ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଆମେରିକାର ଫେଡେରାଲ ତଦନ୍ତ ବ୍ୟୁରୋ (ଏଫବିଆଇ)ର ମିଳିତ ପ୍ରୟାସରେ ଏକ ପ୍ରମୁଖ ସାଇବର ଅପରାଧ ସିଣ୍ଡିକେଟକୁ ଧରିଛନ୍ତି। ବୁଧବାର ଭାରତରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଦୂତାବାସ ପକ୍ଷରୁ ଏକ୍ସରେ ପୋଷ୍ଟ କରି କୁହାଯାଇଛି ଯେ ଏହି ଅଭିଯାନର ଲକ୍ଷ୍ୟ ଏକ ଏମିତି ନେଟୱର୍କକୁ ଟାର୍ଗେଟ୍ କରିବାର ଥିଲା, ଯାହା ଉପରେ ଟେକ୍-ସପୋର୍ଟ ସ୍କାମ୍ ମାଧ୍ୟମରେ ଆମେରିକୀୟ ନାଗରିକଙ୍କୁ ପ୍ରାୟ $୪୦ ନିୟୁତ ଠକେଇର ଅଭିଯୋଗ ରହିଥିଲା। ସମନ୍ୱିତ କାର୍ଯ୍ୟାନୁଷ୍ଠାନ ସମୟରେ ଠକେଇ ପଛରେ ଥିବା ପ୍ରମୁଖ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିଲା।
ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ଦୁଇ ଏଜେନ୍ସି ମଧ୍ୟରେ ମିଳିତ ଗୁଇନ୍ଦା ସୂଚନା ଏବଂ ସହଯୋଗର ଲକ୍ଷ୍ୟ ଅନ୍ତର୍ଜାତୀୟ ଠକେଇ ନେଟୱାର୍କକୁ ଭାଙ୍ଗିବା, ଭବିଷ୍ୟତର ଠକେଇକୁ ରୋକିବା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବୋଲି ଆମେରିକା ଦୂତାବାସ କହିଛି।
ସେପଟେ ଭାରତ ଉପରେ ଆଜି ଠାରୁ ଟ୍ରମ୍ପଙ୍କର ୫୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି। ଯାହାକୁ ନେଇ ଦୁଇ ଦେଶର ସମ୍ପର୍କ ଆହୁରି ତିକ୍ତ ହେବାରେ ଲାଗିଛି।
ଆମେରିକାକୁ ଭାରତର ଦୁଇ ତୃତୀୟାଂଶ ରପ୍ତାନୀ ଯାହାର ବାର୍ଷିକ ମୂଲ୍ୟ ପାଖାପାଖି ୬୦ ବିଲିୟନ ଡଲାରରୁ ଅଧିକ ଏବେ ଟାରିଫ ପରିସର ଭୁକ୍ତ ହୋଇଛି। ଏହା ଚଳିତମାସ ପ୍ରାରମ୍ଭରେ ଅଧିସୂଚିତ ୨୫% ହାରର ଦୁଇ ଗୁଣା। ଆମେରିକା ରାଷ୍ଟ୍ରପତିଙ୍କ ଅନୁସାରେ ଭାରତ ଲଗାତାର ଋଷିଆରୁ ଅଶୋଧିତ ତୈଳ ଓ ପ୍ରତିରକ୍ଷା ଉପକରଣ କ୍ରୟ କରୁଥିବାରୁ ଲାଗୁ ହୋଇଛି।
ଥିଙ୍କଟ୍ୟାଙ୍କ ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ (ଜିଟିଆରଆଇ) ଅନୁସାରେ ଭାରତ ପ୍ରତି ବର୍ଷ ଆମେରିକାକୁ ପାଖାପାଖି ୮୬.୫ ବିଲିୟନ ଡଲାରର ରପ୍ତାନୀ କରିଥାଏ। ଏହାର ପାଖାପାଖି ଦୁଇ ତୃତିୟାଂଶ ଯାହା ଜିଟିଆରଆଇ ଅନୁମାନ ଅନୁସାରେ ପାଖାପାଖି ୬୦.୨ ବିଲିୟନ ଡଲାର ସାମଗ୍ରୀ ଉପରେ ୫୦% ଟାରିଫ ଲାଗିବ। ତେବେ ସରକାରୀ ଅନୁମାନ ଏହାଠୁ ଟିକେ କମ, ଅର୍ଥାତ ୪୮.୨ବିଲିୟନ ଡଲାର ରପ୍ତାନୀ ଉପରେ ଏହି ଟାରିଫର ପ୍ରଭାବ ପଡିବା ଅନୁମାନ କରାଯାଉଛି।
ତେବେ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ନୂଆ ଶୁଳ୍କ କାରଣରୁ ଆମେରିକାକୁ ରପ୍ତାନୀ ଏବେ ବ୍ୟବସାୟୀକ ରୂପେ ଅବ୍ୟବହାରିକ ହୋଇପାରେ। ଏଣୁ ଚାକିରି ହ୍ରାସ ପାଇବା ସହ ଆର୍ଥିକ ବିକାଶ ମାନ୍ଦା ହେବ।