ୱାସିଂଟନ ୨୭।୮: ଯୁକ୍ତ ରାଷ୍ଟ୍ର ଆମେରିକା ଭାରତୀୟ ରପ୍ତାନୀ ଉପରେ ଲାଗୁ କରିଥିବା ୫୦% ଟାରିଫ ବୁଧବାର କାର୍ଯ୍ୟକାରୀ ହୋଇଛି। ଆମେରିକାକୁ ଭାରତର ଦୁଇ ତୃତୀୟାଂଶ ରପ୍ତାନୀ ଯାହାର ବାର୍ଷିକ ମୂଲ୍ୟ ପାଖାପାଖି ୬୦ ବିଲିୟନ ଡଲାରରୁ ଅଧିକ ଏବେ ଟାରିଫ ପରିସର ଭୁକ୍ତ ହୋଇଛି। ଏହା ଚଳିତମାସ ପ୍ରାରମ୍ଭରେ ଅଧିସୂଚିତ ୨୫% ହାରର ଦୁଇ ଗୁଣା। ଆମେରିକା ରାଷ୍ଟ୍ରପତିଙ୍କ ଅନୁସାରେ ଭାରତ ଲଗାତାର ଋଷିଆରୁ ଅଶୋଧିତ ତୈଳ ଓ ପ୍ରତିରକ୍ଷା ଉପକରଣ କ୍ରୟ କରୁଥିବାରୁ ଲାଗୁ ହୋଇଛି।
ଥିଙ୍କଟ୍ୟାଙ୍କ ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ (ଜିଟିଆରଆଇ) ଅନୁସାରେ ଭାରତ ପ୍ରତି ବର୍ଷ ଆମେରିକାକୁ ପାଖାପାଖି ୮୬.୫ ବିଲିୟନ ଡଲାରର ରପ୍ତାନୀ କରିଥାଏ। ଏହାର ପାଖାପାଖି ଦୁଇ ତୃତିୟାଂଶ ଯାହା ଜିଟିଆରଆଇ ଅନୁମାନ ଅନୁସାରେ ପାଖାପାଖି ୬୦.୨ ବିଲିୟନ ଡଲାର ସାମଗ୍ରୀ ଉପରେ ୫୦% ଟାରିଫ ଲାଗିବ। ତେବେ ସରକାରୀ ଅନୁମାନ ଏହାଠୁ ଟିକେ କମ, ଅର୍ଥାତ ୪୮.୨ବିଲିୟନ ଡଲାର ରପ୍ତାନୀ ଉପରେ ଏହି ଟାରିଫର ପ୍ରଭାବ ପଡିବା ଅନୁମାନ କରାଯାଉଛି।
ତେବେ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ନୂଆ ଶୁଳ୍କ କାରଣରୁ ଆମେରିକାକୁ ରପ୍ତାନୀ ଏବେ ବ୍ୟବସାୟୀକ ରୂପେ ଅବ୍ୟବହାରିକ ହୋଇପାରେ। ଏଣୁ ଚାକିରୀ ହ୍ରାସ ପାଇବା ସହ ଆର୍ଥିକ ବିକାଶ ମାନ୍ଦା ହେବ।
ଶୁଳ୍କ ଯୋଗୁ ସବୁଠୁ ଅଧିକ ପ୍ରଭାବିତ କ୍ଷେତ୍ର
ଜିଟିଆରଆଇ ପରାମର୍ଶ ଅନୁସାରେ କପଡ଼ା, ରତ୍ନ ଓ ଆଭୂଷଣ, ଚମଡ଼ା ଉତ୍ପାଦ, ଖାଦ୍ୟ ଓ ଅଟୋମୋବାଇଲ ଭଳି ଶ୍ରମ ପ୍ରଧାନ କ୍ଷେତ୍ର ସବୁଠୁ ଅଧିକ ପ୍ରଭାବିତ ହେବ। ଥିଙ୍କଟ୍ୟାଙ୍କ ସଂସ୍ଥାପକ ଅଜୟ ଶ୍ରୀବାସ୍ତବ ଚେତାବନୀ ଦେଇଛନ୍ତି ଯେ ପ୍ରଭାବିତ କ୍ଷେତ୍ରରେ ରପ୍ତାନୀ ପାଖାପାଖି ୭୦% ପର୍ଯ୍ୟନ୍ତ ହ୍ରାସ ହୋଇପାରେ, ଯାହା ୬୦.୨ ବିଲିୟନ ଡଲାରରୁ ହ୍ରାସ ହୋଇ ୧୮.୬ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ଛଡା ଆମେରିକାକୁ ହେଉଥିବା ମୋଟ ରପ୍ତାନୀ ପାଖାପାଖି ୪୩% ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏଣୁ ଭାରତର ରପ୍ତାନୀ କେନ୍ଦ୍ରମାନଙ୍କରେ ହଜାର ହଜାର ନିଯୁକ୍ତି ପ୍ରତି ବିପଦ ଉପୁଜିପାରେ।
ଏହା ଛଡା ଉଚ୍ଚ ଟାରିଫ ଯୋଗୁ ଭାରତର ଉତ୍ପାଦ ବଜାରରେ ପ୍ରତିଯୋଗୀତା ହରାଇ ପାରନ୍ତି। ଏହାର ସମ୍ଭାବିତ ଲାଭ ଚୀନ୍ ଓ ଭିଏତନାମ ଭଳି ଦେଶଙ୍କୁ ମିଳିପାରେ। କାରଣ ଭାରତ ଉପରେ ଲଗାଯାଇଥିବା ଟାରିଫ ଅନ୍ୟ ଏସିୟ ଦେଶ ଯେପରି ଚୀନ୍ (୩୦%), ଭିଏତନାମ (୨୦%), ଇଣ୍ଡୋନେସିଆ (୧୯%) ଓ ଜାପାନ (୧୫%) ଠାରୁ ଢେର ଅଧିକ।
ଚିଙ୍ଗୁଡି ରପ୍ତାନୀ
ଭାରତ ୨୦୨୫ ଆର୍ଥିକ ବର୍ଷରେ ଆମେରିକାକୁ ୨.୪ ବିଲିୟନ ଡଲାର ମୂଲ୍ୟର ଚିଙ୍ଗୁଡି ରପ୍ତାନୀ କରିଥିଲା, ଏହା ମୋଟ ଚିଙ୍ଗୁଡି ରପ୍ତାନୀର ୩୨.୪%। ଆମେରିକା ଭାରତ ଲାଗି କୃଷି ଆଧାରିତ ଚିଙ୍ଗୁଡି ବିଶେଷ କରି ଚୋପାଲଗା, ବିନା ଶିରାରେ, ରୋଷେଇ ହୋଇଥିବା ଓ ବ୍ରେଡେଡ କିସମ ଚିଙ୍ଗୁଡିର ବଡ଼ ବଜାର। ଏହି କ୍ଷେତ୍ରରେ ମୋଟ ଟାରିଫ ୬୦% ପର୍ଯ୍ୟନ୍ତ ବଢିବ ବୋଲି ଆକଳନ କରାଯାଉଛି। ଯଦି ଏପରି ହୁଏ ଆନ୍ଧ୍ରପ୍ରଦେଶରେ ଫାର୍ମ-ଗେଟ୍ ମୂଲ୍ୟ ହ୍ରାସ ଆଶଙ୍କା କରାଯାଉଥିବା ବେଳେ ବିଶାଖାପାଟଣା ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଥିବା ପ୍ରସଂସ୍କରଣ କେନ୍ଦ୍ରର ଅସ୍ତିତ୍ୱ ପ୍ରତି ବିପଦ ଉପୁଜିବ।
ଏହା ବଦଳେ ଇକ୍ୱାଡୋର, ଭିଏତନାମ, ଇଣ୍ଡୋନେସିୟା ଓ ଥାଇଲ୍ୟାଣ୍ଡ ଭଳି ପ୍ରତିଯୋଗୀ ଦେଶମାନେ ଆମେରିକାରେ ଭାରତର ସ୍ଥାନ ନେଇ ନେବେ ବୋଲି ଜିଟିଆରଆଇ ଆକଳନ କରିଛି।
ରତ୍ନ ଏବଂ ଆଭୂଷଣ
କ୍ଷେତ୍ରରେ ଭାରତ ଆମେରିକାକୁ ବାର୍ଷିକ ୧୦ ବିଲିୟନ ଡଲାରର ରପ୍ତାନୀ କରିଥାଏ। ଏହା ଭାରତର ବୈଶ୍ୱିକ ରପ୍ତାନୀର ୪୦%। ଏହି କ୍ଷେତ୍ର ଉପରେ ଟାରିଫ ୨.୧%ରୁ ବଢି ୫୨.୧% ହୋଇଯିବ। ଏଣୁ ସୁରଟ, ମୁମ୍ବାଇ ଓ ଜୟପୁରରେ ଏହି କ୍ଷେତ୍ରରେ କାମ କରୁଥିବା ଲୋକେ ନିଯୁକ୍ତି ହରାଇବାର ଆଶଙ୍କା ଦେଖା ଦେଇଛି। ଏହି ସବୁ ସ୍ଥାନମାନଙ୍କରେ ଉଦ୍ୟୋଗ କଟିଂ, ପଲିସିଂ ଓ ମେନୁଫେକ୍ଚରିଂରେ ଲକ୍ଷଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି।
ବସ୍ତ୍ର ଓ ପରିଧାନ
ଭାରତ ଆମେରିକାକୁ ବସ୍ତ୍ର ଓ ପରିଧାନ ରୂପେ ବାର୍ଷିକ ୧୦.୮ ବିଲିୟନ ଡଲାରର ରପ୍ତାନୀ କରିଥାଏ। ଏଥିରେ କେବଳ ପରିଧାନର ରପ୍ତାନୀ ୫.୪ ବିଲିୟନ ଡଲାର। ମୋଟ ପରିଧାନ ରପ୍ତାନୀର ୩୫%ଆମେରିକାକୁ ହୋଇଥାଏ। ଏହି କ୍ଷେତ୍ରରେ ଟାରିଫ ୧୩.୯%ରୁ ବଢି ୬୩.୯% ହୋଇଯିବ। ଏଣୁ ଏପରି ରପ୍ତାନୀର ଲାଭ ହିଁ ବୁଡିଯିବ। ଫଳରେ ତିରିପୁର, ନୋଏଡା, ଗୁରୁଗ୍ରାମ, ବେଙ୍ଗାଲୁରୁ, ଲୁଧିଆନା ଓ ଜୟପୁର କ୍ଲଷ୍ଟର ଉପରେ ଏହାର ପ୍ରଭାବ ପଡିବ। ଅନ୍ୟପଟେ ବାଂଲାଦେଶ, ଭିଏତନାମ, ମେକ୍ସିକୋ ଆଦି ଦେଶ ଆମେରିକାରେ ଭାରତର ଏହି ସ୍ଥାନ ନେଇ ନେବେ।
କାର୍ପେଟ
୨୦୨୫ ଆର୍ଥିକ ବର୍ଷରେ ଆମେରିକାକୁ ଭାରତ ୧.୨ ବିଲିୟନ ଡଲାରର କାର୍ପେଟ ରପ୍ତାନୀ କରିଥିଲା। ଏଥିରେ ୱାସିଂଟନକୁ ଭାରତୀୟ କାର୍ପେଟର ରପ୍ତାନୀ ଭାଗିଦାରୀ ୫୮.୬% ଥିଲା। ଏହି ଉତ୍ପାଦର ଟାରିଫ ୨.୯%ରୁ ବଢି ୫୨.୯% ହୋଇଯାଇଛି। ଏଣୁ ଭଦୋଇ, ମିର୍ଜାପୁର ଓ ଶ୍ରୀନଗରରେ କାରିଗରଙ୍କ ଜୀବିକା ଏବେ ବିପଦରେ ପଡି ଯାଇଛି। ଏବେ ଭାରତର ଏହି ବଜାରକୁ ଆମେରିକାରେ ତୁର୍କିୟେ, ପାକିସ୍ତାନ, ନେପାଳ ଓ ଚୀନ ହାତେଇ ନେବାର ଆଶଙ୍କା ଦେଖାଦେଇଛି।
ହସ୍ତଶିଳ୍ପ
ଆର୍ଥିକବର୍ଷ ୨୦୨୫ରେ ଆମେରିକାକୁ ଭାରତର ହସ୍ତଶିଳ୍ପ ରପ୍ତାନୀ ୧.୬ ବିଲିୟନ ଡଲାରର ଥିଲା। ଏଥିରେ ୱାସିଂଟନରେ ବିକ୍ରି ଭାଗିଦାରୀ ପାଖାପାଖି ୪୦% ଥିଲା। ଏଣୁ ଜୟପୁର, ଯୋଦ୍ଧପୁର, ମୁରାଦାବାଦ ଓ ସାହାରନପୁରରେ ଥିବା ହସ୍ତଶିଳ୍ପ କାରଖାନା ବନ୍ଦ ହୋଇଯିବାର ବିପଦ ଉପୁଜିଛି। ଅନ୍ୟପଟେ ଆମେରିକାରେ ଭାରତୀୟ ସାମଗ୍ରୀର ଅଭାବକୁ ଭିଏତନାମ, ଚୀନ, ତୁର୍କିୟେ ଓ ମେକ୍ସିକୋ ପୂରଣ କରିବେ।
ଚମଡ଼ା ଓ ଜୋତା
ଆମେରିକାକୁ ଭାରତ ବାର୍ଷିକ ୧.୨ ବିଲିୟନ ଡଲାରର ଚମଡ଼ା ଉତ୍ପାଦ ରପ୍ତାନୀ କରିଥାଏ। ଏବେ ଏହା ଉପରେ ପୁରା ୫୦% ଟାରିଫ ବସିବ। ଏଣୁ ଭିଏତନାମ, ଚୀନ୍, ଇଣ୍ଡୋନେସିୟା ଓ ମେକ୍ସିକୋ କୁ ରପ୍ତାନୀ ସୁଯୋଗ ମିଳିଯିବ। ଅନ୍ୟପଟେ ଭାରତରେ ଆଗ୍ରା, କାନପୁର, ତାମିଲନାଡୁର ଅମ୍ବୂର- ରାନୀପେଟ୍ କ୍ଲଷ୍ଟର ଉପରକୁ ଏବେ ବିପଦ ଘନେଇଛି।
କୃଷି ଓ ଖାଦ୍ୟ ପ୍ରସଂସ୍କରଣ
ଭାରତ ଆମେରିକାକୁ ବାର୍ଷିକ ୬ ବିଲିୟନ ଡଲାରର ବାସୁମତି ଚାଉଳ, ଚା, ମସଲା ଓ ଅନ୍ୟ କୃଷିଜାତ ଉତ୍ପାଦ ରପ୍ତାନୀ କରିଥାଏ। ଏବେ ଆମେରିକାରେ ଏହି ସବୁ ସାମଗ୍ରୀ ଉପରେ ୫୦% ଶୁଳ୍କ ଲାଗିବ। ଏଣୁ ଭାରତ ବଦଳେ ପାକିସ୍ତାନ, ଥାଇଲ୍ୟାଣ୍ଡ, ଭିଏତନାମ, କେନ୍ୟା ଓ ଶ୍ରୀଲଙ୍କା ଆଗକୁ ଆମେରିକାର ଚାହିଦା ପୂରଣ କରିବେ।
ଶୁଳ୍କମୁକ୍ତ ଉତ୍ପାଦ
ଭାରତର ପାଖାପାଖି ୩୦.୨% ଅର୍ଥାତ ୨୭.୬ ବିଲିୟନ ଡଲାରର ଶୁଳ୍କମୁକ୍ତ ସାମଗ୍ରୀ ଆମେରିକୀୟ ବଜାରକୁ ପ୍ରବେଶ କରୁଛି। ଏହି ଉତ୍ପାଦଗୁଡିକ ଆଗକୁ ମଧ୍ୟ ଶୁଳ୍କ ମୁକ୍ତ ପ୍ରବେଶ କରିବେ। ଏହି ସବୁ ଉତ୍ପାଦରେ ଔଷଧ ଏବଂ ଔଷଧ ସାମଗ୍ରୀ (ଏପିଆଇ) ଉତ୍ପାଦ ରହିଛି। ଏହା ଭାରତରୁ ରିହାତି ପ୍ରାପ୍ତ ରପ୍ତାନୀର ୫୬%। ଏହା ଛଡା ସ୍ମାର୍ଟଫୋନ, ସ୍ୱିଚିଂ ଓ ରୁଟିଂ ଗିୟର, ଇଣ୍ଟିଗ୍ରେଟେଡ ସର୍କିଟ, ଅନମାଉଣ୍ଟେଡ ଚିପସ୍, ଡାୟଡ ଲାଗି ୱାଫର ସମେତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ମଧ୍ୟ ଶୁଳ୍କ ମୁକ୍ତ କରାଯାଇଛି।
ରିଫାଇନ ହାଲୁକା ତେଲ, ଗ୍ୟାସୋଲିନ ଓ ବିମାନ ଟର୍ବାଇନ ଇନ୍ଧନ, ପୁସ୍ତକ, ବ୍ରୋସର, ପ୍ଲାଷ୍ଟିକ, ଫେରୋମାଙ୍ଗାନିଜ, ଫେରୋସିଲିକନ ମାଙ୍ଗାନିଜ, ଫେରୋ କ୍ରୋମିୟମ, କମ୍ପ୍ୟୁଟିଂ ଗିୟର, ନିକେଲ, ଜିଙ୍କ, କ୍ରୋମିୟମ, ଟଙ୍ଗଷ୍ଟେନ, ପ୍ଲାଟିନମ, ପାଲାଡିୟମ, ସୁନା ଡୋର, ସୁନା ମୁଦ୍ରା, ପ୍ରାକୃତିକ ରବରକୁ ମଧ୍ୟ ଶୁଳ୍କ ମୁକ୍ତ ରଖାଯାଇଛି।