ବଡ଼ବିଲ: ଭିଜିଲାନ୍ସ ଜାଲରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେସନର ଅଫିସର ଇନଚାର୍ଜ, ଏଏସଆଇ ବିଜୟ କୁମାର ମହାନ୍ତ । ଚମ୍ପୁଆ ବ୍ଲକ୍ କରଞ୍ଜିଆର ଜଣେ ଲାଇସେନ୍ସ ପ୍ରାପ୍ତ ମଦ ବିକ୍ରେତା ବିଧୁଭୂଷଣ ପତିଙ୍କ ଠାରୁଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୪ ମାସ ତଳେ କେନ୍ଦୁଝରରେ ଅବକାରୀ ଅଧୀକ୍ଷକ ଭାବରେ ଦାୟିତ୍ଵ ଗ୍ରହଣ କରିବା ପର ଠାରୁ  ସୀତାରାଣୀ ନିୟମିତ ଦେୟ ଭାବରେ ମଦ ଦୋକାନୀଙ୍କଠାରୁ ଲାଞ୍ଚ ମାଗୁଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ମଦ ଦୋକାନୀ ବିଧୁଭୂଷଣ ପତି ତାଙ୍କୁ ହଇରାଣ କରାଯାଉଥିବା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୂଚନା ପାଇବା ପରେ, ଯୋଜନା ମୁତାବକ ବିଧୁଭୂଷଣ ପ୍ରଥମେ ସୀତାରାଣି ପଟ୍ଟାୟତଙ୍କ ସହ ଟେଲିଫୋନରେ କଥା ହୋଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଚମ୍ପୁଆ ଅବକାରୀ ଇନଚାର୍ଜ ବିଜୟ ମହାନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ୪୦ ହଜାର ଟଙ୍କା ଦେଇଥିଲେ ।

ବିଜୟ ଟଙ୍କା ନେଇ ପ୍ରଥମେ ନିଜ ପକେଟରେ ଓ ପରେ ଅଫିସ ଅଲମାରୀରେ ରଖିଥିଲେ । ଠିକ୍ ସେତିକିବେଳେ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ଆଲମାରୀରୁ ସମସ୍ତ ଟଙ୍କା ଜବତ କରିଥିଲେ । ରେଡ ହ୍ୟାଣ୍ଡେଡ ଧରିବା ପରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେସନର ଅଫିସର ଇନଚାର୍ଜ ଏଏସଆଇ ବିଜୟ କୁମାର ମହାନ୍ତଙ୍କୁ ଗିରଫ ଗିରଫ କରିଛି ଭିଜିଲାନ୍ସ ।

ଏହା ପରେ ଅବକାରୀ ଅଧୀକ୍ଷକ ସୀତାରାଣି ପଟ୍ଟାୟତଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏବଂ ଚମ୍ପୁଆ ଅବକାରୀ ଷ୍ଟେସନର ASI-କମ-OIC ବିଜୟ ମହାନ୍ତଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ କରାଯାଉଛି। ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଲେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନଂ.୧୭/୨୦୨୫, ୟୁ/ଏସ୍-୭ ପିସି (ସଂଶୋଧନ) ଆଇନ, ୨୦୧୮ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ​​​​​​​