LIVE TV

ଗାଜା ଦଖଲ ଅଭିମୁଖେ ଇସ୍ରାଏଲ: ଭୟଙ୍କର ଆକ୍ରମଣରେ ୬୦ ମୃତ

NEWS7
Israel presses on with Gaza City assault

ନୂଆଦିଲ୍ଲୀ: ଗୋଟିଏପଟେ ପଶ୍ଚିମ ଦେଶଗୁଡ଼ିକ ପାଲେଷ୍ଟାଇନ୍‌କୁ ସ୍ୱାଧୀନ ରାଷ୍ଟ୍ର ଭାବେ ସ୍ୱୀକୃତି ଦେବା ଆରମ୍ଭ କରିଦେଇ ଥିବା ବେଳେ ଏପଟେ ଇସ୍ରାଏଲ ରବିବାର ଗାଜାରେ ଉପରେ ଦୁର୍ଦ୍ଦଶ ଆକ୍ରମଣ କରିଛି। ଇସ୍ରାଏଲର ଭୟଙ୍କର ଆକ୍ରମଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ହସ୍ପିଟାଲର କର୍ମଚାରୀ, ତାଙ୍କ ପତ୍ନୀ  ଏବଂ ତିନି ଜଣ ପିଲା ମଧ୍ୟ ଅଛନ୍ତି ।

ଏହା ବ୍ୟତୀତ, ସହରର ଦକ୍ଷିଣ ଭାଗରେ ଏକ ଆବାସିକ କୋଠାରେ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ହେଲେ ମଧ୍ୟପ୍ରାଚ୍ୟର ମିଡିଆ ଅଲଜଜିରା ମୃତ୍ୟୁ ସଂଖ୍ୟା ୫୦ ବୋଲି ଲେଖିଛି। ସେହିପରି ରୟଟର୍ସ କହିଛି ଇସ୍ରାଏଲ୍‌ ଆକ୍ରମଣରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲର ଏହି ଆକ୍ରମଣ ଜାତିସଂଘର ବୈଠକ ପୂର୍ବରୁ ହୋଇଛି। ଏହି ବୈଠକରେ ଅନେକ ଦେଶ ପାଲେଷ୍ଟାଇନକୁ ଏକ ସ୍ବାଧୀନ ରାଷ୍ଟ୍ରଣ ମାନ୍ୟତା ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ଆସୋସିଏଟ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା ଗାଜା ସହରକୁ ଦଖଲ କରିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ସେଠାକାର ବାସିନ୍ଦାଙ୍କୁ ଜାଗା ଛାଡି ଚାଲିଯିବାକୁ କହିବା ସହିତ ଗାଜା ସହରରେ ଆକ୍ରମଣକୁ ତୀବ୍ର କରିଛି। ଫଳରେ ଲକ୍ଷାଧିକ ଲୋକଙ୍କ ପାଇଁ  ସଙ୍କଟ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଅଭିଯାନ ଗାଜାରେ କ୍ଷୁଧା ଏବଂ ମାନବିକ ସଙ୍କଟକୁ ଆହୁରି ବୃଦ୍ଧି କରିବ । ଅନ୍ୟପକ୍ଷରେ ଇସ୍ରାଏଲ ଶନିବାର ରାତିରେ ଗାଜାରେ କରାଯାଇଥିବା ଆକ୍ରମଣ ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ସୂଚନା ଥାଉକି ଇସ୍ରାଏଲ ସେନା ଅକ୍ଟୋବର ୨୦୨୩ ଠାରୁ ଗାଜାରେ ଆକ୍ରମଣ କରିଆସୁଛି। ଇସ୍ରାଏଲରେ ହମାସ ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଏବଂ ୨୫୦ ଜଣଙ୍କୁ ବନ୍ଧକ ରଖିବା ପରେ ଇସ୍ରାଏଲ ସେନା ଗାଜାରେ ବୋମାମାଡ଼ ଆରମ୍ଭ କରିଥିଲା। ସେବେଠାରୁ ଇସ୍ରାଏଲ ନିରନ୍ତର ଗାଜା ଉପରେ ବୋମାମାଡ଼ କରିଆସୁଛି। ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ ମଧ୍ୟ କରୁଛି।