ଝାରପଡ଼ା ଜେଲ୍‌ରୁ ବାହାରିଲେ ଜଗନ୍ନାଥ ପ୍ରଧାନ, ଭବ୍ୟ ସ୍ଵାଗତ କଲେ ଦଳୀୟ କର୍ମୀ ଓ ନେତା

Published By : Prameya-News7 Bureau | July 09, 2025 IST

ଭୁବନେଶ୍ଵର: ବହୁନାଟକୀୟ ଘଟଣାକ୍ରମେ ଗିରଫ ହୋଇ ୧୪ ଦିନ ବିଚାର ବିଭାଗୀୟ ହାଜତରେ ଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଜେଲ୍‌ରୁ ମୁକୁଳିଛନ୍ତି। ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ। ବୁଧବାର ଜାମିନ ପ୍ରଦାନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜଣେ ଜାମିନଦାର ଓ ୩୦ ହଜାର ଟଙ୍କା ବଦଳରେ ତାଙ୍କୁ ଜାମିନ୍ ମିଳିଛି। 

ଝାରପଡ଼ା ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ ବାହାରେ ଦଳୀୟ ନେତା ଓ କର୍ମୀ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ଦେଇଛନ୍ତି। ବେକରେ ଫୁଲମାଳ ସହ ବନ୍ଦାପନା କରିଛନ୍ତି ବିଜେପିର ମହିଳା ନେତ୍ରୀ। ଶତାଧିକ ସମର୍ଥକ ଜେଲ୍‌ ବାହାରେ  ଜଗନ୍ନାଥ ପ୍ରଧାନଙ୍କୁ ପାଛୋଟି ନେଇଛନ୍ତି। 

ଗତ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏଠାରେ ତାଙ୍କୁ ପୋଲିସ ଗିରଫ କରିଥିଲା।  ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ଏହା ପରେ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲ।। ଜାମିନ ନାମଞ୍ଜୁର ପରେ ଜଗନ୍ନାଥଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଜଗା ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଥିଲା। ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଦଫା ଗୁଡ଼ିକ ହେଲା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨) ୬୨, ୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫)। 

ଗିରଫ ପୂର୍ବରୁ ଜଗନ୍ନାଥ ପ୍ରଧାନ ଡିସିପି ଅଫିସରେ ଗଣମାଧ୍ୟମକୁ କହିଥିଲେ ଯେ, ଜୁନ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ସର୍ବସାଧାରଣରେ ନିନ୍ଦା କରି ଆସିଛି। ଏମିତି ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା ଉଚିତ୍ ନୁହେଁ। ଏହି ଘଟଣାରେ ମୋର କୌଣସି ସଂପୃକ୍ତି ନ ଥିବା ସତ୍ତ୍ବେ ବିଭିନ୍ନ ଦିଗରୁ ମୋତେ, ମୋ ଦଳ ଏବଂ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଗଲା। ଓଏଏସ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫଦାରୀ କରି ଆନ୍ଦୋଳନ କରି ଆସିଛି। 

ସେ ଏହା ମଧ୍ୟ କହିଥିଲେ ଏହି ଆନ୍ଦୋଳନ ଫଳରେ ବନ୍ୟାରେ ପ୍ରଭାବିତ ଲୋକେ ଓ ବନ୍ୟା କ୍ଷୟକ୍ଷତିର ଆକଳନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା, ମହାପ୍ରଭୁଙ୍କ ସୁନା ବେଶ ମଧ୍ୟ ପ୍ରଭାବିତ ହୋଇପାରେ। ମୋ ଗିରଫଦାରୀ ଯଦି ଏହି ସମସ୍ୟାର ସମାଧାନ ତେବେ ମୁଁ ଉକ୍ତ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ସବୁ ସହଯୋଗ କରିବାକୁ ଯାଉଛି। 


ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରି ସାରିଥିଲା। ଜୁଲାଇ ୧ରେ ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଥିଲେ। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ। ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି। ତେବେ ବିରୋଧୀ ଦଳ ବିଜେଡି ଓ ଓଏଏସ ସଂଘ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.