ବିଶ୍ୱସ୍ତରୀୟ ନିଯୁକ୍ତି କ୍ଷମତା ବୃଦ୍ଧି ଲକ୍ଷ୍ୟରେ ନର୍ସିଂ କଲେଜ୍‌ଗୁଡ଼ିକରେ ବିଦେଶୀ ଭାଷା ଲ୍ୟାବ୍ ଖୋଲିବେ କର୍ଣ୍ଣାଟକ ସରକାର

Published By : Prameya-News7 Bureau | March 28, 2025 IST

indiatoday

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ସବୁବେଳେ ଭଲ ପ୍ରଦର୍ଶନ କରି ଆସୁଥିବା ଭାରତର ଦକ୍ଷିଣ ରାଜ୍ୟ ମଧ୍ୟରୁ ଗୋଟିଏ କର୍ଣ୍ଣାଟକ ଏକ ବଡ଼ ନିଷ୍ପତ୍ତି ନେଇଛି। ନର୍ସିଂ ଛାତ୍ରମାନଙ୍କର ବିଶ୍ୱସ୍ତରୀୟ ନିଯୁକ୍ତି କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ, କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ନର୍ସିଂ କଲେଜରେ ବିଦେଶୀ ଭାଷା ପ୍ରୟୋଗଶାଳା(ଫରେନ ଲାଙ୍ଗୁଏଜ୍ ଲ୍ୟାବ୍) ସ୍ଥାପନ କରିବାକୁ ଘୋଷଣା କରିଛନ୍ତି। 

ଶୁକ୍ରବାର ଏନେଇ ରାଜ୍ୟ ଚିକିତ୍ସା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶରଣ ପ୍ରକାଶ ପାଟିଲ ଘୋଷଣା କରିଛନ୍ତି। ଡକ୍ଟର ବି.ଆର. ଆମ୍ବେଦକର କଲେଜ ଅଫ୍ ଫିଜିଓଥେରାପିରେ ଏକ ନୂଆ ଫିଜିଓଥେରାପି କୋଠାର ଉଦଘାଟନ ଅବସରରେ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ଏହି ଅବସରରେ ଶ୍ରୀ ପାଟିଲ କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରରେ ଦକ୍ଷ ନର୍ସ ଏବଂ ସମ୍ପର୍କିତ ସ୍ୱାସ୍ଥ୍ୟ ସହଯୋଗୀଙ୍କର ଚାହିଦା ବୃଦ୍ଧି ପାଉଛି। ଜର୍ମାନୀ, ଇଟାଲୀ, ଜାପାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶର ହସ୍ପିଟାଲଗୁଡ଼ିକ ତୁରନ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ଯୋଗାଯୋଗ କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ହସ୍ପିଟାଲଗୁଡ଼ିକରେ ସେମାନଙ୍କ ମାତୃଭାଷାରେ ଦକ୍ଷ ପ୍ରାର୍ଥୀଙ୍କ ଆବଶ୍ୟକତା ରହୁଛି। ଏହାକୁ ଦୃଷ୍ଟିରେ ରଖି ଆମେ ଆମର ଛାତ୍ରଛାତ୍ରୀମାନଙ୍କୁ ସେହି ଅନୁଯାୟୀ ଦକ୍ଷ କରିବାକୁ ପଦକ୍ଷେପ ନେଉଛୁ ବୋଲି ମନ୍ତ୍ରୀ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ ବିଦେଶର ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ, ନର୍ସିଂ ଛାତ୍ରମାନେ ସେମାନଙ୍କ ପାଠପଢ଼ା ସମୟରେ ଜର୍ମାନ, ଜାପାନୀ, ଇଟାଲୀୟ ଏବଂ ଇଂରାଜୀ ଭଳି ଭାଷା ଶିଖିବାର ସୁଯୋଗ ପାଇବେ, ଯାହାଦ୍ୱାରା ବିଦେଶରେ ନିଯୁକ୍ତି ସୁଯୋଗ ପାଇଁ ସେମାନେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ। 

ମନ୍ତ୍ରୀ ଶରଣ ପ୍ରକାଶ ପାଟିଲ

ପଢନ୍ତୁ- ATMରୁ ଅତିରିକ୍ତ ଉଠାଣ ଉପରେ ୧ ମେରୁ ଲାଗିବ ଅଧିକ ୨ଟଙ୍କା ଶୁଳ୍କ

ଶ୍ରୀ ପାଟିଲ ରାଜ୍ୟର ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଉଚ୍ଚ ଶିକ୍ଷାଗତ ମାନ ବଜାୟ ରଖିବାର ଆବଶ୍ୟକତା ଉପରେ ଆହୁରି ଗୁରୁତ୍ୱାରୋପ କରିଥିଲେ। ସେ ନିମ୍ନମାନର ପାରାମେଡିକାଲ୍, ଜେନେରାଲ ନର୍ସିଂ ଏବଂ ମିଡ୍‌ୱାଇଫେରୀ (GNM) ଏବଂ ନର୍ସିଂ କଲେଜଗୁଡ଼ିକୁ ବନ୍ଦ କରିବା କରିବାକୁ ଆହ୍ୱାନ ଦେଇଥିଲେ। ଏବଂ ଦୃଢ଼ ଶିକ୍ଷାଦାନ ଏବଂ ଭିତ୍ତିଭୂମିର ସହଯୋଗରେ ମେଡିକାଲ କଲେଜଗୁଡ଼ିକୁ ଆନୁସଙ୍ଗିକ ସ୍ୱାସ୍ଥ୍ୟ ପାଠ୍ୟକ୍ରମ ପ୍ରଚଳନ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ।

ବର୍ତ୍ତମାନ କର୍ଣ୍ଣାଟକ ଓ ତାମିଲନାଡୁ ଭଳି ଅନ୍ୟାନ୍ୟ ଦକ୍ଷିଣ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଭାଷା ବ୍ୟବହାରକୁ ନେଇ ରାଜନୈତିକ ସ୍ତରରେ ତୀବ୍ର ବିତର୍କ ଜାରି ରହିଛି। କର୍ଣ୍ଣାଟକ ସରକାର ଆଞ୍ଚଳିକ ପରିଚୟକୁ ବଜାୟ ରଖିବା ପାଇଁ କନ୍ନଡ ଭାଷାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଥିବା ବେଳେ, ନର୍ସିଂ କଲେଜଗୁଡ଼ିକରେ ବିଦେଶୀ ଭାଷା ତାଲିମ ପ୍ରଚଳନ ବିଶ୍ୱସ୍ତରୀୟ ନିଯୁକ୍ତି ବଜାରର ଚାହିଦା ପୂରଣ ପାଇଁ ଏକ ଭଲ ପଦକ୍ଷେପ ଭାବରେ ଦେଖାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.