ଆକ୍ସନ ପୂର୍ବରୁ ୩୦ ମିନିଟ୍ ଆଲୋଚନା; ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା । ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ସେ ଭେଟ କରିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଭେଟଘାଟ ହୋଇଛି । ଦୁଇ ନେତା ପ୍ରାୟ ୩୦ ମିନିଟ୍ ଧରି କଥାବାର୍ତ୍ତା ହୋଇଛନ୍ତି । ଏଥିରେ ଦେଶ ଓ ରାଜ୍ୟ ସୁରକ୍ଷାକୁ ନେଇ ବିସ୍ତାରରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । 

କେନ୍ଦ୍ର ସରକାରଙ୍କ ସହିତ ଜମ୍ମୁ-କାଶ୍ମୀର ସରକାର:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓମାର ଅବଦ୍ଦୁଲ୍ଲାଙ୍କ ବୈଠକ ପୂର୍ବରୁ ନ୍ୟାସନାଲ୍ କନଫ୍ରେନ୍ସ ସୂତ୍ରରୁ କୁହାଯାଇଛି, ପହଲଗାମ ହମଲାକୁ ନେଇ କେନ୍ଦ୍ର ସରକାର ଯେଉଁ ଆକ୍ସନ ନେବେ ଏଥିରେ ଜମ୍ମୁ-କାଶ୍ମୀର ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିବ । ଦେଶ ସୁରକ୍ଷା ମୁଦ୍ଦାରେ କେନ୍ଦ୍ରକୁ ସାଥ୍ ଦେବ ନ୍ୟାଶନାଲ୍ କନଫ୍ରେନ୍ସ ।

ଦେଶ ଓ ଜମ୍ମୁ-କାଶ୍ମୀର ସୁରକ୍ଷା ନେଇ ଚ୍ୟାଲେଞ୍ଜ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲାଙ୍କ ମଧ୍ୟରେ ସାକ୍ଷାତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ କଠୋର ନିଷ୍ପତ୍ତି ନେବାକୁ ଯୋଜନା କରୁଥିବାର ଏହା ଏକ ସଙ୍କେତ ।

ଏକ ହୋଇ ରହିବାକୁ ଫାରୁକ୍ ଅବଦ୍ଦୁଲ୍ଲାଙ୍କ ଅପିଲ୍:

ଏହି ବୈଠକ ପୂର୍ବରୁ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍ କନଫ୍ରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦ୍ଦୁଲ୍ଲା ପହଲଗାମ ହମଲାକୁ କଡ଼ା ନିନ୍ଦା କରିଛନ୍ତି । ଏହା ସହିତ ଆତଙ୍କବାଦୀଙ୍କ ବିରୋଧରେ ଜମ୍ମୁ-କାଶ୍ମୀରବାସୀଙ୍କୁ ଏକଜୁଟ୍ ହେବାକୁ ଅପିଲ୍ କରିଛନ୍ତି । ଆକ୍ରମଣରେ ସାମିଲ୍ ଥିବା ଲୋକ ମାନବତ୍ବର ଶତ୍ରୁ, ସେମାନେ ନର୍କରେ ସଢ଼ିବେ ବୋଲି କହିଛନ୍ତି । ଏହାଛଡ଼ା ଫାରୁକ୍ ଅବଦ୍ଦୁଲ୍ଲା ସିନ୍ଧୁ ଜଳ ସନ୍ଧିକୁ ପୁଣିଥରେ ପୁନରାବୃର୍ତ୍ତି କରିବାକୁ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.