ଭାରତର ମିସାଇଲ୍ ପ୍ରଣାଳୀକୁ ମିଳିବ ନୂଆ ବଳ, SFDR ଟେକ୍ନୋଲୋଜିର ସଫଳ ପରୀକ୍ଷଣ କଲା ଡିଆରଡିଓ

NEWS7
jagatguru-shankaracharya-opens-up-on-digha-jagannath-temple-controversy

ଭୁବନେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଲଗାତାର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନୂଆ ନୂଆ ସଫଳତା ମିଳିଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ମଙ୍ଗଳବାର ସକାଳେ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR) ପ୍ରଯୁକ୍ତିବିଦ୍ୟା ସଫଳ ପରୀକ୍ଷଣ କରିଛି । ଏହି ସଫଳ ପରୀକ୍ଷଣ ସହିତ, ଭାରତ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ଥିବା କିଛି ସୀମିତ ଦେଶ ମଧ୍ୟରେ ସାମିଲ ହୋଇଛି ।

ଏହି ପ୍ରଯୁକ୍ତିବିଦ୍ୟା ଦୂରଗାମୀ ଆକାଶରୁ ଆକାଶ କ୍ଷେପଣାସ୍ତ୍ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପରୀକ୍ଷଣ ସମୟରେ, ସମସ୍ତ ପ୍ରମୁଖ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା । ଏଥିରେ ନୋଜଲ୍-ଲେସ୍ ବୁଷ୍ଟର୍, ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ ମୋଟର ଏବଂ ଫୁଏଲ ଫ୍ଲୋ କଣ୍ଟ୍ରୋଲର ଅନ୍ତର୍ଭୁକ୍ତ ରହିଥିଲା ।

ସିଷ୍ଟମକୁ ପ୍ରଥମେ ଗ୍ରାଉଣ୍ଡ ବୁଷ୍ଟର ମୋଟର ସାହାଯ୍ୟରେ ନିର୍ଦ୍ଧାରିତ ମାକ୍ ନମ୍ବରରେ ପହଞ୍ଚା ଯାଇଥିଲା । ଏହା ପରେ ଏସଏଫଡିଆର ସିଷ୍ଟମ ସଫଳତାର ସହ ନିୟୋଜିତ ହୋଇଥିଲା । ଚାନ୍ଦିପୁରର ଆଇଟିଆର ଦ୍ୱାରା ବଙ୍ଗୋପସାଗର ଉପକୂଳରେ ନିୟୋଜିତ ଏକାଧିକ ଟ୍ରାକିଂ ଉପକରଣରୁ ପ୍ରାପ୍ତ ଉଡ଼ାଣ ତଥ୍ୟରୁ ପରୀକ୍ଷଣ ସଫଳ ଥିବା ସ୍ପଷ୍ଟ କରାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସଏଫଡିଆର ପ୍ରଯୁକ୍ତିର ସଫଳ ପ୍ରଦର୍ଶନ ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ସମୀର ଭି.କାମତ ଏହି ସଫଳ ଉଡ଼ାଣ ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଥିଲେ ।