ପାକିସ୍ତାନରେ ଫସିଛନ୍ତି ଭାରତୀୟଙ୍କ ପତ୍ନୀ, ଅନ୍‌ଲାଇନ୍‌ ହୋଇଥିଲା ଉଭୟଙ୍କ ବିବାହ

Published By : Prameya-News7 Bureau | April 27, 2025 IST

ଭୋପାଳର ହାର୍ଡୱେର ଇଞ୍ଜିନିୟର  ଉୱେସଙ୍କ ପତ୍ନୀ ହିରା ପାକିସ୍ତାନରେ  ଫସିଛନ୍ତି । ପହଲଗାମ୍‌ ଆତଙ୍କୀ  ଆକ୍ରମଣ ପରେ ପାକିସ୍ତାନ ତାଙ୍କ  ଭିସା ରଦ୍ଦ କରିଛି । ଫଳରେ  ହିରାଙ୍କର ଭାରତ ଆସିବା ପୁଣି  ଥରେ ବାତିଲ ହୋଇଛି । ଏହା ପୂର୍ବରୁ ପୁଲୱାମା ଆକ୍ରମଣ ସମୟରେ ମଧ୍ୟ  ତାଙ୍କ ବିବାହ ପ୍ରସ୍ତୁତି ଆପାତତଃ ଶେଷ ହୋଇଥିଲା । ହିରା ନିଜ ପରିବାର  ସହ ଭାରତ ଆସିଥାନ୍ତେ । କିନ୍ତୁ ଆକ୍ରମଣ ପରେ ଭିସା ରଦ୍ଦ କରାଗଲା ।  ଏହି ସ୍ଥିତିରେ ଅନ୍‌ଲାଇନ୍‌ ବିବାହ ଏକମାତ୍ର ବିକଳ୍ପ ଥିଲା । ମାର୍ଚ୍ଚ ୨୦୨୪ରେ  ଉଭୟ ଅନ୍‌ଲାଇନ୍‌ ବିବାହ କରିଥିଲେ । 

ଭୋପାଳର କୋହେଫିଜା ବାସିନ୍ଦା ଉୱେସ ଖାନ୍‌ କହିଛନ୍ତି, ଆମ ଦୁହିଁଙ୍କର   ପ୍ରେମ ୧୬ ବର୍ଷ ପୁରୁଣା । ନିକାହ (ବିବାହ) ମଧ୍ୟ ଟେକ୍ନୋଲୋଜି ଜରିଆରେ  ହେଲା । ଏବେ ମିଳନର ସମୟ ଆସିବା ବେଳକୁ ସୀମାର ଉଭୟ ପାଶ୍ୱର୍ରେ ସ୍ଥିତି  ବିଗିଡ଼ିଛି, ଯାହା ଆମ ମିଳନରେ ପ୍ରାଚୀର ହୋଇଛି । ଉୱେସ ପତ୍ନୀ ହିରାଙ୍କୁ ଭାରତ ଆଣିବା ପାଇଁ ସବୁ ପ୍ରସ୍ତୁତି କରିସାରିଥିଲେ ।  ଭିସା, ଟିକଟ୍‌ ଓ କାଗଜପତ୍ର ସବୁ ପ୍ରସ୍ତୁତ ଥିଲା । ଅମୃତସରରୁ ଲାହୋରକୁ  ସେ ଟ୍ରେନ୍‌ ଟିକଟ୍‌ ବୁକ୍‌ କରିସାରିଥିଲେ । ଆସନ୍ତା ୧୯ ତାରିଖରେ ହିରାଙ୍କୁ ସେ  ଭାରତ ଆଣିଥାନ୍ତେ । 

କିନ୍ତୁ ପହଲଗାମ୍‌ ନରସଂହାର ପରେ ପାକିସ୍ତାନ ଭିସା  ମଞ୍ଜୁରି ଉପରେ ରୋକ ଲଗାଇଲା । ଉୱେସ କହିଛନ୍ତି, ହିରାଙ୍କର ମାମୁଁଘର ଭୋପାଳରେ । ପିଲାଦିନେ ସେ ଭୋପାଳ  ଆସୁଥିଲେ । ସେଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ଦୀର୍ଘ ୧୬ ବର୍ଷ ହେଲା  ଉଭୟଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏବେ ମିଳନ ସମୟ ଆସିବା ବେଳକୁ ଦୁଇ   ଦେଶ ମଧ୍ୟରେ ରାଜନୈତିକ ସ୍ଥିତି ପୁଣି ଥରେ ଉଭୟଙ୍କୁ ଅଲଗା କରିଦେଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.