ତେଜସ୍ୱୀ ଯାଦବ ହେଲେ RJDର କାର୍ଯ୍ୟକାରୀ ଅଧ୍ୟକ୍ଷ, ପ୍ରଶ୍ନ ଉଠାଇଲେ ପରିବାର

NEWS7
keunjhar-juanga-couple-to-be-vip-guest-in-delhi-republic-day-parade

ପାଟନା ୨୫।୧: ବିହାର ରାଜନୈତିକ ପରିସ୍ଥିତିରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ତେଜସ୍ୱୀ ଯାଦବଙ୍କୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛି। ଏହି ନିଷ୍ପତ୍ତି ଆରଜେଡିର ସଭାପତି ଲାଲୁପ୍ରସାଦ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରଣୀ ବୈଠକରେ ସର୍ବସମ୍ମତିରେ ନିଆଯାଇଛି । ନିଜର ବୟସ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଧ୍ୟାନରେ ରଖି ଲାଲୁ ଯାଦବ ପାର୍ଟିର ଦାୟିତ୍ୱ ତାଙ୍କ ପୁଅ ତେଜସ୍ୱୀଙ୍କ ଉପରେ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଜସ୍ୱୀଙ୍କ ନୂଆ ଭୂମିକା ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି, ହେଲେ ଏଥି ପାଇଁ ପରିବାର ଚିନ୍ତା ବ୍ୟକ୍ତ କରିଛି।

ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ପାର୍ଟିର ନୂଆ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ଯାହା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ତେବେ ବୈଠକରେ ଯୋଗ ଦେଇଥିବା ବିଧାୟକଙ୍କ କହିବା କଥା ହେଲା ବୈଠକ ସଙ୍ଗଠନକୁ ମଜଭୁତ କରିବା ପାଇଁ ଆୟୋଜନ କରାଯାଇଥିଲା। ରାଜ୍ୟ ବିଧାନସଭା ନିର୍ବାଚନ ପରେ ଆରଜେଡିର ଏହା ପ୍ରଥମ ବଡ଼ ବୈଠକ। ଏଥିରେ ତେଜସ୍ୱୀ ଯାଦବ ନିର୍ବାଚନୀ ହାରକୁ ନେଇ ଆକ୍ରମକ ଆଭିମୁଖ୍ୟ ପୋଷଣ କରିଛନ୍ତି।

ବୈଠକରେ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ନିର୍ବାଚନରେ ପରାଜୟ ଓ ଆଭ୍ୟନ୍ତରୀଣ ଅସନ୍ତୋଷକୁ ନେଇ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ନିର୍ବାଚନରେ ପାର୍ଟିର କ୍ଷତି କରିଥିବା ପାଖାପାଖି ୩୦୦ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ବିପକ୍ଷରେ ପାର୍ଟି କଠୋର କାର୍ଯ୍ୟାନୁଷ୍ଠାନ କରିପାରେ ବୋଲି କୁହାଯାଉଛି। ତେଜସ୍ୱୀ ଯାଦବ କହିଥିଲେ ନୂଆ ସରକାର ଗଠନର ୧୦୦ ଦିନ ପର୍ଯ୍ୟନ୍ତ ସେ କିଛି କହିବେନି। ହେଲେ ବିହାରର ଆଇନଶୃଙ୍ଖଳାକୁ ନେଇ ମୁହଁ ଖୋଲିଥିବା ବେଳେ ତାଙ୍କ ମଉନ ବ୍ରତ ଭଙ୍ଗ କରିଛନ୍ତି। ସେ ନୀତୀଶ ସରକାର ଓ ବିଜେପି ଉପରେ ଆରୋପ ଲଗାଇ ଅପରାଧ ରୋକିବାରେ ସରକାର ବିଫଳ ହୋଇଥିବା କହିଛନ୍ତି।

ତେଜସ୍ୱୀଙ୍କ ଏହି ବୟାନର ଶାସକ ଦଳ ମଧ୍ୟ ଜବାବ ରଖିଛି। ଜେଡିୟୁ ମୁଖପାତ୍ର କହିଛନ୍ତି ଯେ ଯେଉଁ ବ୍ୟକ୍ତି ୧୦୦ ଦିନ ନିରବ ରହିବାର ସଂକଳ୍ପ ପାଳନ କରିପାରି ନାହିଁ ସେ ରାଜନୀତି ବିଶ୍ଲେଷଣ କରିବାକୁ ଯୋଗ୍ୟ ନୁହେଁ।