ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଚରମସୀମାରେ। ଗତ ଚାରି ଦିନ ଧରି ଉଭୟ ଦେଶ ପରସ୍ପର ଉପରେ ଏୟାର ଷ୍ଟ୍ରାଇକ କରୁଛନ୍ତି। ଏହାରି ଭିତରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ Nuclear Non-Proliferation Treaty (NPT)ରୁ ବାହାରିଯିବା ପାଇଁ ଏକ ବିଲ୍ ପ୍ରସ୍ତୁତ କରୁଛି ଇରାନ ସଂସଦ।ଇରାନ ବିନାଶକାରୀ ଅସ୍ତ୍ରଶସ୍ତ୍ରକୁ ବିରୋଧ କରେ ଏବଂ ଆମେ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବା ସପକ୍ଷରେ ନାହୁଁ ବୋଲି ସେ କହିଛନ୍ତି।
ପୂର୍ବରୁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଥିଲେ ଯେ ଇରାନ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ଚାହୁଁନାହିଁ, କିନ୍ତୁ ଏହା ପରମାଣୁ ଶକ୍ତି ଏବଂ ଗବେଷଣାର ଅଧିକାରକୁ ଅନୁସରଣ କରିବ। ସେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମିନେଇଙ୍କ ବିନାଶକାରୀ ଅସ୍ତ୍ରଶସ୍ତ୍ର ବିରୁଦ୍ଧରେ ଧାର୍ମିକ ନିର୍ଦ୍ଦେଶନାମାକୁ ମଧ୍ୟ ଦୋହରାଇଥିଲେ।
୨୦୧୮ ମସିହାରୁ ଇରାନର ପରମାଣୁ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଅଗ୍ରଗତି କରିଛି। ତେହେରାନର ୟୁରାନିୟମ ସମୃଦ୍ଧି କ୍ଷମତାକୁ ସୀମିତ କରିବା ପାଇଁ ଏକ ଚୁକ୍ତିରୁ ଓହରି ଯାଇଥିଲା ଆମେରିକା। କିନ୍ତୁ ଇରାନ କହିଛି ଯେ ଏହାର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ, କିନ୍ତୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ବାରମ୍ବାର ଚେତାବନୀ ଦେଇଛି ଯେ ଦେଶ ଚାହିଁଲେ ଅନେକ ପରମାଣୁ ବୋମା ତିଆରି କରିବା ପାଇଁ ଯଥେଷ୍ଟ ୟୁରାନିୟମ ଅଛି।
୧୯୫୭ ମସିହାରେ ଆମେରିକା ସହାୟତାରେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, କିନ୍ତୁ ତା’ପରେ ତା’ର ଶକ୍ତି ଆବଶ୍ୟକତା ପୂରଣ କରିବା ଏହାର ଉଦ୍ଦେଶ୍ୟ ଥିଲା। କିନ୍ତୁ ଇରାନର ଉଦ୍ଦେଶ୍ୟ ଉପରେ ସନ୍ଦେହ କରିବା ପରେ ଆମେରିକା ତା’ର ସହଯୋଗ ପ୍ରତ୍ୟାହାର କରିନେଇଥିଲା। ସେବେଠାରୁ ଇରାନ ଉପରେ ଏହି ଚୁକ୍ତିନାମା ଉଲ୍ଲଂଘନ କରିବାର ଅଭିଯୋଗ ଆସିଛି।
ପରମାଣୁ କାର୍ଯ୍ୟକ୍ରମ ପୂର୍ବରୁ ଇରାନ ପରମାଣୁ ଅପ୍ରସାରଣ ଚୁକ୍ତିନାମା (NPT) ମଧ୍ୟ ସ୍ୱାକ୍ଷର କରିଥିଲା। ଅସ୍ତ୍ର ନିର୍ମାଣ ନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ଏହା ସତ୍ତ୍ୱେ, ୟୁରାନିୟମ ସମୃଦ୍ଧିରେ ଆଗଉଛି। ଇସ୍ରାଏଲ ଏବଂ ଇରାନ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନେଇଛି ଇରାନ। ଯାହା ଇସ୍ରାଏଲ ପାଇଁ ଚିନ୍ତାର କାରଣ ପାଲଟିଛି।
ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ମିଶାଇଲ ମାଡ଼ ଜାରି ରଖିଛନ୍ତି। ଯୁଦ୍ଧବିରତି ପାଇଁ ଅନେକ ଦେଶ ଆହ୍ୱାନ ଦେଇଥିଲେ ବି ଦୁଇ ଦେଶ ମାନିବାକୁ ନାରାଜ। ଜୁନ୍ ୧୩ ତାରିଖରେ ହୋଇଥିବା ଆକ୍ରମଣରେ ଇରାନର ସେନା ମୁଖ୍ୟ, ପରମାଣୁ ବୈଜ୍ଞାନିକଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ଏହି ଆକ୍ରମଣରେ ଦୁଇ ଜଣ ଇରାନୀ ଜେନେରାଲ ମଧ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ ଦାବି କରିଛି ଯେ ଏହି ଆକ୍ରମଣରେ ସେ ଇରାନର ପରମାଣୁ ଘାଟିକୁ ଧ୍ୱଂସ କରିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ "ପ୍ରି-ଥ୍ରେଟ୍" ଭାବରେ ବର୍ଣ୍ଣନା କରିଛନ୍ତି।
ଆକ୍ରମଣ ଯୋଗୁଁ ଇରାନର ସାମରିକ ଅଧିକାରୀମାନେ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି IRGC ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ୍ ହୋସେନ୍ ସଲାମି, IRGC ଜେନେରାଲ୍ ଘୋଲାମ୍-ଅଲି ରସିଦ୍ ଓ ଦୁଇ ଜଣ ନ୍ୟୁକ୍ଲିଅର ବୈଜ୍ଞାନିକ। ଏହା ୧୯୮୦ ଦଶକର ଇରାକ ସହିତ ଯୁଦ୍ଧ ପରେ ଇରାନରେ ହୋଇଥିବା ସବୁଠାରୁ ବିଧ୍ୱଂସକାରୀ ଆକ୍ରମଣ ମଧ୍ୟରୁ ଗୋଟିଏ।