ନୂଆଦିଲ୍ଲୀ, ୧୯|୧୧: ଭାରତରେ ହେବ ବଡ ଆକ୍ରମଣ । ଆତ୍ମଘାତୀଙ୍କୁ ପ୍ରସ୍ତୁତ କରୁଛି ଆତଙ୍କବାଦୀ ସଙ୍ଗଠନ । ଏଥିପାଇଁ ଚାଲିଛି ଅର୍ଥ ସଂଗ୍ରହ । କିଛି ଏପରି ଗୁଇନ୍ଦା ସୂଚନା ପାଇଛନ୍ତି ତଦନ୍ତକାରୀ ସଂସ୍ଥା । ଦେଶରେ ଅଧିକରୁ ଅଧିକ ଆକ୍ରମଣ ପାଇଁ ପ୍ରାୟ କୋଟି କୋଟି ଟଙ୍କା ସଂଗ୍ରହ ଚାଲିଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ଭାରତ ବିରୋଧରେ ଜୈଶ-ଏ-ମହମ୍ମଦ ବଡ ଷଡଯନ୍ତ୍ର ଆରମ୍ଭ କରିଛି । ଦିଲ୍ଲୀ ବିସ୍ଫୋରଣ ଭଳି ଆହୁରି ଅନେକ ଆତ୍ମଘାତୀ ଆକ୍ରମଣ ପାଇଁ ଟଙ୍କା ଯୋଗାଡ ଚାଲିଛି । ଅନ୍ତର୍ଜାତୀୟ ସ୍ତରରୁ ଟଙ୍କା ଅଣାଯାଉଛି । ଆତଙ୍କବାଦୀ ଉମର ଉପରେ ହୋଇଥିବା ତଦନ୍ତରୁ ଏକଥା ଜାଣିପାରିଛି ଗୁଇନ୍ଦା ବିଭାଗ । ଖାଲି ଏତିକି ନୁହେଁ ପାକିସ୍ତାନୀ ପେମେଣ୍ଟ୍ ଗେଟଓ୍ୱେ 'ସଦା ପେ' ସାହାଯ୍ୟରେ ଟଙ୍କାର ନେଣଦେଣ ଚାଲୁଛି । କିଛି ମହିଳାଙ୍କୁ ମିଶନରେ ସାମିଲ କରାଯାଇଛି । ସେମାନଙ୍କୁ ଫିଦାଏଁ ବା ଆତ୍ମଘାତୀ ଆକ୍ରମଣରେ ସାମିଲ କରାଯିବ ।

ଜୈଶ ପାଖରେ ପୂର୍ବରୁ ମହିଳା ସଙ୍ଗଠନ ରହିଛି । ଏହାର ନେତୃତ୍ୱ ନେଉଛି ଆତଙ୍କବାଦୀ ମାସୁଦ ଆଜାହରରେ ଭଉଣୀ ସାଦିୟା । ଅପରେସନ ସିନ୍ଦୂର ପରେ ଏହାକୁ ଗଠନ କରାଯାଇଛି । ଖାଲି ଏତିକି ନୁହେଁ ଦିଲ୍ଲୀ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ମହିଳା ଡାକ୍ତର ସାହିନା ସୟିଦ ଜୈଶ ସହ ସମ୍ପର୍କରେ ରହିଥିଲା । ତାଦ୍ୱାରା ଅନେକ ଆର୍ଥିକ କାରବାର କରାଯାଇଛି ।

ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଜୈଶ ନୂଆ ଯୋଜନା ଆରମ୍ଭ କରିଛି । ଯିଏ ଅର୍ଥ ପ୍ରଦାନ କରିବ ତାକୁ ମୁଜାହିଦ ବା ଯୋଦ୍ଧାର ଆଖ୍ୟା ମିଳିବ । ସେମାନେ ଜିହାଦୀ ଭାବେ ପରିଗଣିତ ହେବେ । ମୃତ୍ୟୁ ପରେ ମଧ୍ୟ ଜିହାଦୀ ଆଖ୍ୟା ମିଳିବ । ଜଣଙ୍କଠାରୁ ୨୦ ହଜାର ପାକିସ୍ତାନୀ ଟଙ୍କା ଆଦାୟ ହେଉଛି । ଯାହାର ମୂଲ୍ୟ ଭାରତରେ ୬ ହଜାର ୪୦୦ ଟଙ୍କା ହେବ । ଏହାକୁ ଶୀତକାଳୀନ ବସ୍ତ୍ର କଣିବା ପାଇଁ ବ୍ୟବହାର କରାଯିବ । ଏହାସହ ଟଙ୍କାରେ ଟେଣ୍ଟ୍ କିଣାଯିବ । କୌଣସି ଆକ୍ରମଣ ପୂର୍ବରୁ ଏବଂ ପରେ ଏସବୁ ଜିନିଷ କାମରେ ଆସିବ । ତେବେ ଏହି ଆତଙ୍କବାଦୀ ଲିଙ୍କକୁ ଧଂସ କରିବା ପାଇଁ ଏନଆଇଏ ଏବଂ ଏଟିଏସ ଭଳି ତଦନ୍ତକାରୀ ସଂସ୍ଥା ଲଗାତାର ପ୍ରୟାସ କରୁଥିବା ଅଧିକାରୀ କହିଛନ୍ତି ।