ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶବାସୀଙ୍କୁ କିଛି ନିବେଦନ କରିଥିଲେ, ଯାହା ଏବେ ଲୋକଙ୍କ ମୁହଁରେ ଚର୍ଚ୍ଚାର ବିଷୟ ପାଲଟିଛି । ପେଟ୍ରୋଲ-ଡିଜେଲ ବ୍ୟବହାର କମ କରିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ନକରିବା, ୱାର୍କ ଫ୍ରମ୍ ହୋମ୍ ଏବଂ ସୁନା ନ କିଣିବା ପରି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୟାନର ପ୍ରଭାବ ସୋମବାର ପୁଞ୍ଜି ବଜାର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା । ମାର୍କେଟରେ ସୁନା ସହ ଜଡ଼ିତ ସେୟାର ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଯାଏ ହ୍ରାସ ପାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନା ନ କିଣିବା ପାଇଁ ଅପିଲ୍ ଦେଶବାସୀଙ୍କ ମଧ୍ୟରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ପଲ୍ଲୀଠୁ ଦିଲ୍ଲୀ ସବୁଠୁ ଗୋଟିଏ ଚର୍ଚ୍ଚା ବିନା ସୁନାରେ ବିବାହ ହେବ କେମିତି ?

ପଶ୍ଚିମ ଏସିଆରେ ଜାରି ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ଉର୍ଜା ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଅପିଲ୍ କରି ଗୋଟିଏ ବର୍ଷ ଯାଏ ସୁନା ନ କିଣିବା ପାଇଁ ଅପିଲ୍ କରିଛନ୍ତି । ତେବେ କାହିଁକି ଏଭଳି ନିବେଦନ କଲେ ପ୍ରଧାନମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ ଏହି ନିବେଦନ ପଛରେ କୌଣସି କଟକଣା ନାହିଁ ବରଂ ଦେଶର ଅର୍ଥନୀତିକୁ ବୈଶ୍ୱିକ ସଂକଟରୁ ରକ୍ଷା କରିବାର ଦୂରଗାମୀ ବିଚାର ରହିଛି । ସୁନା ନ କିଣିବା ନେଇ ନିବେଦନ ଦେଶର ବିଦେଶୀ ମୁଦ୍ରା ଖର୍ଚ୍ଚ ଏବଂ ସଂଚୟ ସହ ଜଡ଼ିତ ଅଟେ ।

ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଗଣିତ

ଟ୍ରେଡିଂ ଇକୋନମିକ୍ସର ଡାଟା ଅନୁସାରେ, ଭାରତର ବିଦେଶୀ ମୁଦ୍ରା ଭାଣ୍ଡର ପ୍ରାୟ ୬୯୦.୬୯ ବିଲିୟନ ଡଲାରର ଅଟେ । ଆରବିଆଇର ତଥ୍ୟ କହୁଛି, ଫେବ୍ରୁଆରୀରେ ଦେଶର ଫରେକ୍ସ ରିଜର୍ଭ ୭୨୮ ବିଲିୟନ ଡଲାର ନିକଟରେ ଥିଲା, କିନ୍ତୁ ଅନିଶ୍ଚିତତା ମଧ୍ୟରେ ଏପ୍ରିଲରେ ଏହା ଖସି ୬୯୧ ବିଲିୟନ ଡଲାର ହୋଇଥିଲା ।

ଅନ୍ୟପଟେ ଆଇଏମଏଫର ଅନୁମାନ ୨୦୨୬ରେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ (ସିଏଡି) ବଢି ୮୪.୫ ବିଲିୟନ ଡଲାର ହୋଇପାରେ । ଏହା ଜିଡିପିର ପ୍ରାୟ ୨ ପ୍ରତିଶତ ଅଟେ । ସିଏଡି ବଢିବାର ଅର୍ଥ ହେଉଛି ଦେଶକୁ ଯେତିକି ଡଲାର ଆସୁଛି, ତାହାଠାରୁ ଅଧିକ ଡଲାର ବାହାରକୁ ଅର୍ଥାତ୍ ବିଦେଶକୁ ଯାଉଛି।

୭୨ ବିଲିୟନ ଡଲାର: ସୁନା କିଣିବା ଦ୍ୱାରା ବଢୁଛି ଚାପ

ଦେଶର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ଅର୍ଥାତ୍ ସିଏଡି ବଢିବା ପଛରେ ସୁନା ଏକ ପ୍ରମୁଖ କାରଣ । ଆର୍ଥିକ ବର୍ଷ ୨୦୨୫-୨୬ରେ ଭାରତ ପ୍ରାୟ ୭୨ ବିଲିୟନ ଡଲାରର ସୁନା ଆମଦାନୀ କରିଥିଲା । ଏହି ସଂଖ୍ୟା ପୂର୍ବ ଆର୍ଥିକ ବର୍ଷଠାରୁ ୨୪ ପ୍ରତିଶତ ଅଧିକ । ସୁନା ମାମଲାରେ ଭାରତ ଦୁନିଆର ସବୁଠାରୁ ବଡ଼ କ୍ରେତା । ଏଥିରୁ ଅଧିକାଂଶ ଆମଦାନୀ କରାଯାଇଥାଏ ଏବଂ ଏହାର ପ୍ରତି ounce ଡଲାରରେ ପୈଠ କରାଯାଏ ।

ଆର୍ଥିକ ବର୍ଷ ୨୦୨୫-୨୬ ମୋଟ ବିଲ୍: ୭୭୫ ବିଲିୟନ ଡଲାର

ଅଶୋଧିତ ତୈଳ ଆମଦାନୀ- ୧୩୪ ବିଲିୟନ ଡଲାର

ସୁନା ଆମଦାନୀ-୭୨ ବିଲିୟନ ଡଲାର

ଖାଇବା ତେଲ-୧୯.୫ ବିଲିୟନ ଡଲାର

ସାର-୧୪.୫ ବିଲିୟନ ଡଲାର

ପରିସଂଖ୍ୟାନରୁ ଜଣାପଡ଼ୁଛି ଯେ ଭାରତର ମୋଟ ଆମଦାନୀ ସୂଚୀରେ ସୁନାର ଭାଗ ୧୦ ପ୍ରତିଶତ । ଯଦି ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲକୁ ସ୍ୱୀକାର କରନ୍ତି ଏବଂ ସୁନାର ଚାହିଦା ହ୍ରାସ ପାଏ, ତେବେ ଏହାର ପ୍ରଭାବ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡ଼ିବ ।