News7 Logo

ଗଣେଶ ହରିଲେ ଦେଶର ବିଘ୍ନ, ଜାଣନ୍ତୁ ଏଥର ପୂଜାରେ ଭାରତକୁ କେତେ ଗିଫ୍ଟ କଲେ ବପ୍ପା?

NEWS7
gfx

ମୁମ୍ବାଇ ୬।୯: ବିଘ୍ନହର୍ତ୍ତା ଗଣେଶ ଏଥର ଦେଶକୁ ବମ୍ପର ଗିଫ୍ଟ ଦେଇଛନ୍ତି। ଗଣେଶ ଚତୁର୍ଥୀ ଭାରତର ଅର୍ଥବ୍ୟବସ୍ଥା ନିମନ୍ତେ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରତି ବର୍ଷ ଗଣେଶ ଚତୁର୍ଥୀରେ ଅର୍ଥ ବ୍ୟବସ୍ଥାକୁ କିଛି ନା କିଛି ଉପହାର ମିଳିଥାଏ, ଚଳିତ ବର୍ଷ ମଧ୍ୟ ମଳିଛି। ଏଥର ବପ୍ପା ଅର୍ଥ ବ୍ୟବସ୍ଥାକୁ ୪୫,୦୦୦ କୋଟି ଟଙ୍କା ଗିଫ୍ଟ କରିଛନ୍ତି। କମ୍ପ୍ଲିଟ ସର୍କଲ କନସଲଟାଣ୍ଟର ମ୍ୟାନେଜିଂ ପାର୍ଟନର ତଥା ଚିଫ୍ ଇନଭେଷ୍ଟମେଣ୍ଟ ଅଫିସର ଗୁରୁମିତ ଚଡ୍ଡା ଏହି ହିସାବକିତାବ ବାହାର କରିଛନ୍ତି।

ଚଡ୍ଡା କହିଛନ୍ତି ଗଣପତି ବପ୍ପା ଭାରତର ସବୁଠୁ ବଡ଼ ଇକୋନମିକ୍ ଇନଫ୍ଲୁଏନ୍ସର। ଚଡ୍ଡା ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ସେ ଲେଖିଛନ୍ତି ‘ଯେତେବେଳେ ବପ୍ପା ଆସନ୍ତି କେବଳ ଘର ନୁହେଁ ପୁରା ଅର୍ଥ ବ୍ୟବସ୍ଥା ଝଲମଲ କରିଉଠେ’। ତାଙ୍କ ଅନୁସାରେ ପାର୍ବଣରେ ହେଉଥିବା ଆର୍ଥିକ ଗତିବିଦ୍ଧି ୨୦୨୪ର ୨୫,୦୦୦ କୋଟି ଟଙ୍କା ତୁଳନାରେ  ୨୦୨୫ରେ ୪୫,୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଏଥିରେ ସବୁଠୁ ବଡ଼ ଯୋଗଦାନ ପୁଣେ, ମୁମ୍ବାଇ ଓ ହାଇଦ୍ରାବାଦ ଭଳି ସହରରୁ ମିଳିଛି।     

ଏହି ସହରମାନେ ମିଳିତ ୭,୦୦୦ କୋଟି ଟଙ୍କାର ଅର୍ଥବ୍ୟବସ୍ଥା ନିର୍ମାଣ କରନ୍ତି। ଏଥିରେ ମିଠା, ମୂର୍ତ୍ତି, ସାଜସଜ୍ଜା, ପେଣ୍ଡାଲ, ପରିବହନ ଆଦି ମଧ୍ୟ ସାମିଲ ଥାଏ। ମୂର୍ତ୍ତି ବିକ୍ରିରୁ ୫୦୦ କୋଟି, ମୋଦକ ଓ ମିଠେଇରୁ ୨,୦୦୦ କୋଟି, ଖାଦ୍ୟପାନୀୟ ଓ ଜଳଖିଆରେ ୩,୦୦୦ କୋଟି, ଉତ୍ସବ ପୂଜା ସାମଗ୍ରୀରୁ ୩,୦୦୦ କୋଟି, ଇଭେଣ୍ଟ ମ୍ୟାନେଜମେଣ୍ଟରେ ୫,୦୦୦ କୋଟି ଓ ସ୍ଥାନୀୟ ଖର୍ଚ୍ଚ ୧୦,୦୦୦ କୋଟି ଟଙ୍କା କାରବାର ହୋଇଥାଏ। ଏପରିକି ଭାରତୀୟ ରେଳ ମଧ୍ୟ ବପ୍ପାଙ୍କ କୃପା ଅନୁଭବ କରେ। ଚଳିତବର୍ଷ କୋଙ୍କଣରେ ଯାତ୍ରୀଙ୍କ ଭିଡ ସମ୍ଭାଳିବା ପାଇଁ  ରେଳବାଇ ୩୮୦ ଗଣପତି ସ୍ପେଶାଲ ଟ୍ରେନ ଚଳାଇଛନ୍ତି।

ଏହି ଡାଟା ହଜାରହଜାର ଲୋକଙ୍କ ଗୁଜୁରାଣ ସହ ମଧ୍ୟ ଯୋଡି ହୋଇ ରହିଛି। ଯେପରି ମାଟିର ମୂର୍ତ୍ତି ନିର୍ମାଣକାରୀ କାରିଗର, ମୋଦକ ବିକ୍ରି କରୁଥିବା ମିଠେଇବାଲା, ପେଣ୍ଡାଲରେ କାମ କରୁଥିବା ଲୋକେ ଓ ଖାଦ୍ୟ ଯୋଗାଇଉଥିବା କ୍ୟାଟରର ବେଶ୍ ଦୁଇ ପଇସା ଆମଦାନୀ କରିଥାନ୍ତି। ଗତବର୍ଷ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଗଣେଶ ଚତୁର୍ଥୀ କାଳରେ ୨୫,୦୦୦ କୋଟିଟଙ୍କାର କାରାବାର ଦେଖିଥିବା ଆକଳନ କରିଥିଲେ।

ସିଏଆଇଟିଙ୍କ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଏହି ଉତ୍ସବ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ ଗୋଆ ଅର୍ଥ ବ୍ୟବସ୍ଥା ଉପରେ ବହୁତ ପ୍ରଭାବ ପକାଇଥାଏ। ସେହିପରି ସିଏଆଇଟି ନ୍ୟାସନାଲ ପ୍ରେସିଡେଣ୍ଟ ବି.ସି.ଭରତିୟା କହିଛନ୍ତି ଯେ ଉତ୍ସବ କାଳରେ ଭାରତରେ ୨୦ ଲକ୍ଷ ଗଣେଶ ପେଣ୍ଡାଲ ସ୍ଥାପିତ ହୋଇଥାଏ। ଏଥିରୁ କେବଳ ମହାରାଷ୍ଟ୍ରରେ ୭ଲକ୍ଷରୁ ଅଧିକ ପେଣ୍ଡାଲ ହୋଇଥାଏ। ସେହିପରି କର୍ଣ୍ଣାଟକରେ ୫ଲକ୍ଷ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ୨ଲକ୍ଷ ପେଣ୍ଡାଲ ସ୍ଥାପିତ ହୋଇଥାଏ। ଏହି ସବୁ ପୂଜାପେଣ୍ଡାଲରେ ପୂଜାପାଠ ଓ ସାଜସଜ୍ଜାରେ ୧୦,୦୦୦ କୋଟିଟଙ୍କା ଖର୍ଚ୍ଚ ହୁଏ।

ଗଣେଶ ଚତୁର୍ଥୀ ଭାରତୀୟ ସଂସ୍କୃତି ଓ ଅର୍ଥ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ଏହି ଉତ୍ସବ ଲୋକଙ୍କୁ ଏକାଠି କରିଥାଏ ଓ ସେମାନଙ୍କୁ ଖୁସି ହେବାକୁ ଅବସର ଦେଇଥାଏ। ଏହା ସହିତ ଦେଶର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରିଥାଏ।