଅରବପତି ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସର୍ଭିସ୍ ଇରାନୀ ବିକ୍ଷୋଭକାରୀଙ୍କ ପାଇଁ ଏକ ଆଶା ଭାବେ ଦେଖାଯାଉଥିଲା । କିନ୍ତୁ ଏଥିଲାଗି ମଧ୍ୟ ଇରାନ ପ୍ଲାନ୍-ବି ଆପଣାଇଛି । ଇରାନ ସରକାର ଏବେ ଷ୍ଟାରଲିଙ୍କ୍କୁ ଜାମ୍ କରିଦେଇଛି । ପ୍ରାରମ୍ଭରେ ଷ୍ଟାରଲିଙ୍କ୍ର ଅପ୍ଲିଙ୍କ ଏବଂ ଡାଉନଲିଙ୍କ୍ ଟ୍ରାଫିକ୍ ପ୍ରାୟ ୩୦ ପ୍ରତିଶତ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ପରେ ଏହା ବଢ଼ି ୮୦ ପ୍ରତିଶତରୁ ଅଧିକ ହୋଇଛି । ବିଶେଷଜ୍ଞଙ୍କ ମତରେ ଧାମି ର୍କ ବିଚାରଧାରାରେ ଚାଲୁଥିବା ଇରାନ ସରକାର ଷ୍ଟାରଲିଙ୍କ୍ ସାଟେଲାଇଟ ଜାମ୍ କରିବାକୁ ଏକକିଲ୍ ସ୍ୱିଚ୍ଆକ୍ଟିଭ କରିଛି । ଷ୍ଟାରଲିଙ୍କକୁ ଏପରି ବାଧାପ୍ରାପ୍ତ କରିବା ଲାଗି ଏହି ପ୍ରକ୍ରିୟା ବେଶ୍ ମହଙ୍ଗା । ସୈନ୍ୟ-ସ୍ତରର ଜାମିଂ ଉପକରଣରୁ ଏହା କରାଯାଇଛି । ତେଣୁ ଇରାନ ନିଜ ଦମ୍ରେ ଏହା କରିପାରିବା ବିଶ୍ୱାସଯୋଗ୍ୟ ନୁହେଁ । ସମ୍ଭବତଃ ରୁଷ୍ ଏବଂ ଚୀନ୍ ଏହି ଜାମିଂ ଉପକରଣ ଇରାନକୁ ଦେଇଥାଇପାରନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି ।

ଇରାନରେ ଇଣ୍ଟରନେଟ ଚାଲୁ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମସ୍କଙ୍କ ସହ କଥା ହେବେ ବୋଲି ରବିବାର କହିଥିଲେ । କିନ୍ତୁ ଏହା ଭିତରେ ଇରାନ ଷ୍ଟାରଲିଙ୍କକୁ ଠପ୍ କରିଦେଇଛି । ସେହିପରି ଟ୍ରମ୍ପ୍ ଗଣମାଧ୍ୟମ ଆଗରେ କହିଛନ୍ତି,ଇରାନ ସରକାର ବିକ୍ଷୋଭକାରୀଙ୍କୁ ରୋକିବା ଲାଗି ସବୁ ସୀମା ପାର୍ କରିଛି । ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ବିକଳ୍ପ ଉପରେ ଚିନ୍ତା କରାଯାଉଛି । ଇରାନ ମଧ୍ୟ ଆମେରିକା ସହ ଆଲୋଚନାର ପ୍ରସ୍ତାବ ରଖିଛି । ବୈଠକ ସ୍ଥିର କରିବା ଲାଗି କଥାବାର୍ତ୍ତା ଚାଲିଛି । ଅନ୍ୟପକ୍ଷରେ ଇରାନ ବିଦେଶ ମନ୍ତ୍ରୀ ଅରାଘଚି ଦେଶରେ ଜାରି ଅଶାନ୍ତି,ଅସ୍ଥିରତା ପାଇଁ ପୁଣି ଆମେରିକାକୁ ଦାୟୀ କରିଛନ୍ତି । ଏହି ସଂଘର୍ଷକୁ ସେ ଆତଙ୍କବାଦୀ ବିରୋଧୀ ଯୁଦ୍ଧ ବୋଲି ଅଭିହିତ କରିଛନ୍ତି । ହିଂସା ଆଳରେ ଜାଣିଶୁଣି ଇରାନର ସରକାରୀ କୋଠା,ଥାନା,ଆର୍ଥିକ ଭିତ୍ତିଭୂମିକୁ ଟାର୍ଗେଟ କରାଯାଉଛି । ଏଥିସହ ସେନା ଉପରେ ମଧ୍ୟ ଆକ୍ରମଣ କରାଯାଉଛି । ଏହାକୁ ବେଶ୍ ଯୋଜନାବଦ୍ଧ ଭାବେ କରାଯାଉଥିବା ସେ କହିଛନ୍ତି ।

ଇରାନର ହ୍ୟୁମାନ ରାଇଟ୍ ଆକ୍ଟିଭିଷ୍ଟ ନ୍ୟୁଜ୍ ଏଜେନ୍ସି ଅନୁସାରେ,ହିଂସାରେ ଅଦ୍ୟାବଧି ୫୪୪ ଜଣଙ୍କ ମୃତ୍ୟୁ ହେଲାଣି । ଇରାନ ଉପରେ ଆମେରିକା ଆକ୍ରମଣ କରିବା ପ୍ରସଙ୍ଗରେ ଟ୍ରମ୍ପ୍ ନିଜ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ଇରାନରେ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଆମେରିକା ସିଧାସଳଖ ସେଠାକୁ ସେନା ପଠାଇବ ନା କୌଣସି ଗୁପ୍ତ ଅଭିଯାନ ଚଲାଇବ ସେ ନିଷ୍ପତ୍ତି ନିଆଯିବ । ଇରାନ ଉପରେ ନୂଆ କଟକଣା,ସିକ୍ରେଟିଭ୍ ସାଇବର ଅସ୍ତ୍ର ପ୍ରୟୋଗ,ସାମରିକ ଠିକଣାରେ ଆକ୍ରମଣ ସମେତ ସୋସିଆଲ ମିଡିଆରେ ଇରାନ ବିରୋଧୀ ପ୍ରଚାର ଜୋରଦାର କରିବା ଆଦି ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।