ନୂଆଦିଲ୍ଲୀ: ଭାରତୀୟ ମହାକାଶ ଏଜେନ୍ସି ୪୦ ମହଲା ଉଚ୍ଚ ବିଶିଷ୍ଟ ରକେଟ୍ ନିର୍ମାଣ କରୁଛି । ଏହି ରକେଟ୍ ସାହାଯ୍ୟରେ ୭୫ ହଜାର କିଲୋଗ୍ରାମର ପେଲୋଡକୁ ପୃଥିବୀର ନିମ୍ନ କକ୍ଷକୁ ପଠାଯାଇପାରିବ । ଇସ୍ରୋ ମୁଖ୍ୟ ଭି ନାରାୟଣନ ଓସ୍ମାନିଆ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଏହା କହିଛନ୍ତି ।
ଇସ୍ରୋ ମୁଖ୍ୟ କହିଛନ୍ତି, ଚଳିତ ବର୍ଷ ଇସ୍ରୋ ପାଖରେ ଏନ୍ଏଭିଆଇସି ଉପଗ୍ରହ, ଏନ୍୧ ରକେଟ୍ ଉପରେ ପରିଯୋଜନା ରହିଛି । ଏହା ବ୍ୟତୀତ ଆମେରିକାର ୬,୫୦୦ କିଲୋଗ୍ରାମର ସଂଚାର ଉପଗ୍ରହକୁ ଭାରତୀୟ ରକେଟ୍ ଜରିଆରେ ପୃଥିବୀ କକ୍ଷକୁ ପଠାଯିବା କାମ ମଧ୍ୟ ଏଜେନ୍ସି ପାଖରେ ରହିଛି । ନାରାୟଣନ କହିଛନ୍ତି, ଆପଣ ଜାଣନ୍ତି କି ପ୍ରଥମ ରକେଟର କ୍ଷମତା କେତେ ଥିଲା ? ଏପିଜେ ଅବଦୁଲ୍ କଲାମ ପ୍ରଥମେ ଯେଉଁ ଲଞ୍ଚର୍ ନିର୍ମାଣ କରିଥିଲେ, ତାର ଓଜନ ୧୭ ଟନ୍ ଥିଲା ଓ ତାହା ୩୫ କିଲୋଗ୍ରାମର ପେଲୋଡ୍ ପୃଥିବୀର ନିମ୍ନ କକ୍ଷକୁ ପଠାଇ ପାରୁଥିଲା । ଆଜି ଆମେ ୭୫ ହଜାର କିଲୋଗ୍ରାମର ପେଲୋଡ୍ ପଠାଇବା ପାଇଁ ସକ୍ଷମ ଥିବା ରକେଟ୍ ନିର୍ମାଣ କରୁଛି, ଯାହା ୪୦ ମହଲା ବିଶିଷ୍ଟ ବିଲ୍ଡିଂ ଉଚ୍ଚ ହେବ ।
ନାରାୟଣନ କହିଛନ୍ତି ଯେ ଇସ୍ରୋ ଚଳିତ ବର୍ଷ ଭାରତୀୟ ନୌସେନା ପାଇଁ ନିର୍ମିତ ଏକ ସାମରିକ ଯୋଗାଯୋଗ ଉପଗ୍ରହ GSAT-7R ଉତ୍କ୍ଷେପଣ କରିବାକୁ ଯୋଜନା କରୁଛି, ଯାହା ପୂର୍ବରୁ ଥିବା GSAT-7 (ରୁକ୍ମିଣୀ) ଉପଗ୍ରହର ସ୍ଥାନ ନେବ । ଏହା ବ୍ୟତୀତ ଏକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଉପଗ୍ରହକୁ ମଧ୍ୟ ମହାକାଶକୁ ପଠାଯିବ ।
ଇସ୍ରୋ ମୁଖ୍ୟ ଅହୁରି କହିଛନ୍ତି, ବର୍ତ୍ତମାନ ପୃଥିବୀ କକ୍ଷରେ ଭାରତର ୫୫ ଉପଗ୍ରହ ରହିଛି, ଯାହା ଆଗାମୀ ତିନି-ଚାରି ବର୍ଷରେ ତିନି ଚାରି ଗୁଣ ବଢିବ । ସମାବର୍ତ୍ତନ ସମାରୋହରେ ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ନାରାୟଣନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଛନ୍ତି ।