ନୂଆଦିଲ୍ଲୀ ୨୪।୫: ଆଇଏନସ୍ ବିକ୍ରାନ୍ତ, ସୁମେଧା, ବାଘସିର, ନିଳଗିରୀ ଓ ଆଇଏନଏସ ସୁରଟ ଆଦି ଯୁଦ୍ଧପୋତ ଭାରତୀୟ ନୌସେନାର ବଳ ବଢାଇ ଆସିଛନ୍ତି। ହେଲେ ଏଥିରେ ଏବେ ଆଉ ଏକ ଶକ୍ତିଶାଳୀ ଯୁଦ୍ଧପୋତ ଆଇଏନଏସ୍ ତମାଳ ସାମିଲ ହେବାକୁ ଯାଉଛି। ନୌସେନାର ସମସ୍ତ ଯୁଦ୍ଧ ଜାହାଜ କ୍ଷେପଣାସ୍ତ୍ର ଶକ୍ତିରେ ସଜ୍ଜିତ। ତେବେ ଏଥିରେ ସାମିଲ ହେବାକୁ ଯାଉଥିବା ଆଇଏନଏସ ତମାଳ ଏକ ରଣନୈତିକ ଯୁଦ୍ଧ ଜାହାଜ ହେବ।
ଏହା ଭାରତୀୟ ନୌସେନା ନିମନ୍ତେ କେବଳ ଏକ ଯୁଦ୍ଧ ଜାହାଜ ନୁହେଁ ବରଂ ଏହାର ରଣନୈତିକ କ୍ଷମତା ଯୋଗୁ ଯଦି କେବେ ଯୁଦ୍ଧକୁ ଯିବାକୁ ପଡେ ତେବେ ଏହି ଜାହାଜ ଖେଳ ବଦଳାଇଦେବ। ଉଲ୍ଲେଖଯୋଗ୍ୟ ଯେ ଆଇଏନଏସ ତମାଳକୁ ଷ୍ଟିଲଥ୍ ଗାଇଡେଡ ମିସାଇଲ ଫ୍ରିଗେଟ୍ ଦେଖରେଖରେ ନିର୍ମାଣ କାରଯାଇଛି, ଯାହା ପରୀକ୍ଷଣରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହାକୁ ଆଗାମୀ ମାସରେ ଅର୍ଥାତ ଜୁନ ୨୦୨୫ରେ ନୌସେନାରେ ସାମିଲ କରାଯିବ।
ଏହା ଏକ ଋଷିଆ ନିର୍ମିତ ଯୁଦ୍ଧପୋତ ଏହି ୱାରସିପ୍ ର ଡେଲିଭରୀ ସହିତ ଭାରତ ନିଜର ଚତୁର୍ଦ୍ଦଶତମ ଫ୍ରିଗେଟ ରେ ପ୍ରବେଶ କରିବ। ଫଳରେ ନୌସେନାର ମାରକ ଓ ସର୍ଭିଲାନ୍ସ କ୍ଷମତା ବୃଦ୍ଧି ହେବ। ଆଇଏନଏସ ତମାଳ କେବଳ ଏକ ଫାଇଟର ୱାରସିପ ନୁହେଁ, ଏହା ଏକ ଫୁଲ-ସ୍ପେକ୍ଟ୍ରମ କମ୍ବାଟ ପ୍ଲାଟଫର୍ମ। ଏହା ସମୁଦ୍ରରେ ଘଣ୍ଟାପ୍ରତି ୫୫ କିଲୋମିଟର ବେଗରେ ଗତି କରିପାରିବ। ଏହି ଯୁଦ୍ଧ ଜାହାଜଟି ଷ୍ଟିଲଥ୍ ଟେକ୍ନୋଲଜିରେ ନିର୍ମିତ ହୋଇଛି। ଅର୍ଥାତ ଏହା ଶତ୍ରୁର ରାଡାରରେ କେବେବି ଆସିବନି। ଏହାର ଓଜନ ପାଖାପାଖି ୩,୯୦୦ ଟନ ହେବ।
ଆଇଏନଏସ ତମାଳ ଭାରତୀୟ ନୌସେନାରେ ସାମିଲ ହେବା ପରେ ବିଦେଶରୁ ଭାରତର ଯୁଦ୍ଧ ଜାହାଜ କିଣା ଶେଷ ହୋଇଯିବ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏ ନେଇ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ସେ କହିଥିଲେ ଆଇଏନଏସ ତମାଳ ନୌସେନାରେ ସାମିଲ ହେବା ପରେ ଭବିଷ୍ୟତର ସବୁ ଯୁଦ୍ଧପୋତ ସ୍ୱଦେଶୀ ନିର୍ମିତ ହେବ। ୨୦୧୬ ମସିହାରେ ଋଷିଆ ସହିତ ଭାରତର ୪ଟି ତଲୱାର କ୍ଲାସ୍ ଷ୍ଟିଲଥ୍ ଫ୍ରିଗେଟ୍ ନିର୍ମାଣ ନିମନ୍ତେ ବୁଝାମଣା ହୋଇଥିଲା। ଏଥିରୁ ୨ଟି ଋଷିଆରେ ନିର୍ମିତ ହୋଇଥିବା ବେଳେ ଆଉ ୨ଟି ଭାରତରେ ନିର୍ମିତ ହୋଇଥିଲା। ଋଷିଆରେ ନିର୍ମିତ ତୁସିଲ ଗତବର୍ଷ ନୌସେନାରେ ସାମିଲ ହୋଇଥିଲା।