କେରଳ ବିଧାନସଭା ନିର୍ବାଚନ ଲାଗି BJP ଜାରି କଲା ୪୭ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ, ଜାଣନ୍ତୁ କାହାକୁ କେଉଁଠୁ ମିଳିଛି ଟିକେଟ୍

NEWS7
ipl-2025-match-fixing-rajasthan-royals-controversy-rr-under-fire-after-lsg-defeat

  • ରାଜୀବ ଚନ୍ଦ୍ରଶେଖରଙ୍କୁ ନେମୋମ ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରାଯାଇଛି
  • ଦକ୍ଷିଣ ଭାରତରେ ନେମୋମକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମନେ କରାଯାଏ
  • ପ୍ରାର୍ଥୀ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି. ମୂରଲୀଧରନଙ୍କ ନାମ ମଧ୍ୟ ରହିଛି

ତିରୁଅବନ୍ତିପୁରମ ୧୬।୩: ଆଗାମୀ କେରଳ ବିଧାନସଭା ନିର୍ବାଚନ ଲାଗି ବିଜେପି ସୋମବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ରାଜ୍ୟର ୧୪୦ ବିଧାନସଭା ଆସନ ମଧ୍ୟରୁ ୪୭ଟିର ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ପଦକ୍ଷେପ ବିଜେପିର ନିର୍ବାଚନୀ ପ୍ରସ୍ତୁତି ପ୍ରାରମ୍ଭ କୁ ଦର୍ଶାଉଛି। ଏଥିରେ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ନେମୋମ ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରାଯାଇଛି।

ଦକ୍ଷିଣ ଭାରତରେ ନେମୋମକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମନେ କରାଯାଏ। ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି. ମୂରଲୀଧରନଙ୍କ ନାମ ମଧ୍ୟ ରହିଛି। ଏହା ଛଡା ନବ୍ୟା ହରିଦାସଙ୍କୁ ମଧ୍ୟ ଦଳ ପକ୍ଷରୁ ଟିକେଟ୍ ଦିଆଯାଇଛି। ସେ ଗତ ୨୦୨୪ ଲୋକସଭା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କ ବିପକ୍ଷରେ ୱାଇନାଡରେ ଲଢିଥିଲେ। ହେଲେ ସେ ପରାସ୍ତ ହୋଇଥିଲେ। ଏଥର ପୁଣି ତାଙ୍କୁ ବିଧାନସଭା ନିର୍ବାଚନରେ ସୁଯୋଗ ଦିଆଯାଇଛି। ତେବେ କେବଳ ବିଜେପି ନୁହେଁ ଶାସକ ସିପିଆଇଏମ ମଧ୍ୟ ତାର ପ୍ରଥମ ପ୍ରାର୍ଥୀ ତାଲିକା ସୋମବାର ଜାରି କରିଛି।

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କସବାଦୀ) ମଧ୍ୟ ନିଜର ପ୍ରାର୍ଥୀ ତାଲିକା ଜାରି କରିଦେଇଛି। ପାର୍ଟି ମୋଟ ୮୬ଟି ଆସନରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି। ଏହା ଛଡା ଏବେକା ୫୬ ବିଧାୟକଙ୍କୁ ମଧ୍ୟ ପୁଣି ଥରେ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଇଛି। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ପି.ବିଜୟନ ଧର୍ମାଦୋମ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହେବେ। ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ କେ.କେ.ଶୈଲଜାଙ୍କୁ ପେରାଭୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ଟିକେଟ ଦିଆଯାଇଛି।

ତେବେ ଶୈଲଜା ଗତ ବିଧାନସଭା ନିର୍ବାଚନରେ ମେଟ୍ଟନ୍ନୁର ନିର୍ବାଚନମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଭାରତୀୟ ନିର୍ବାଚନ ଆୟୋଗ ୧୫ ମାର୍ଚ୍ଚ ରବିବାର ବିଧାନସଭା ନିର୍ବାଚନର ସିଡ୍ୟୁଲ ଜାରି କରିଥିଲେ। କେରଳ ଯାହାକୁ ନିକଟରେ କେରଳମ ନାମକରଣ କରାଯାଇଛି ରାଜ୍ୟର ୧୪୦ ବିଧାନସଭା ଆସନ ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କରାଯିବ। କାର୍ଯ୍ୟସୂଚୀ ଅନୁସାରେ ୯ ଏପ୍ରିଲ ୨୦୨୬ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମେ ୪ ତାରିଖରେ ଭୋଟ ଗଣନା ହେବ।