LIVE TV

ମୁନମ୍ବମ ୱକଫ ବିବାଦ: କେରଳ ହାଇକୋର୍ଟ କହିଲେ-ଏହା ହେଲେ ଲାଲ କିଲା, ତାଜମହଲ ବି ହୋଇଯିବ ୱକଫର

NEWS7
Kerala HC

କୋଚି ୧୧।୧୦: କେରଳ ହାଇକୋର୍ଟ ମୁନମ୍ବମ ୱକଫ ଭୂମି ବିବାଦରେ କଡ଼ା ଟିପ୍ପଣୀ କରିବା ସହ ରାଜ୍ୟ ୱକଫ ବୋର୍ଡ ଉପରେ ବର୍ଷିଛନ୍ତି। ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ସମ୍ପତ୍ତିକୁ ବିନା ଉଚିତ ପ୍ରକ୍ରିୟାରେ ୱକଫ ଘୋଷଣା କରିବାକୁ ଅନୁମତି ଦିଆଯାଏ ତେବେ କାଲି ତାଜମହଲ, ଲାଲ କିଲା, ବିଧାନସଭା ଭବନ ଏପରିକି ହାଇକୋର୍ଟ ବିଲ୍ଡିଂକୁ ମଧ୍ୟ ୱକଫ ସମ୍ପତ୍ତି କୁହାଯାଇ ପାରେ। ଏହି ରାୟ ହାଇକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ.ଏ.ଧର୍ମାଧିକାରୀ ଓ ଜଷ୍ଟିସ୍ ଶ୍ୟାମ କୁମାର ବି.ଏମଙ୍କ ଖଣ୍ଡପୀଠ ଦେଇଛନ୍ତି।  ନ୍ୟାୟାଳୟ କହିଛନ୍ତି ଯେ ଯଦି ନ୍ୟାୟପାଳିକା ଏପରି ମନଇଛା ୱକଫ ଘୋଷଣାଗୁଡିକୁ ବୈଧତା ଦିଅନ୍ତି ତେବେ କାଲିକୁ ଏପରି ପରିସ୍ଥିତି ନ ଉପୁଜିବ ତାହା କହି ହେବ ନାହିଁ। 

କୋର୍ଟ କହିଛନ୍ତି ଯେ ଏହି ପ୍ରବୃତ୍ତି ସମ୍ବିଧାନର ଅନୁଚ୍ଛେଦ ୩୦୦(ଏ) ଅନୁସାରେ ନାଗରିକଙ୍କ ସମ୍ପତ୍ତି ଅଧିକାର, ଅନୁଚ୍ଛେଦ ୧୯ ଅନୁସାରେ ବ୍ୟାପାର ସ୍ୱାଧୀନତା ଓ ଅନୁଚ୍ଛେଦ ୨୧ ଅନୁସାରେ ଜୀବନ ଓ ଜୀବିକା ଅଧିକାର ଲାଗି ବିପଦଜନକ। ପୀଠ କହିଛନ୍ତି ଯେ ସାମ୍ବିଧାନିକ ଦାୟିତ୍ୱ ଅନୁସାରେ କୌଣସି କୋର୍ଟ ଏପରି କାଳ୍ପନିକ ଓ ବିଳମ୍ବିତ ଶକ୍ତି ପ୍ରୟୋଗକୁ ମଞ୍ଜୁରୀ ଦେଇ ପାରିବେ ନାହିଁ। ମୁନମ୍ବମର ଏହି ଜମି ୧୯୫୦ ମସିହାରେ ସିଦ୍ଦିକ ସୈଦ ନାମକ ବ୍ୟକ୍ତିଙ୍କ ଦ୍ୱାରା ଫାରୁଖ କଲେଜକୁ ଦାନରେ ଦିଆଯାଇଥିଲା। ସେ ସମୟରେ ଭୂମିର ମୋଟ କ୍ଷେତ୍ରଫଳ ୪୦୪.୭୬ ଏକର ଥିଲା, ଯାହା ଏବେ ସମୁଦ୍ର କୂଳ ଖାଇବା ଯୋଗୁ ହ୍ରାସ ହୋଇ ୧୩୫.୧୧ ଏକରରେ ସୀମିତ ହୋଇଯାଇଛି।

ଏହି ଭୂମିରେ ପୂର୍ବରୁ ଅନେକ ଲୋକ ବସବାସ କରୁଥିଲେ ଓ କଲେଜ ମ୍ୟାନେଜମେଣ୍ଟ ଏହି ବାସିନ୍ଦାଙ୍କୁ ଜମି ବିକ୍ରି ମଧ୍ୟ କରିଥିଲେ। ଏହି ବିକ୍ରି ଦଲିଲର କେଉଁଠାରେ ବି ଜମି ୱକଫର ବୋଲି ଉଲ୍ଲେଖ ନାହିଁ। ହେଲେ ପାଖାପାଖି ୬୯ ବର୍ଷ ପରେ ୨୦୧୯ ମସିହାରେ କେରଳ ୱକଫ ବୋର୍ଡ ଅଚାନକ ଏହି ଭୂମିକୁ ୱକଫ ସମ୍ପତ୍ତି ଘୋଷଣା କରିଦେଇଛନ୍ତି ଓ ପୁରୁଣା ବିକ୍ରିକୁ ଅବୈଧ କରି ଦେଇଛନ୍ତି। ପାଖାପାଖି ୬୦୦ ପରିବାରଙ୍କ ବିରୋଧ ପରେ ରାଜ୍ୟ ସରକାର ନଭେମ୍ବର ୨୦୨୪ରେ ବିଚାରପତି (ଅବସରପ୍ରାପ୍ତ) ଜଷ୍ଟିସ୍ ସି.ଏନ.ରାମଚନ୍ଦ୍ର ନାୟରଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ ଆୟୋଗ ଗଠନ କରିଥିଲେ।

ଏହାକୁ ୱକଫ ସଂରକ୍ଷଣ ସମିତି କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଓ କୁହାଗଲା କି ସରକାରଙ୍କର ୱକଫ ସମ୍ପତ୍ତି ଯାଞ୍ଚ କରିବାର କୌଣସି ଅଧିକାର ନାହିଁ। ମାର୍ଚ୍ଚ ୨୦୨୫ରେ ଏକକ ପୀଠ ଆୟୋଗକୁ ରଦ୍ଦ କରିଦେଇଥିଲେ। ଏହା ପରେ ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଅପିଲ ଦାୟର କରିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ଫାରୁଖ କଲେଜକୁ ଦାନ ଦିଆଯାଇଥିବା ଜମି ‘ଗିଫ୍ଟ ଡିଡ୍’ (ଦାନପତ୍ରରେ) ଦିଆଯାଇଥିଲା ୱକଫ ଡିଡରେ ନୁହେଁ। ସବୁ ପିଛିଲା ଆଇନଗତ କାର୍ଯ୍ୟାନୁଷ୍ଠାନରେ ଏହାକୁ ଦାନପତ୍ର ସ୍ୱୀକାର କରାଯାଇଥିଲା ଓ କଲେଜ ପ୍ରବନ୍ଧନ ମଧ୍ୟ ଏହାକୁ ୱକଫ କହିନଥିଲେ।

ତେବେ ୱକଫ ବୋର୍ଡ ଏଥି ପାଇଁ ଏହି ସମ୍ପତ୍ତିକୁ ୱକଫ ଘୋଷଣା କରିଛି ଯେ ଏହାର ଶୀର୍ଷକ ‘ୱକଫ ଘୋଷଣା’ ଲେଖାଥିଲା। ହେଲେ ଏହା ୱକଫ ହେବା ପାଇଁ ଆବଶ୍ୟକ ଆଇନଗତ ସର୍ତ୍ତ ପୂରଣ କରୁନଥିଲା। ଏଣୁ କୋର୍ଟ କହିଛନ୍ତି ଯେ ୱକଫ ବୋର୍ଡଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦୁର୍ଭାବନାପୂର୍ଣ୍ଣ ଓ ସ୍ୱାର୍ଥ ପୂର୍ଣ୍ଣ ବୋଲି ଲାଗୁଛି। କାରଣ ଏହି ପଦକ୍ଷେପ ଭୂମିର ବ୍ୟବସାୟୀକ ମୂଲ୍ୟ ବଢିବା ପରେ ନିଆଯାଇଛି। କୋର୍ଟ କହିଛନ୍ତି ଯେ କେଡବ୍ଲୁବି (କେରଳ ୱକଫ ବୋର୍ଡ)ର ଏହି କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ ଭାବେ ବୈମାନୀ ପ୍ରେରିତ ଲାଗୁଛି, ଯାହାର ଉଦ୍ଦେଶ୍ୟ ଭୂମି ଉପରେ ନିୟନ୍ତ୍ରଣ ପାଇବା ।

ଆବେଦନକାରୀଙ୍କ କହିବା କଥା ହେଉଛି ଯେ ଏହି ମାମଲା  କୋର୍ଟ ନୁହେଁ ୱ୍କକଫ ଟ୍ରିବ୍ୟୁନାଲ ଅଧିକାର କ୍ଷେତ୍ରରେ ଆସୁଛି। ତେବେ ୱକଫ ଘୋଷିତ କରିବା ପ୍ରକ୍ରିୟାର ସର୍ଭେକ୍ଷଣ, ଶୁଣାଣି ଓ ଯାଞ୍ଚ ନ୍ୟାୟୋଚିତ ଉପାୟରେ ହୋଇଛି କି ନା ତାହା ସୁନିଶ୍ଚିତ କରିବାକୁ କୋର୍ଟ ସକ୍ଷମ ବୋଲି କହିଛନ୍ତି। ସେହିପରି କୋର୍ଟ କହିଛନ୍ତି ଯେ ‘କୌଣସି ସମ୍ପତ୍ତିକୁ ୱକଫ ଘୋଷଣା କରିବା ପ୍ରକ୍ରିୟା ନାଗରିକଙ୍କ ମୌଳିକ ଅଧିକାରକୁ ପ୍ରଭାବିତ କଲେ ଏହା ଉପରେ କୋର୍ଟ ନଜର ରଖି ପାରିବେ’।