ମାଲାମାଲ କୃଷି ବିଭାଗ: ଚାଉଳ ଠାରୁ ଚା’ ରପ୍ତାନୀ କରି ଭାଙ୍ଗିଲା ପୁରୁଣା ରେକର୍ଡ

Published By : Prameya-News7 Bureau | March 19, 2025 IST

internet

ନୂଆଦିଲ୍ଲୀ: ମାଲାମାଲ ହେଲା ଭାରତର କୃଷି ବିଭାଗ। ଏଥର ପ୍ରୋସେସ୍‌ ଫୁଡ୍‌ ଓ କୃଷି ଉତ୍ପଦାନ ରପ୍ତାନୀ କ୍ଷେତ୍ରରେ ଜବରଦସ୍ତ ବୃଦ୍ଧି ହୋଇଛି। ଚାଉଳ ଠାରୁ ଆରମ୍ଭ କରି ଚା’ ପର୍ଯ୍ୟନ୍ତ, ରପ୍ତାନୀରେ ବୃଦ୍ଧି ଦେଖିବାକୁ ମିଳିଛି। ଆମେରିକା, ଋଷ, ବ୍ରିଟେନ୍‌ ଇରାକ ଇରାନ ସମସ୍ତଙ୍କୁ ଚା’ ରପ୍ତାନୀ କରିଛି ଭାରତ। ଯାହା ଗତ ୧୦ ବର୍ଷରେ ସର୍ବାଧିକ। ଭାରତର ଅର୍ଥନୀତିକୁ ବଳ ଦେବାକୁ କୃଷି ବିଭାଗ ପୁଣିଥରେ ଆଗୁଆ ହୋଇଛି। 

ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତର କୃଷି ଉତ୍ପାଦନ ଏବଂ ପ୍ରୋସେସ୍‌ଫୁଡ ରପ୍ତାନି ୨୨.୬୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୩ ପ୍ରତିଶତ ଅଧିକ। ରପ୍ତାନୀ ବୃଦ୍ଧି ଦେଶର କୃଷି କ୍ଷେତ୍ରର ଦୃଢ଼ ପ୍ରଦର୍ଶନକୁ ପ୍ରତିଫଳିତ କରୁଛି।

କମର୍ସିଆଲ ଇଣ୍ଟେଲିଜେନ୍ସସ ଏବଂ ପରିସଂଖ୍ୟାନ ମହାନିର୍ଦ୍ଦେଶାଳୟ ଦ୍ୱାରା ସଂକଳିତ ତଥ୍ୟ ଅନୁଯାୟୀ, ଏହି ୧୧ ମାସ ମଧ୍ୟରେ ଚାଉଳ ରପ୍ତାନୀ ୨୧ ପ୍ରତିଶତ ବୃଦ୍ଧି ପାଇ ୧୧ ବିଲିୟନ ଡଲାରରୁ ଅଧିକ ହୋଇଛି। ଗତ ବର୍ଷ ସମାନ ଅବଧିରେ ଏହା ୯.୩୨ ବିଲିଅନ ଡଲାର ରହିଥିଲା। 

ପଢନ୍ତୁ- ପଛରେ ପଡ଼ିବେ ଜର୍ମାନୀ, ଚୀନ ଓ ଫ୍ରାନ୍ସ: ଲଞ୍ଚ୍‌ ହେବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଏହି ରୁଟ୍‌ରେ ଚାଲିବ

ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଚାଉଳ ରପ୍ତାନୀ ଉପରେ କଟକଣା ହଟାଇବା ପରେ ରପ୍ତାନୀରେ ଏହି ବୃଦ୍ଧି ଦେଖିବାକୁ ମିଳିଛି। ଖରାପ ମୌସୁମୀ ଯୋଗୁ ଗତବର୍ଷ କେନ୍ଦ୍ର ସରକାର ଦେଶରେ ଚାଉଳ ଦରକୁ ନିୟନ୍ତ୍ରଣ କରିବା ପାଇଁ ରପ୍ତାନୀ ଉପରେ ରୋକ ଲଗାଇଥିଲେ। ଗତବର୍ଷ ସେପ୍ଟେମ୍ବରରେ ଏହି କଟକଣା ହଟାଇ ଦେବାରୁ ରପ୍ତାନୀ ବଢ଼ିଛି। ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀରେ ଚାଉଳ ରପ୍ତାନୀ ୧୩.୨୧ ପ୍ରତିଶତ ବୃଦ୍ଧି ପାଇ ୧.୧୯ ବିଲିୟନ ଡଲାର ହୋଇଛି। ଯାହା ଗତ ବର୍ଷ ଫେବୃଆରୀରେ ୧.୦୫ ବିଲିୟନ ଡଲାର ଥିଲା।

ସେହିପରି ଚା’ ରପ୍ତାନୀ କ୍ଷେତ୍ରରେ ୨୦୨୪ରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଭାରତ। ଭାରତୀୟ ଚା’ ବୋର୍ଡର ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ୨୫୫ ମିଲିଅନ କେଜି ଚା’ ରପ୍ତାନୀ କରାଯାଇଛି। ଯାହା ୨୦୨୩ ତୁଳନାରେ ୧୦ ପ୍ରତିଶତ ଅଧିକ। ୨୦୨୩ରେ ଭାରତ ୨୩୧.୬୯ କେଜି ଚା ରପ୍ତାନୀ କରିଥିଲା। ୨୦୨୩ରେ ପାଣିପାଗ ସମସ୍ୟା ଯୋଗୁ ଚା’ ଉତ୍ପଦାନ ଖର୍ଚ୍ଚ ବଢ଼ିଥିଲା। ତେଣୁ ଦର ବୃଦ୍ଧି କରିବାକୁ ଚା’ ଉତ୍ପାଦନ ସଂଘ ଦାବି କରିଥିଲା। ଏହାପରେ ରପ୍ତାନି ବଜାରରେ ଭାରତୀୟ ଚା'ର ହାରାହାରି ମୂଲ୍ୟ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। 

୨୦୨୪ରେ ଇରାକ୍‌କୁ ସର୍ବାଧିକ ୨୦ ପ୍ରତିଶତ ଚା’ ରପ୍ତାନୀ କରାଯାଇଛି। ଭାରତୀୟ ଚା’ ବ୍ୟବସାୟୀମାନେ ଚଳିତ ଆର୍ଥିକ ବର୍ଷରେ ପଶ୍ଚିମ ଏସୀୟ ଦେଶକୁ ୪୦-୫୦ ମିଲିଅନ କେଜି ଚା ରପ୍ତାନୀ କରିପାରନ୍ତି ବୋଲି ଆଶା କରୁଛନ୍ତି। ଶ୍ରୀଲଙ୍କାର ଫସଲ ଉତ୍ପାଦନ କମ ଥିବାରୁ ପଶ୍ଚିମ ଏସିଆର ଅନେକ ବଜାରରେ ଭାରତୀୟ ବ୍ୟବସୟୀମାନେ ପ୍ରବେଶ କରିଛନ୍ତି। ସେମାନଙ୍କ ରପ୍ତାନୀ ମଧ୍ୟ ବଢୁଛି। 

ପଢନ୍ତୁ- ଟ୍ୟାକ୍ସ କୋହଳ କଲେ ସରକାର ଏପଟେ ମହଙ୍ଗା ହେଲା କାର୍: ମଧ୍ୟବିତ୍ତଙ୍କୁ ଯେଉଁ ଟେନ୍‌ସନକୁ ସେହି ଟେନ୍‌ସନ

କେବଳ ଇରାକ ନୁହେଁ, ଭାରତ ବର୍ତ୍ତମାନ ୨୫ଟି ଦେଶକୁ ଚା ରପ୍ତାନୀ କରୁଛି। ଯେଉଁଥିରେ ୟୁଏଇ, ଇରାକ, ଇରାନ, ରୁଷ, ଆମେରିକା ଏବଂ ୟୁକେ ଭାରତ ପାଇଁ ବଡ଼ ମାର୍କେଟ୍। ବିଶ୍ୱର ଶୀର୍ଷ ୫ ଚା’ ରପ୍ତାନୀକାରୀ ଦେଶ ମଧ୍ୟରେ ଭାରତ ରହିଛି। ବିଶ୍ୱ ଚା ରପ୍ତାନୀରେ କେବଳ ଭାରତର ଭାଗ ୧୦ ପ୍ରତିଶତ। 

ଭାରତର ଆସାମ, ଦାର୍ଜିଲିଂ ଏବଂ ନୀଳଗିରି ଚା’କୁ ବିଶ୍ୱର ସର୍ବୋତ୍ତମ ଚା’ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଭାରତରୁ ରପ୍ତାନି ହେଉଥିବା ଅଧିକାଂଶ ଚା’ କଳା ଚା’, ଯାହା ମୋଟ ରପ୍ତାନିର ପ୍ରାୟ ୯୬ ପ୍ରତିଶତ। ଅନ୍ୟାନ୍ୟ କିସମଗୁଡ଼ିକ ମଧ୍ୟରେ ନିୟମିତ ଚା’, ସବୁଜ ଚା’, ହର୍ବାଲ୍ ଚା’, ମସଲା ଚା’ ଏବଂ ଲେମ୍ବୁ ଚା’ ଅନ୍ତର୍ଭୁକ୍ତ।

ପଢନ୍ତୁ- Realme P3 ସିରିଜ ଲଞ୍ଚ୍: ସ୍ମାର୍ଟଫୋନ ସହ ୨ ଇଅର ବଡ୍ସ ଲଞ୍ଚ, ଦାମ୍‌ ବି ସୁହାଇଲା ଭଳି


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.