ହ୍ୟାଟ୍ରିକ୍ ରନ୍ ଓ ସବୁଠୁ ଫାଷ୍ଟେଷ୍ଟ ସେଞ୍ଚୁରୀ, IPLର ୧୦ ରେକର୍ଡ ଭାଙ୍ଗିବା ମୁସ୍କିଲ୍

Published By : Prameya-News7 Bureau | March 21, 2025 IST

ମୁମ୍ୱାଇ ୨୧/୦୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ କାଉଣ୍ଟଡାଉନ୍ । କାଲିଠୁ ଜମିବ କ୍ରିକେଟ ମହାକୁମ୍ଭ । ମାର୍ଚ୍ଚ ୨୨ ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା-ଆରସିବି । ଏହି ୧୮ତମ ସିଜିନର ଶେଷ  ବା ଫାଇନାଲ୍ ମ୍ୟାଚ୍ ୨୫ ମଇରେ ଖେଳାଯିବ । ଇଡେନ ଗାର୍ଡେନରେ ଖେଳାଯିବାର ଥିଲା ପ୍ରଥମ ମ୍ୟାଚ୍ । ହେଲେ ସୁରକ୍ଷା କାରଣରୁ ବଦଳିଛି 

ଭେନ୍ୟୁ । ଗୌହାଟୀରେ ଖେଳାଯିବ ମ୍ୟାଚ୍ । 

ଆଇପିଏଲ ୨୦୨୫ ସିଜିନରେ, ୬୫ ଦିନରେ ଏହି ୧୦ଟି ଦଳ ମଧ୍ୟରେ ଫାଇନାଲ ସମେତ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। କୁହାଯାଉଛି କି, ଏଥରର IPLର ଇତିହାସ ଯେତିକି ଆକର୍ଷଣୀୟ । ସେତିକି ହୋଇପାରେ ରେକର୍ଡରେ ପରିପୂର୍ଣ୍ଣ । ପୂର୍ବରୁ ପ୍ରଥମ ସିଜିନରୁ ୧୭ ତମ ସିଜିନ ପର୍ଯ୍ୟନ୍ତ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଅନେକ ଖେଳାଳି ରଚିଛନ୍ତି କୀର୍ତ୍ତିମାନ । ଆସନ୍ତୁ ଜାଣିବା ୧୦ଟି ବିଶେଷ ଏବଂ ବଡ଼ ରେକର୍ଡ ବିଷୟରେ...

1-କୋହଲିଙ୍କ ଏହି ରେକର୍ଡ ୯ ବର୍ଷ ହେବ ଅତୁଟ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ପୂର୍ବତନ ଅଧିନାୟକ ବିରାଟ କୋହଲି । IPLରେ ସୃଷ୍ଟି କରିଛନ୍ତି ଅଲୋଡା ରେକର୍ଡ । ଯାହାକୁ ଭାଙ୍ଗିବା ତ ଦୂରର କଥା ଏପର୍ଯ୍ୟନ୍ତ କେହି ପହଞ୍ଚିପାରିନାହାଁନ୍ତି । ଏହି ରେକର୍ଡ ୯ ବର୍ଷ ଧରି ଅତୁଟ ରହିଛି । କୋହଲିଙ୍କ ନାମରେ IPL ସିଜିନରେ ୯୩୭ ସର୍ବାଧିକ ରନ କରିବାର ରେକର୍ଡ ଅଛି । ୨୦୧୬ ମସିହାରେ କୋହଲି ହାତେଇଥିଲେ ଏହି ସଫଳତା । ସେତେବେଳେ କୋହଲି ୪ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ହାସଲ କରିଥିଲେ । ତଥାପି, ଗୁଜରାଟ ଟାଇଟାନ୍ସ ପାଇଁ ଖେଳୁଥିବା ସମୟରେ, ଶୁଭମନ ଗିଲ ୨୦୨୩ ସିଜିନରେ କରିଥିଲେ ୮୯୦ ରନ କରିଥିଲେ । ସେ ଏହି ରେକର୍ଡର ବହୁତ ନିକଟତର ହୋଇଥିଲେ। ତଥାପି କରିପାରିନଥିଲେ । 

୨-କୋହଲି-ଡିଭିଲିୟର୍ସଙ୍କ ପାର୍ଟନରସିପ୍:

ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଭାଗୀଦାରୀର ରେକର୍ଡ ବିରାଟ କୋହଲି ଓ ଏବି ଡିଭିଲିୟର୍ସ । ଆରସିବି ପାଇଁ ଖେଳିବା ସମୟରେ ଦୁଇ ଖେଳାଳି ତିଆରି କରିଥିଲେ ନୂଆ ରେକର୍ଡ । ୨୦୧୬ ସିଜିନରେ ଦୁହେଁ ଚମତ୍କାର ବ୍ୟାଟିଂ କରିଥିଲେ । ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚ୍ ରେ ଉଭୟ ମିଳିତ ଭାବରେ ୨୨୯ ରନ୍ ଯୋଡ଼ିଥିଲେ। ଏହି ମ୍ୟାଚ୍‌ରେ କୋହଲି ଏବଂ ଡିଭିଲିୟର୍ସ ଉଭୟ ଶତକ ହାସଲ କରିଥିଲେ । କୋହଲି ୫୫ ବଲ୍‌ରେ ୧୦୯ ରନ୍ ସଂଗ୍ରହ କରିଥିବା ବେଳେ ଡିଭିଲିୟର୍ସ କରିଥିଲେ ୫୨ ବଲ୍‌ରେ ୧୨୯ ରନ୍ । 

୩. କ୍ରିସ୍ ଗେଲ୍‌ଙ୍କ ଦ୍ରୁତତମ ଶତକ:

କ୍ରିସ୍ ଗେଲ୍ ୨୦୧୩ ଆଇପିଏଲ୍ ସିଜିନରେ ଆରସିବିର ଅଂଶ ଥିଲେ । ତା'ପରେ ସେ ପୁନେ ୱାରିୟର୍ସ ବିପକ୍ଷ ମ୍ୟାଚ୍‌ରେ ୩୦ ବଲ୍‌ରେ ଶତକ ହାସଲ କରିଥିଲେ । ଏହା IPLର ସବୁଠାରୁ ଦ୍ରୁତତମ ଶତକ, ଯାହା ଏଯାବତ୍ ଅତୁଟ ରହିଛି । ତାଙ୍କ ପରେ ଦ୍ୱିତୀୟ ନମ୍ବରରେ ଡେଭିଡ୍ ମିଲର ଅଛନ୍ତି । ଯିଏ ୨୦୧୩ ସିଜିନରେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳି RCB ବିପକ୍ଷରେ ୩୮ ବଲ୍ ରେ ଶତକ ହାସଲ କରିଥିଲେ।

୪. ଯଶସ୍ୱୀ କରିଥିଲେ IPLରେ ଦ୍ରୁତତମ ଅର୍ଦ୍ଧଶତକ:

ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡର୍ସ ଅଧିକାରୀ ହେଉଛନ୍ତି ଯଶସ୍ୱୀ ଜୟସୱାଲ । ରାଜସ୍ଥାନ ରୟାଲ୍ସର ଓପନର ହାତେଇଛନ୍ତି ଏହି ରେକର୍ଡ । ୧୧ ମଇ ୨୦୨୩ରେ, ସେ କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚ୍‌ରେ ୧୩ ବଲ୍‌ରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ଇଡେନ୍ ଗାର୍ଡେନ୍ସରେ ହୋଇଥିଲା ଏହି ମ୍ୟାଚ୍ । ଯଶସ୍ୱୀ ତାଙ୍କର ଅର୍ଦ୍ଧଶତକ ହାସଲ କରିବା ସମୟରେ ୬ଟି ଚୌକା ଏବଂ ୩ଟି ଛକା ମାରିଥିଲେ।

୫. ଗେଲଙ୍କ ଝଡ଼ରେ ଛକା ବର୍ଷା:

ଆଇପିଏଲ୍‌ର ସିକ୍ସର କିଙ୍ଗ କହିଲେ କ୍ରିସ୍ ଗେଲ୍ । ଏମିତି ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ ଭାଙ୍ଗିବା କଷ୍ଟକର । ଅନେକ ପରିଶ୍ରମ କରି କୌଣସି ଖେଳାଳି ପହଞ୍ଚି ପାରିନାହାଁନ୍ତି ।  ୨୦୧୩ ସିଜିନରେ, କ୍ରିସ୍ ଗେଲ୍ RCB ପାଇଁ ଖେଳୁଥିବା ସମୟରେ ଗୋଟିଏ ମ୍ୟାଚ୍‌ରେ ମାରିଥିଲେ ୧୭ଟି ଛକା । ପୁନେ ୱାରିୟର୍ସ ବିପକ୍ଷ ମ୍ୟାଚ୍‌ରେ ୧୭୫ ରନ୍‌ର ଇନିଂସ ଖେଳି ହାତେଇଥିଲେ ଏହି ସଫଳତା । ଏହା ଗୋଟିଏ ଇନିଂସରେ କୌଣସି ବ୍ୟାଟସମ୍ୟାନଙ୍କ ଦ୍ୱାରା ମାରିଥିବା ସର୍ବାଧିକ ଛକା ଥିଲା । ଏହା ଆଇପିଏଲରେ କୌଣସି ବ୍ୟାଟସମ୍ୟାନଙ୍କ ଦ୍ୱାରା କରାଯାଇଥିବା ସର୍ବାଧିକ ସ୍କୋର ମଧ୍ୟ ।

୬. ଗୋଟିଏ ଓଭରରେ ସର୍ବାଧିକ ରନ୍:

ଆଇପିଏଲରେ ଗୋଟିଏ ଓଭରରେ ସର୍ବାଧିକ ରନ କରିବାର ରେକର୍ଡ କ୍ରିସ୍ ଗେଲ୍ ଓ ରବିନ୍ଦ୍ର ଜାଡେଜାଙ୍କ ନାମରେ ଅଛି । ୨୦୧୧ ସିଜିନରେ, କୋଚି ଟସ୍କର୍ସ ବୋଲର ପରସନାଥ ପରମେଶ୍ୱରନଙ୍କ ଦ୍ୱାରା ବୋଲିଂ କରାଯାଇଥିବା ଏକ ଓଭରରେ ଆରସିବିର କ୍ରିସ୍ ଗେଲ୍ ୩୭ ରନ କରିଥିଲେ । ଏହି ଓଭରରେ ଦୁଇଟି ନୋ-ବଲ ଥିଲା ଏବଂ ଗେଲ୍ ଲଗାତାର ତିନୋଟି ଛକା ମାରିଥିଲେ । ୨୦୨୧ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ଜାଡେଜା ଆରସିବି ବୋଲର ହର୍ଷଲ ପଟେଲଙ୍କ ଏକ ଓଭରରେ ୩୭ ରନ କରିଥିଲେ।

୭. ଡେବ୍ୟୁ ମ୍ୟାଚ୍‌ରେ ୬ ୱିକେଟ୍:

ୱେଷ୍ଟଇଣ୍ଡିଜ୍ ପେସର ଆଲଜାରି ଯୋସେଫ ଆଇପିଏଲ ଡେବ୍ୟୁ କରିବା ମାତ୍ରେ ହଇଚଇ ସୃଷ୍ଟି କରିଥିଲେ। ସେ ୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ତାଙ୍କର ଡେବ୍ୟୁ କରିଥିଲେ। ତା'ପରେ ତାଙ୍କର ପ୍ରଥମ ମ୍ୟାଚ୍‌ରେ, ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩.୪ ଓଭରରେ ୧୨ ରନ୍ ଦେଇ ୬ ୱିକେଟ୍ ନେଇଥିଲେ। ଏହି ରେକର୍ଡ ଏବେ ବି ଅତୁଟ।

୮.ସର୍ବାଧିକ ହ୍ୟାଟ୍ରିକ୍ ରେକର୍ଡ:

ଆଇପିଏଲ ଇତିହାସରେ ଜଣେ ବୋଲର ଅଛନ୍ତି ଯିଏ ଥରେ କି ଦୁଇଥର ନୁହେଁ ବରଂ ତିନିଥର ହ୍ୟାଟ୍ରିକ୍ ନେଇଛନ୍ତି। ସେହି ବୋଲର ହେଉଛନ୍ତି ଅମିତ ମିଶ୍ରା। ଭାରତୀୟ ଦଳର ଷ୍ଟାର ସ୍ପିନର ଅମିତ ମିଶ୍ରା ଆଇପିଏଲରେ ତିନିଥର ହ୍ୟାଟ୍ରିକ୍ ନେଇଥିବା ଏକମାତ୍ର ବୋଲର । ସେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ), ଡେକାନ ଚାର୍ଜର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ।

୯. ସବୁଠୁ ଅଧିକ ମ୍ୟାଚ୍ ଜିତିଛି ଏହି ଟିମ୍:

କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳ ଆଇପିଏଲରେ ଏମିତି କିଛି କରିଛି ଯାହା ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ କରିପାରିନି । ୨୦୧୪ ରୁ ୨୦୧୫ ସିଜିନ ମଧ୍ୟରେ କେକେଆର ଲଗାତାର ୧୦ଟି ମ୍ୟାଚ୍ ଜିତିଥିଲା । ଯାହା ଏକ ଅଲୋଡା ରେକର୍ଡ । କୋଲକାତା ୨୦୧୪ ସିଜିନରେ ଟାଇଟଲ ଜିତିଥିଲା । ଯଦି ଆମେ ଅନୁଧ୍ୟାନ କରିବା, KKR ଲଗାତାର ୧୪ଟି T20 ମ୍ୟାଚ୍ ଜିତିଛି । IPL ଜିତିବା ପରେ, ସେମାନେ ଚାମ୍ପିଅନ୍ସ ଲିଗ୍ T20 ରେ ମଧ୍ୟ ୫ଟି ମ୍ୟାଚ୍ ଜିତିଥିଲେ ।

୧୦. ଗୋଟିଏ ଋତୁରେ ସର୍ବାଧିକ କ୍ୟାଚ୍:

ଆଇପିଏଲରେ ବ୍ୟାଟିଂ ଓ ବୋଲିଂ ବ୍ୟତୀତ ଫିଲ୍ଡିଂରେ ଅନେକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ଡିଂରେ ମଧ୍ୟ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ରେକର୍ଡ ସୃଷ୍ଟି ହୋଇଛି। ଏଥିରେ ଗୋଟିଏ ନାମ ହେଉଛି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀ ଏବି ଡିଭିଲିୟର୍ସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ସମୟରେ, ସେ ୨୦୧୬ ସିଜିନରେ କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୧୯ଟି କ୍ୟାଚ୍ ନେଇଥିଲେ। ଏହା ଗୋଟିଏ ସିଜିନରେ କୌଣସି ଫିଲ୍ଡର ଦ୍ୱାରା ଧରାଯାଇଥିବା ସର୍ବାଧିକ କ୍ୟାଚ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.