ଟ୍ରମ୍ପଙ୍କ ପ୍ରସ୍ତାବକୁ ଇରାନର ପ୍ରତ୍ୟାକ୍ଷାନ: କହିଲା, ଚାପ ପକାଇଲେ କି ଧମକ ଦେଲେ କଥା ହେବୁନି

Published By : Prameya-News7 Bureau | March 07, 2025 IST

internet

ନୂଆଦିଲ୍ଲୀ: ପରମାଣୁ ଚୁକ୍ତି ନେଇ ଇରାନକୁ ଚିଠି ଲେଖି ଏକପ୍ରକାର ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଇରାନ ସହିତ ପରମାଣୁ ଚୁକ୍ତି କରିବାକୁ ଚାହୁଁଛନ୍ତି, ଏନେଇ ସେ ଇରାନଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିବା ଆମେରିକା ଗଣମାଧ୍ୟମ ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାର ବେଳେ କହିଛନ୍ତି। 

ଟ୍ରମ୍ପ କହିଛନ୍ତି ଯେ ସେ ଇରାନଙ୍କୁ ଚିଠି ଲେଖି ପରମାଣୁ ଚୁକ୍ତି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଶା ଯେ ଇରାନ ଏଥିରେ ରାଜି ହେବ। କାରଣ ଏହା ଇରାନ ପାଇଁ ଭଲ ହେବ। କାରଣ ଯୁଦ୍ଧ କରିବା ଠାରୁ ଚୁକ୍ତି ଭଲ। ଯଦି ଇରାନ ଏଥିରେ ରାଜି ନହୁଏ ତେବେ ଅନ୍ୟ ଉପାୟ ରହିଛି। ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ଏହା ଇରାନ ପାଇଁ ଅତି ଖରାପ ହେବ ବୋଲି ଟ୍ରମ୍ପ କହିଛନ୍ତି। 

ତେବେ ଟ୍ରମ୍ପଙ୍କ ଏଭଳି ଚେତାବନୀ ପରେ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିଛି ଇରାନ। କୌଣସି ଚାପରେ ଆଲୋଚନା ହୋଇପାରେ ନାହିଁ ବୋଲି ଶୁକ୍ରବାର ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆବ୍ବାସ ଅରାଘଚି କହିଛନ୍ତି। ଟ୍ରମ୍ପ ତାଙ୍କ ଉପରେ ଅଧିକ ଚାପ ପକାଉଛନ୍ତି ତେଣୁ ତେହେରାନ ତାଙ୍କ ସହିତ କୌଣସି ଆଲୋଚନା କରିବ ନାହିଁ ବୋଲି ଇରାନ କହିଥିବା ଏଏଫ୍‌ପିରେ ଖବର ପ୍ରକାଶ ପାଇଛି। 

ସାଉଦିଆରବର ଜେଦ୍ଦାରେ ଇସଲାମିକ ସହଯୋଗ ସଂଗଠନର ଏକ ବୈଠକରେ ଅରାଘଚି କହିଛନ୍ତି, "ଯେପର୍ଯ୍ୟନ୍ତ ଆମେରିକା ସର୍ବାଧିକ ଚାପ ନୀତି ପ୍ରୟୋଗ ଜାରି ରଖିଛି ଏବଂ ଧମକ ଦେଉଛି, ସେପର୍ଯ୍ୟନ୍ତ ଆମେ ସେମାନଙ୍କ ସହିତ କୌଣସି ସିଧାସଳଖ ଆଲୋଚନା କରିବୁ ନାହିଁ।"

ସେହିଭଳି ଇସ୍ରାଏଲର ଧମକ ପରେ, ସାମରିକ ଆକ୍ରମଣ ଦ୍ୱାରା ଇରାନର ପରମାଣୁ କାର୍ଯ୍ୟକ୍ରମ ଧ୍ୱଂସ ହେବାର ସମ୍ଭାବନାକୁ ମଧ୍ୟ ସେ ଖାରଜ କରିଛନ୍ତି। ଏଏଫ୍‌ପିକୁ ପ୍ରତିକ୍ରିୟା ଦେଇ ଅରାଘଚି କହିଛନ୍ତି “ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ନଷ୍ଟ କରାଯାଇପାରିବ ନାହିଁ। ଏହା ଏକ ଟେକ୍ନୋଲୋଜୀ ଯାହା ଆମ ମାଇଣ୍ଡରେ ଅଛି। ଏହାକୁ ବୋମା ମାଡ଼ କରାଯାଇପାରିବ ନାହିଁ।” 

ସୂଚନା ଥାଉକି ୨୦୧୮ ମସିହାରେ ଆମେରିକା ଇରାନ ପରମାଣୁ ଚୁକ୍ତିରୁ ଓହରିଯିବା ଏବଂ ପୁନଃ କଟକଣା ଲାଗୁ କରିବା ପରଠାରୁ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ରହିଛି।

ପଢନ୍ତୁ- ଆମେରିକା ସାମଗ୍ରୀ ଉପରେ ଶୁଳ୍କ କମାଅ, ଆମେ ଭାରତକୁ ବଡ଼ ସୁଯୋଗ ଦେବୁ: ଟ୍ରମ୍ପ ସରକାର

ଟ୍ରମ୍ପଙ୍କ ଇରାନଙ୍କୁ ଚିଠି ଲେଖିବା ପ୍ରଥମ ଥର ନୁହେଁ। ପୂର୍ବରୁ ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପ ଜାପନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହାୟତାରେ ଏହି ସମାନ ବାର୍ତ୍ତା ଇରାନକୁ ପଠାଇଥିଲେ। କିନ୍ତୁ ଇରାନୀ ନେତା ରୋକଠୋକ୍ ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ବରଂ ଟ୍ରମ୍ପଙ୍କୁ କଟାକ୍ଷା କରିଥିଲେ ଖାମେନେଇ। ସେ କହିଥିଲେ “କୌଣସି ବିଷୟରେ ଆଲୋଚନା କରି ହେଲା ଭଳି ଟ୍ରମ୍ପ ଜମେ ଉତ୍ତମ ବ୍ୟକ୍ତି ବୋଲି ମୁଁ ବିଚାର କରେ ନାହିଁ।"

ସୂଚନା ଥାଉକି ଏହା ପୂର୍ବରୁ ରୁଷର ଉପ-ବୈଦେଶିକ ମନ୍ତ୍ରୀ ସେରଗେଇ ରିଆବକୋଭ ଇରାନର ରାଷ୍ଟ୍ରଦୂତ କାଜେମ ଜଲାଲିଙ୍କ ସହ ଆଲଚୋନା କରିଥିଲେ। ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ପରିସ୍ଥିତିର ସମାଧାନ ପାଇଁ ଅନ୍ତର୍ଜାତୀୟ ପ୍ରୟାସ ବିଷୟରେ ଆଲୋଚନା ହୋଇଥିଲା। ଏନେଇ ଶୁକ୍ରବାର ରୁଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.