ଢାକା: ଶେଖ ହସିନାଙ୍କ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ବାଂଲାଦେଶୀ ଅଭିନେତ୍ରୀଙ୍କୁ ନୁସରତ ଫାରିଆଙ୍କୁ ଗିରଫ କରାଯାଇଛି। ରବିବାର ତାଙ୍କୁ ଢାକା ବିମାନ ବନ୍ଦରରେ ଗିରଫ କରାଯାଇଥିବା ବଂଲାଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଶେଖ ମୁଜିବୁର ରହମାନଙ୍କ ବାୟୋପିକ୍ 'ମୁଜିବ: ଦ ମେକିଂ ଅଫ୍ ଏ ନେସନ୍'ରେ ନୁସରତ ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭୂମିକାରେ ଅଭିନୟ କରିଥିଲେ। ପ୍ରଥମ ଆଲୋ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ୩୧ ବର୍ଷୀୟା ନୁସରତ ଆଜି ସକାଳେ ଥାଇଲ୍ୟାଣ୍ଡ ଯାଉଥିବା ବେଳେ ତାଙ୍କୁ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର ଇମିଗ୍ରେସନ ଚେକ୍ ପଏଣ୍ଟରୁ ଗିରଫ କରାଯାଇଥିଲା।
ଗତବର୍ଷ ଜୁଲାଇରେ ହସିନାଙ୍କ ବିରୋଧରେ ସରକାର ବିରୋଧୀ ପ୍ରଦର୍ଶନ ସମୟରେ ହତ୍ୟା ଉଦ୍ୟମ ଅଭିଯୋଗରେ ଦାୟର ହୋଇଥିବା ମାମଲାରେ ଫାରିଆଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା ବୋଲି ଢାକା ବିମାନବନ୍ଦରର ଇମିଗ୍ରେସନ ୟୁନିଟର ଏକ ସୂତ୍ରରୁ ସୂଚନା ମିଳିଛି। ବାଡ୍ଡା ଜୋନର ସହକାରୀ କମିଶନର ଶାଫିକୁଲ ଇସଲାମ ଅଭିନେତ୍ରୀଙ୍କ ଗିରଫ ନେଇ ମିଡିଆକୁ ସୂଚନା ଦେଇଛନ୍ତି।
ପୋଲିସର ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଫାରିଆଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଢାକାର ଭାଟାରା ପୋଲିସ ଷ୍ଟେସନକୁ ନିଆଯାଇଥିଲା। ପ୍ରଥମ ଆଲୋ ରିପୋର୍ଟ ଅନୁଯାୟୀ, ଏହାପରେ ତାଙ୍କୁ ଢାକା ମେଟ୍ରୋପଲିଟାନ ପୋଲିସ (ଡିଏମପି)ର ଡିଟେକ୍ଟିଭ୍ ବ୍ରାଞ୍ଚ (ଡିବି) କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନା ଥାଉକି, ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ମୁଜିବ: ଦି ମେକିଂ ଅଫ୍ ଏ ନେସନ୍'ରେ ଫାରିଆ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଦିବଂଗତ ନିର୍ଦ୍ଦେଶକ ଶ୍ୟାମ ବେନେଗାଲ। ଏହି ଚଳଚ୍ଚିତ୍ରଟି ବାଂଲାଦେଶ ଏବଂ ଭାରତର ମିଳିତ ପ୍ରଯୋଜନାରେ ତିଆରି ହୋଇଥିଲା।
ଫାରିଆ ପ୍ରଥମେ ଜଣେ ରେଡିଓ ଜକି ଏବଂ ଉପସ୍ଥାପିକା ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ୨୦୧୫ରେ ବାଂଲାଦେଶ-ଭାରତ ମିଳିତ ପ୍ରଯୋଜନା ଚଳଚ୍ଚିତ୍ର 'ଆଶିକି: ଟ୍ରୁ ଲଭ୍' ରେ ଅଭିନୟ ଆରମ୍ଭ କରିଥିଲେ। ଫାରିଆ ଅନେକ ବାଂଲାଦେଶୀ ଏବଂ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି, ମୁଖ୍ୟତଃ ବଙ୍ଗଳା ସିନେମାରେ ଅଧିକ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଟେଲିଭିଜନ ହୋଷ୍ଟିଂ ଏବଂ ମଡେଲିଂରେ ମଧ୍ୟ ସକ୍ରିୟ ଅଛନ୍ତି।