ଭୁବନେଶ୍ୱର ୦୫/୧୧: ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା । ପଞ୍ଚୁକର‌ ଆଜି ଶେଷ ଦିବସ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି । ପରମ୍ପରା ସହ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ଆ, କା, ମା, ବୈ... ଗୀତ ସହ ହୁଳହୁଳିରେ ପ୍ରକମ୍ପିତ ପରିବେଶ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଜଳାଶୟରେ ପୋଲିସ ମୁତୟନ ।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ରଧାମ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼ । ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଆଜିର ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଥାଏ।

ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିବା ଆଶଙ୍କା ଥିବାରୁ ପୁରୀ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିର ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ବଗଲା ଧର୍ମଶାଳା ଠାରୁ ହୋଇଥିବା ଛାୟା ପ୍ରଦ ବ୍ୟାରିକେଡ଼ରେ ପ୍ରବେଶ କରି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହିତ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।