LIVE TV

ପଦ୍ମ ଧରିଲେ ଜୟ ଢୋଲକିଆ, ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ଯୋଗଦେଲେ

NEWS7
BJP

ଭୁବନେଶ୍ବର ୧୧।୧୦: ସବୁ କଳ୍ପନା ଜଳ୍ପନାର ହୋଇଛି ଅନ୍ତ । ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ । ବିଜେଡିକୁ ଲାଗିଛି ଶକ୍ତ ଝଟ୍‌କା । ନୂଆପଡ଼ା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ଭୁବନେଶ୍ବର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଜୟ ଢୋଲକିଆ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର, ବିଧାୟକ ବାବୁ ସିଂ, ସରୋଜ ପାଢ଼ୀ, ହିମାଂଶୁ ଶେଖର ସାହୁ, ପ୍ରକାଶ ସେଠୀ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଅଛନ୍ତି ।

ଯେହେତୁ ରାଜେନ୍ଦ୍ର ଢ଼ୋଲକିଆ ବିଜେଡି ଦଳରୁ ବିଧାୟକ ହୋଇଥିଲେ ତେଣୁ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ଦଳରୁ ପ୍ରାର୍ଥୀ ହେବେ ବୋଲି ଏକପ୍ରକାର ନିଶ୍ଚିତ ଥିଲା । ହେଲେ ଦଳ ତାଙ୍କୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିଲା । ତେବେ ଏସବୁ ଭିତରେ କିନ୍ତୁ ନୂଆପଡ଼ା ସମୀକରଣ ବଦଳିଯାଇଛି । ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି ।

ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍‌ ଧରିଛି ନୂଆପଡ଼ା ରାଜନୀତି । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗ୍ରହଣ ହେବ । ଘାସିରାମ ମାଝୀଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ​​​​​​​କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି । ସେପଟେ ପଦଯାତ୍ରା କରି ଦଳ ସହ ଲୋକଙ୍କୁ ଯୋଡିବା ପ୍ରୟାସ ଆରମ୍ଭ କରିଛି ବିଜେଡି । ସେହିଭଳି ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା ସହ ପ୍ରଚାରକୁ ଓହ୍ଲାଇ ସାରିଲାଣି । ଏବେ ନଜର ବିଜେପି ଓ ବିଜେଡି କାହାକୁ କରୁଛନ୍ତି ପ୍ରାର୍ଥୀ । ​​​​​​​

ଗତ ନିର୍ବାଚନରେ ନୂଆପଡ଼ାରୁ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ । ତାଙ୍କୁ ୬୧ ହଜାର ୮୨୨ ଭୋଟ୍ ମିଳିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ଥିଲେ, ତାଙ୍କୁ ମିଳିଥିଲା ୫୦ ହଜାର ୯୪୧ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଥିବାବେଳେ କଂଗ୍ରେସରୁ ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ଥିଲେ । ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଗୋଟି ଚାଳନା କରିଛି ।​​​​​​​ ଏବେ ଜୟ ଢୋଲକିଆଙ୍କୁ ଦଳରେ ମିଶାଇ ବିଜେପି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏସବୁ ଭିତରେ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରସନ୍ନ ପାଢ଼ୀ । ଏକଦା ବିଜେଡି ନେତା ଥିଲେ ପ୍ରସନ୍ନ ପାଢ଼ୀ । ସବୁବେଳେ ବିଜେଡିରୁ ଟିକେଟ୍ ଆଶାୟୀ ରହିଥିଲେ । ହେଲେ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଟିକେଟ୍ ଦେଉଥିଲା । ତେଣୁ ୨୦୧୪ରେ ବିଜେପିରେ ମିଶିଥିଲେ ପ୍ରସନ୍ନ ପାଢ଼ୀ । ଏବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ନେଇ ଏକପ୍ରକାର ସ୍ପଷ୍ଟ ହେବା ପରେ ପ୍ରସନ୍ନ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ପ୍ରସନ୍ନ ବିଜେପି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି । କୁହାଯାଉଛି ନୂଆପଡ଼ା ରାଜନୈତିକ ସମୀକରଣରେ ବିଜେଡି ପ୍ରସନ୍ନଙ୍କ ଉପରେ ନଜର ରଖିଛି ।