ନୂଆଦିଲ୍ଲୀ ୧୦/୧୧: କାଶ୍ମୀରରୁ ଫରିଦାବାଦ । ଲମ୍ୱିଥିଲା ବଡ଼ ଆତଙ୍କୀ ପ୍ଲାନ୍ । AK-47 ରୁ ୩୦୦ କିଲୋର ବିସ୍ଫୋରକ ଜବତ । ରୋଗୀଙ୍କ ଚିକିତ୍ସା ପରିବର୍ତ୍ତେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରୁଥିଲେ ଡାକ୍ତର । ବଡ଼ ଆତଙ୍କୀ ଯୋଜନାକୁ ପଣ୍ଡ କରିଛି ଜମ୍ମୁ କାଶ୍ମୀର ପୋଲିସ । ବଡ଼ ପର୍ଦ୍ଦାଫାସ କରିଛି ପୋଲିସ । ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମ୍ମଦଙ୍କ ସୂଚନା ପରେ, ପୋଲିସ ହରିୟାଣାର ଫରିଦାବାଦରୁ ୩୦୦ କିଲୋଗ୍ରାମ ବିସ୍ଫୋରକ (ଆମୋନିୟମ୍ ନାଇଟ୍ରେଟ୍), ଏକ AK-୪୭ ରାଇଫଲ୍ ଓ ବିପୁଳ ପରିମାଣର ଗୁଳି ଜବତ କରିଛି ।

ନଭେମ୍ବର ୮ ତାରିଖରେ, ଶ୍ରୀନଗର ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଅନନ୍ତନାଗର ସରକାରୀ ମେଡିକାଲ୍ କଲେଜ (GMC)ର ପୂର୍ବତନ ଡାକ୍ତର ଡାକ୍ତର ଆଦିଲ ଅହମ୍ମଦଙ୍କ ଲକରରୁ ଏକ AK-47 ରାଇଫଲ୍ ଜବତ କରିଛି । ଏହା ପରେ, ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । 
ରିପୋର୍ଟ ଅନୁଯାୟୀ, ଆଦିଲ ଅହମ୍ମଦ ଅନନ୍ତନାଗରେ ଜଣେ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ ।

ତେବେ ତାଙ୍କ ଲକରରୁ ଏକ AK-47 ରାଇଫଲ୍ ମିଳିବା ପରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ତାଙ୍କର ଲିଙ୍କ୍ ନେଇ ସୁରକ୍ଷା ଏଜେନ୍ସିର ସନ୍ଦେହ ଘନୀଭୂତ ହୋଇଥିଲା । ଜୈଶ ସହ ତାଙ୍କର ଲିଙ୍କ୍ ପାଇଁ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରାଯିବା ସମୟରେ, ଫରିଦାବାଦରେ ଡାକ୍ତରଙ୍କ ବାସଭବନରୁ ବିପୁଳ ପରିମାଣର ବିସ୍ଫୋରକ (ଆମୋନିୟମ୍ ନାଇଟ୍ରେଟ୍) ଉଦ୍ଧାର କରାଯାଇଥିଲା। ସୂତ୍ର ଅନୁଯାୟୀ, ଡାକ୍ତର ଆଦିଲ ଅହମ୍ମଦ ପଚରାଉଚରା ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ। 

ସୂଚନା ଅନୁଯାୟୀ, ଏକ ପୋଲିସ ଦଳ ଫରିଦାବାଦରେ ଚଢାଉ କରିଥିଲା । ଯେଉଁଠାରେ ପ୍ରାୟ ୩୦୦ କିଲୋଗ୍ରାମ ବିସ୍ଫୋରକ (ଆମୋନିୟମ୍ ନାଇଟ୍ରେଟ୍), ଏକ AK-47 ରାଇଫଲ୍ ଏବଂ ଅନେକ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଥିଲା। ପୋଲିସ କହିଛି ଯେ ଏହି ବିସ୍ଫୋରକ ସାମଗ୍ରୀ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ବ୍ୟବହାର କରାଯାଇପାରେ।

ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଡାକ୍ତରଙ୍କର ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିଲା । ସେ ଦୀର୍ଘ ସମୟ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସହାୟତାକାରୀ ଭାବରେ କାର୍ଯ୍ୟ କରୁଥିଲେ। ପୋଲିସ ବିଶ୍ୱାସ କରୁଛି ଯେ ଏହି ସମ୍ପୂର୍ଣ୍ଣ ନେଟୱାର୍କରେ ଅନେକ ରାଜ୍ୟର ଲୋକ ସାମିଲ ଅଛନ୍ତି ।

ଆଗାମୀ ଦିନରେ ଆହୁରି ଗିରଫଦାରୀ ବଢିବ ବୋଲି ପୋଲିସ ଆଶା । ସୁରକ୍ଷା ଏଜେନ୍ସି ଟାର୍ଗେଟରେ ଗୋଟିଏ ପ୍ରସଙ୍ଗ ଯେ, ଏତେ ପରିମାଣର ବିସ୍ଫୋରକ (ଆମୋନିୟମ୍ ନାଇଟ୍ରେଟ୍) ହରିୟାଣାରେ କିପରି ପହଞ୍ଚିଲା । କଣ ଥିଲା ସେମାନଙ୍କର ଅସଲ ଉଦ୍ଦେଶ୍ୟ । ଏସବୁ ଟିକିନିଖି ଯାଞ୍ଚ କରୁଛି ପୋଲିସ ।