ବ୍ୟାଟରଙ୍କ ଐତିହାସିକ ବ୍ୟାଟିଂ ପରେ ବୋଲରଙ୍କ ଜଲଓ୍ଵା, ଦିଲ୍ଲୀକୁ ହରାଇ ଟପ୍‌ରେ କୋଲକାତା

Published By : Prameya-News7 Bureau | April 03, 2024 IST

Aajtak

ବିଶାଖାପଟନମ: କୋଲକାତା ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଧରାଶାୟୀ ଦିଲ୍ଲୀ କ୍ୟାପିଟାଲ୍ସ। ବ୍ୟାଟରଙ୍କ ପରେ ବୋଲରଙ୍କ ଜଲଓ୍ଵା ବଳରେ ଆଇପିଏଲ୍‌ର ୧୬ତମ ଏକତରଫା ମୁକାବିଲାରେ କୋଲକାତା ଦିଲ୍ଲୀକୁ ୧୦୬ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି। ଏଥିସହ ଚଳିତ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସର ବିଜୟ ଯାତ୍ରା ଅବ୍ୟାହତ ରହିଛି।  ଦଳ ୬ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନକୁ ଉଠିଥିବା ବେଳେ ଦିଲ୍ଲୀ ଚତୁର୍ଥ ମ୍ୟାଚ୍‌ରୁ ୩ୟ ପରାଜୟ ଭୋଗି ନବମ ସ୍ଥାନକୁ ଖସି ଆସିଛି। ସୁନିର ନାରିନଙ୍କ ୮୫ ରନ ଦ୍ରୁତ ଅର୍ଦ୍ଧଶତକ ପରେ  ଅଙ୍ଗକ୍ରିଷ ରଘୁବଂଶୀଙ୍କ ୫୪ ରନ, ଆନ୍ଦ୍ରେ ରସେଲଙ୍କ ୪୧ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ୨୬ ରନ ବଳରେ କୋଲକାତା ୭ ଓ୍ଵିକେଟ୍ ହରାଇ ୨୭୨ ରନ କରିଥିଲା। ଜବାବରେ ଦିଲ୍ଲୀ ୧୭.୨ ଓଭରରେ ୧୬୬ ରନରେ ଅଲଆଉଟ୍ ହୋଇଛି। ଦିଲ୍ଲୀ ପକ୍ଷରୁ ଋଷଭ ପନ୍ତ ୫୫ ରନ ଓ ଟ୍ରିଷ୍ଟନ ଟବ୍ସ ୫୪ ରନ କରିଥିଲେ। କୋଲକାତା ପକ୍ଷରୁ ବୈଭବ ଆରୋରା ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ଏହା ପୂର୍ବରୁ  ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ ଧୂଆଁଧାର ବ୍ୟାଟିଂ କରିଥିଲା। ଦୁଇ ଓପନର ଫିଲିପ ସଲ୍ଟ ଓ ସୁନିର ନାରିନ ୪.୩ ଓଭରରେ ୬୦ ରନ ଯୋଡ଼ିଥିଲେ। ସଲ୍ଟ ୧୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସୁନିଲ ନାରିନ ଓ  ଅଙ୍ଗକୃଷ ରଘୁବଂଶୀ ଧୂଆଁଧାର ବ୍ୟାଟିଂ କରିଥିଲେ। ଉଭୟ ଦିଲ୍ଲୀ ବୋଲରଙ୍କୁ ନିର୍ମମ ପ୍ରହାର କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୧୦୪ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ୧୬୪ ରନ ସ୍କୋରରେ ସୁନିଲ ନାରିନ ଆଉଟ୍ ହୋଇଥିଲେ। ସେ ୩୯ ବଲ୍‌ରୁ ୭ ଚୌକା ଓ ୭ ଛକା ସହ ୮୫ ରନ କରିଥିଲେ। ରଘୁବଂଶୀ ମଧ୍ୟ ବିସ୍ଫୋରକ ଇନିଂସ ଖେଳି ୨୭ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୨୭ ରନ କରିଥିଲେ। 

ଏହା ପରେ ରସେଲ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ରନ ଗତିକୁବଜୟା ରଖିଥିଲେ।  ଅଧିନାୟକ ଶ୍ରେୟସ ଆୟର ୧୮ ରନ କରିଥିଲେ। ଶେଷ ଆଡ଼କୁ ରସେଲ ଓ ରିଙ୍କୁ ସିଂ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଲାଗୁଥିଲା କେକେଆର ଆଜି ଆଇପିଏଲ୍ ଇତିହାସରେ ସର୍ବାଧିକ ସ୍କୋର କରିଥିବା ହାଇଦ୍ରାବାଦର ୨୭୭ ରନ ରେକର୍ଡକୁ କାଟି ଦେବ। ରିଙ୍କୁ ସିଂ ମାତ୍ର ୮ ବଲରୁ ୨୬ ରନ କରି ପାଭିଲିୟନ ଫେରିଥିଲେ। ରସେଲ ୧୯ ବଲରୁ ୪୧  ରନ କରି ଆଉଟ୍ ହେବାରୁ କେକେଆର ରେକର୍ଡରୁ ବଞ୍ଚିତ ହୋଇଥିଲା। ତଥାପି ଦଳ ଆଇପିଏଲ୍ ଇତିହାସର ଦ୍ଵିତୀୟ ସର୍ବାଧିକ ସ୍କୋର କରିଛି। ଦଳ ଆରସିବି କରିଥିବା ୨୬୩ ରନକୁ କାଟି ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି। ୭ ଓ୍ଵିକେଟ୍ ହରାଇ କୋଲକାତା ୨୭୨ ରନ କରିଛି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.