ନୂଆଦିଲ୍ଲୀ ୧୬।୮: ଭାରତର ଭୂ-ଗର୍ଭରେ ଟେକ୍ଟୋନିକ ପ୍ଲେଟ୍ ଦୁଇ ଭାଗ ହୋଇ ଭାଙ୍ଗୁଛି। ଏହି ଶୁଣିବାକୁ ଡର ଲାଗୁଛି, ହେଲେ ଏହାର ଅର୍ଥ ହେଉଛି ଭାରତର ମାଟି ଧିରେ ଧିରେ ବଦଳୁଛି ଓ ଏହା ଯୋଗୁ ଭବିଷ୍ୟତରେ ଭୂମିକମ୍ପ ଭଳି ବିପଦର ଆଶଙ୍କା କରାଯାଉଛି। ଏକ ନୂଆ ଗବେଷଣାରୁ ଏହା ଏବେ ଜଣାପଡିଛି। ଏଥିରେ ଲୋକେ ଭାବୁଥିବେ ଟେକ୍ଟୋନିକ୍ ପ୍ଲେଟ୍ କ’ଣ? ତେବେ ଆସନ୍ତୁ ଜାଣିବା।
ଟେକ୍ଟୋନିକ୍ ପ୍ଲେଟ କ’ଣ?
ଆମ ପୃଥିବୀ ମୋଟ ୭ଟି ବଡ଼ ପ୍ଲେଟ୍ ଉପରେ ରହିଛି। ଏହି ପ୍ଲେଟଗୁଡିକ ଭୂ-ଗର୍ଭରେ ଚଳତ ଅବସ୍ଥାରେ ଅଛନ୍ତି। ଯେତେବେଳେ ଏହି ପ୍ଲେଟ୍ ପରସ୍ପର ସହ ଧକ୍କା ଲାଗେ ସେତେବେଳେ ଭୂମିକମ୍ପ ଆସିଥାଏ। ଭାରତର ପ୍ଲେଟ୍ ଗତ ୬ କୋଟି ବର୍ଷ ହେଲା ୟୁରୋପ ଓ ଏସିୟା ପ୍ଲେଟ୍ ସହ ଧକ୍କା ହେଉଛି। ଏବେ ନୂଆ ଗବେଷଣାରୁ ଜଣାପଡିଛି ଯେ ଏହି ପ୍ଲେଟ୍ ଧିରେ ଧିରେ ଦୁଇ ଖଣ୍ଡରେ ଭାଙ୍ଗୁଥିବା ବେଳେ ଗୋଟିଏ ଭାଗ ମାଟି ଭିତରକୁ ଧସୁଛି।
ଭୂ-ଗର୍ଭରେ କ’ଣ ହେଉଛି?
ଯେତେବେଳେ ଟେକ୍ଟୋନିକ୍ ପ୍ଲେଟ୍ ଅଧିକ ଭାରି ହୁଏ ସେତେବେଳେ ଏହା ଧିରେ ଧିରେ ପୃଥିବୀ ଭିତରକୁ ଧସିବା ଆରମ୍ଭ କରେ। ଏହାକୁ ବୈଜ୍ଞାନିକ ଡିଲାମିନେସନ କହନ୍ତି। ଏବେ ଭାରତୀୟ ପ୍ଲେଟରେ ଏମିତି କିଛି ହେଉଛି। ଏହାର ତଳ ମୁହଁ ଭିତର ଆଡକୁ ଧସୁଛି। ଏହି କାରଣରୁ ଏଥିରେ ଫାଟ ସୃଷ୍ଟି ହେଉଛି। ଏହାର ପ୍ରଭାବ ଅତ୍ୟନ୍ତ ଜଟିଳ ହୋଇପାରେ। ଏହା ଯୋଗୁ ଭୂମିକମ୍ପ ବିପଦ ବଢିପାରେ, ଖାସ କରି ହିମାଳୟ ଅଞ୍ଚଳରେ। ଯଦି ପ୍ଲେଟ୍ ଏପରି ଖସିବା ଆରମ୍ଭ କରେ ଆଗାମୀ ସମୟରେ ଭାରତ ସମେତ ପୁରା ଏସିୟାର ନକ୍ସାରେ ପରିବର୍ତ୍ତନ ଆସିପାରେ। ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି, ହେଲେ ଏହାକୁ ଅଣଦେଖା କରାଯାଇ ନପାରେ।
ବୈଜ୍ଞାନିକଙ୍କ କହିବା କଥା ହେଉଛି ଏଥି ପାଇଁ ଲୋକଙ୍କୁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ବୈଜ୍ଞାନିକ ଏହା ଉପରେ ଲଗାତାର ଗବେଷଣା କରୁଛନ୍ତି ଓ ଏବେ ଏହି ପରିବର୍ତ୍ତନ ଅତ୍ୟନ୍ତ ଧିମା ଗତିରେ ହେଉଛି। ହେଲେ ବେଳ ଥାଉ ଏହା ଉପରେ ନଜର ରଖିବାକୁ ପଡିବ। ଯାହା ଦ୍ୱାରା ଭବିଷ୍ୟତରେ କୌଣସି ପ୍ରକାରର ବଡ଼ ବିପର୍ଯ୍ୟରୁ ରକ୍ଷା ମିଳିପାରିବ।