ଲ୍ୟାଣ୍ଡିଂ ବେଳେ ରନୱେରେ ପିଟି ହେଲା ଇଣ୍ଡିଗୋ ବିମାନର ପଛପାର୍ଶ୍ୱ, ଯାତ୍ରୀ ସୁରକ୍ଷିତ

Published By : Prameya-News7 Bureau | August 16, 2025 IST

ମୁମ୍ବାଇ ୧୬।୮:  ଇଣ୍ଡିଗୋ ଏୟାର ଲାଇନ୍ସ ର ଏୟାର ବସ୍ ଏ୩୨୧(ଭିଟି-ଆଇସିଏମ)ର ପଶ୍ଚାତ ଭାଗ ଶନିବାର ମୁମ୍ବାଇରେ ଲ୍ୟାଣ୍ଡିଂ ବେଳେ ବାଡେଇ ହୋଇଯାଇଛି। ଏଣୁ ବିମାନ ଲୋ ଲେବୁଲ ଗୋ ଆରାଉଣ୍ଡ (ଲ୍ୟାଣ୍ଡିଂ ରଦ୍ଦ) କରିଥିଲା। ଭୋର ପ୍ରାୟ ୩ଟା ବେଳେ ବିମାନ ଦ୍ୱିତୀୟ ଉଦ୍ୟମରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଯାଇଥିଲା। ଇଣ୍ଡିଗୋର ଏ୩୨୧ ଫ୍ଲିଟରେ ଗତ ୨ ବର୍ଷରେ ଏପରି ଘଟଣା ସପ୍ତମଥର ଘଟିଥିବା ବେଳେ ଡିଜିସିଏ କମ୍ପାନୀ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି। 

ପ୍ରସଙ୍ଗରେ ଇଣ୍ଡିଗୋର ଜନୈକ ମୁଖପାତ୍ର କହିଛନ୍ତି ଯେ ୧୬ ଅଗଷ୍ଟ ସକାଳେ ମୁମ୍ବାଇରେ ପ୍ରତିକୂଳ ପାଗ ଯୋଗୁ ବିମାନ କମ ଉଚ୍ଚତାରେ ଉଡାଣ କରୁଥିବା ବେଳେ ଇଣ୍ଡିଗୋ ଏୟାର ବସ୍ ବିମାନ ଏ-୩୨୧ର ପିଛିଲା ଭାଗ ରନୱେରେ ବାଡେଇ ହୋଇ ଯାଇଥିଲା। ଏହା ପରେ ବିମାନ ପୁଣି ଥରେ ଉପରକୁ ଉଠି ସୁରକ୍ଷିତ ଅବତରଣ କରିଯାଇଥିଲା। ତେବେ ବିମାନକୁ ପୁଣି ସଞ୍ଚାଳନ କରିବା ପୂର୍ବରୁ ଆବଶ୍ୟକ ଷ୍ଟାଣ୍ଡାର୍ଡ ପ୍ରୋଟକଲ ଯାଞ୍ଚ ଓ ମରାମତି ସହିତ ନିୟାମକୀୟ ମଞ୍ଜୁରୀ ନିଆଯିବ। 


ହେଲେ ଏପରି ଘଟଣା ପ୍ରଥମ ଥର ହୋଇ ନାହିଁ। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ହୋଇସାରିଛି। ଜୁଲାଇ ୨୦୨୩ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୬ ମାସରେ ୪ ଥର ବିମାନର ପିଛିଲା ଭାଗ ବାଡେଇ ହେବା ଯୋଗୁ ୩୦ ଲକ୍ଷ ଟଙ୍କା ଜରିମନା କରିଥିଲେ। ସୂଚନା ଅନୁସାରେ ଏପରି ଦୁର୍ଘଟଣାକୁ ‘ଟେଲ୍ ଷ୍ଟ୍ରାଇକ୍’ କୁହାଯାଇଥାଏ। ଏପରି ଘଟଣା   ସେତେବେଳେ ହୋଇଥାଏ ଯେତେବେଳେ କୌଣସି ଏୟାର ଲାଇନ୍ସର ବିମାନ ଲ୍ୟାଣ୍ଡିଂ ଅଥବା ଟେକଅଫ କରୁଥାଏ।


ଅଧିକାଂଶ ମାନବୀୟ ତ୍ରୁଟି ଯୋଗୁ ଏପରି ହୋଇଥାଏ। ତେବେ ଏଥିରେ ପରିବେଶ କାରକ ଯେପରି ତୀବ୍ର ପବନ ଏପରି ସମ୍ଭାବନାକୁ ବଢାଇ ଦେଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.