କରଞ୍ଜିଆ ୧୩।୦୯ : ପରକିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ। ମୟୂରଭଞ୍ଜ ଯଶିପୁର ଥାନା ବେଗୁନିଆ ଗାଁର ଘଟଣା। ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକ। ଦୁଇ ଯୁବକ ଓ ମହିଳାଙ୍କୁ ଗାଁ ଲୋକଙ୍କ ଠାରୁ ଉଦ୍ଧାର କରି ସେମାନଙ୍କୁ ଯଶିପୁର ମେଡିକାଲରେ ଭର୍ତ୍ତି କରିଛି ଯଶିପୁର ପୋଲିସ। ଥାନାରେ ମାମଲା ରୁଜୁ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖି ଯଶିପୁର ପୋଲିସ ତଦନ୍ତ ଜାରି ରଖିଛି।

ଖବର ଅନୁଯାୟୀ, ଶୁକ୍ରବାର ମହିଳା ଜଣକ ହାଟ ସଉଦା କରିବାରେ ସାହାଯ୍ୟ ପାଇଁ ନିକଟସ୍ଥ କାଶୀପାଳ ଗାଁରୁ ଦୁଇ ଜଣ ସଂପର୍କୀୟ ଦିଅରଙ୍କୁ ଡାକି ଯଶିପୁର ଆସିଥିଲେ। ସେଠାରେ ଏକ ବାଇକ ଯୋଗେ ମହିଳା ଓ ଦୁଇ ଦିଅର ଗାଁକୁ ଆସିଥିଲେ । ଯାହାକୁ ଦେଖି ଗାଁ ଲୋକ ରାଗିଯାଇଥିଲେ । ଏହାପରେ ତିନି ଜଣଙ୍କୁ ଗାଁ ଛକରେ ଅଟକାଇ ମାଡ଼ ମାରିଥିଲେ । ଏପିରିକି ତିନି ଜଣଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିଥିଲେ । ଠେଙ୍ଗା ବାଡ଼ି ଓ ଚପଲ ସହାୟତାରେ ନିସ୍ତୁକ ପିଟିଥିଲେ ଗାଁଲୋକେ। ସେପଟେ ସଂଧ୍ୟା ସମୟରେ ଖବର ପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ଯଶିପୁର ଥାନା ପୋଲିସ ।​​​