ନୂଆଦିଲ୍ଲୀ ୧୬।୫: ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଅବସର ପରେ ନୂଆ ଦାୟିତ୍ୱ ମିଳିଛି। ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ଲ ୟୁନିଭର୍ସିଟି (ଏନଏଲୟୁ)ରେ ପ୍ରଫେସର ଭାବେ ଯୋଗ ଦେଇଛନ୍ତି। ୟୁନିଭର୍ସିଟି ଏହାକୁ ଭାରତୀୟ ଆଇନ ଶିକ୍ଷାରେ ଏକ ନୂଆ ତଥା ବଡ଼ ପଦକ୍ଷେପ ବୋଲି କହିଛି। ଏ ନେଇ ଏନଏଲୟୁ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇଥିବା ବେଳେ ଏଥିରେ ଏନଏଲୟୁ ଭାଇସ ଚାନ୍ସେଲର ଜି.ଏସ.ବାଜପେୟୀଙ୍କ ସହ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଏକ ଫଟୋ ସେୟାର କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାଇସ ଚାନ୍ସେଲର ବାଜପେୟୀ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ପ୍ରଫେସର ନିଯୁକ୍ତି ନିଷ୍ପତିକୁ ଦେଶର ଆଇନ ଶିକ୍ଷାରେ ଏକ ଐତିହାସିକ କ୍ଷଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଯୋଗଦାନ ଏକ ଗର୍ବର କଥା। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଜଣେ ପ୍ରଗତିଶୀଳ ଜଜ୍ ଥିଲେ ଏବେ ତାଙ୍କ ଉପସ୍ଥିତିରେ ଆମ ବିଶ୍ୱବିଦ୍ୟାଳୟକୁ ଆଇନ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଦିଗଦର୍ଶନ ମିଳିବ। ଏହି ଅବସରରେ ଦିଲ୍ଲୀ ଏନଏଲୟୁ ନୂଆକରି ସେଣ୍ଟର ଫର କନଷ୍ଟିଟ୍ୟୁସନାଲ ଷ୍ଟଡିଜ ପ୍ରାରମ୍ଭ କରିବାକୁ ଯାଉଛି। ଏଠାରେ ଚନ୍ଦ୍ରଚୂଡ଼ ରିସର୍ଚ୍ଚ ଲିଡ କରିବେ।
ଭାଇସଚାନ୍ସେଲର ବାଜପେୟୀ କହିଛନ୍ତି ଯେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ସମ୍ବିଧାନିକ ନୈତିକତା, ଟ୍ରାନ୍ସଫର୍ମେଟିଭ କଷ୍ଟିଟ୍ୟୁସନାଲଜିମ ଓ ମୌଳିକ ଅଧିକାର ବ୍ୟାଖ୍ୟାରେ ଯେଉଁ କାମ କରିଛନ୍ତି ତାହା ଆଇନ ଶିକ୍ଷା ପାଇଁ ଏକ ବହୁତ ବଡ଼ ଅମୂଲ୍ୟ ଯୋଗଦାନ। ଏହା ଛଡା ୟୁନିଭର୍ସିଟି ଜୁଲାଇ ମାସରୁ ଏକ ନୂଆ ପଦକ୍ଷେପ ‘ଇନ ଦି ସ୍ପିରିଟ ଅଫ ଜଷ୍ଟିସ୍: ଦି ଡିୱାଇସି ଡିଷ୍ଟିଂଗୁଇସଡ ଲେକଚର ସିରିଜ’ ମଧ୍ୟ ଆରମ୍ଭ କରିବ। ଏହି ସିରିଜରେ ଚନ୍ଦ୍ରଚୂଡ଼ଙ୍କ ଅଭିଜ୍ଞତା ଆଧାରରେ ଏବେକା ଆଇନଗତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ।
ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ ନଭେମ୍ବର ୨୦୨୪ରେ ସିଜେଆଇ ପଦବୀରୁ ଅବସର ଗ୍ରହଣ କରିଥିଲେ। ସେ ଭାରତର ୫୦ତମ ପ୍ରଧାନବିଚାରପତି ଥିଲେ ଓ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ପର୍ଯ୍ୟନ୍ତ ଥିଲା। ସୁପ୍ରିମକୋର୍ଟରେ ତାଙ୍କର କ୍ୟାରିୟର ୧୩ ମେ ୨୦୧୬ରେ ଆରମ୍ଭ ହୋଇଥିଲା। ଏହି ଅବଧିରେ ସେ ୩୮ କନଷ୍ଟିଟ୍ୟୁସନାଲ ବେଞ୍ଚରେ କାର୍ଯ୍ୟ କରିଥିଲେ। ଅଯୋଧ୍ୟା ଜମି ବିବାଦ, ସମଲିଙ୍ଗ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ହଟାଇବା, ଗୋପନୀୟତାର ଅଧିକାର ଓ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭଳି ଜ୍ୱଳନ୍ତ ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ଶୁଣାଇବାରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।